ପୌର ବିଧି(ସଂଶୋଧନ) ବିଲ୍‌ ପାରିତ

ଭୁବନେଶ୍ୱର : ଆଜି ବିଧାନସଭାରେ ଓଡ଼ିଶା ପୌର ବିଧି (ସଂଶୋଧନ) ବିଲ୍‌ ୨୦୧୭ ପାରିତ ହୋଇଛି। ଏହି ବିଲ୍‌ ଆଗତ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ସଂଶୋଧନ ପରେ ବିଲ୍‌ରେ ପୌର ସଂସ୍ଥାଗୁଡ଼ିକରେ ପ୍ରତ୍ୟେକ ସାଧାରଣ ନିର୍ବାଚନର ପ୍ରତି ଦୁଇଟି କାର୍ଯ୍ୟକାଳ ପରେ ପରିବର୍ତେ ପ୍ରତ୍ୟେକ ସାଧାରଣ ନିର୍ବାଚନ କଥା ଉଲ୍ଲେଖ ରହିବ। ଫଳରେ ପୌର ସଂସ୍ଥାଗୁଡ଼ିକରେ ଅନୁସୂଚିତ ଜାତି, ଜନଜାତି, ଅନଗ୍ରସର ଶ୍ରେଣୀ, ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ପଦ ପଦବିରେ ସ୍ଥାନ ସଂରକ୍ଷଣ ସଂଖ୍ୟା ବୃଦ୍ଧି ପାଇବ। ଇତି ମଧ୍ୟରେ ୨୦୦୧ ଜନଗଣନା ପରେ ୨୦୧୧ ଜନଗଣନା ହୋଇଛି। ଫଳରେ ଲୋକସଂଖ୍ୟା ବୃଦ୍ଧି ପାଇଛି। ଏଣୁ ଆନୁପାତିକ ଭାବେ ପୌର ସଂସ୍ଥାରେ ଅଧିକ ସଂଖ୍ୟକ ପଦ ପଦବି ବୃଦ୍ଧି ପାଇବା ସ୍ୱାଭାବିକ ବୋଲି ଶାସକ ଦଳର ବିଧାୟକମାନେ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷରେ ଶାସକ ଦଳର ଆଚରଣକୁ ସମାଲୋଚନା କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଦିଲ୍ଲୀରୁ ଦୌଲତାବାଦ୍‌ ଭଳି ସରକାର ଦୁଇ କି ପାଞ୍ଚବର୍ଷରେ ବିଲ୍‌ ଆଣି ପୁଣି ତାକୁ ସଂଶୋଧନ କରୁଛନ୍ତି। ଫଳରେ ଲୋକେ ବିଭ୍ରାନ୍ତ ହେଉଛନ୍ତି। ଏହା ସତ୍ତ୍ୱେ ସେ ବିଲ୍‌କୁ ସମର୍ଥନ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର