ଯାଜପୁରସଦର : ବୋର୍ଡ ପ୍ରଦତ୍ତ ସାର୍ଟିଫିକେଟରେ ଓଟିଇଟି ପାସ୍। କିନ୍ତୁ ସୂଚନା ଅଧିକାର ଆଇନ ତଥ୍ୟରେ ଫେଲ୍। ଜଣେ ଶିକ୍ଷକଙ୍କ ଓଟିଇଟି ପରୀକ୍ଷାଫଳ ଉପରେ ବିଭାଗୀୟ କାର୍ଯ୍ୟାଳୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ସୂଚନା ଭିତରେ ତାଳାମେଳ ରହୁନି। ଯାଜପୁର ଜିଲ୍ଲା ବଡ଼ଚଣା ଶିକ୍ଷା ବିଭାଗ ଅଧୀନରେ ଅନୀୟ କୁମାର ବରାଳ ୨୦୦୭-୦୮ ମସିହାରୁ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ବର୍ତ୍ତମାନ ସେ ତେଲିଗଡ଼ ପ୍ରାଥମିକ ବିଦ୍ୟାଳୟରେ ନିୟମିତ ଶିକ୍ଷକ ଅଛନ୍ତି।
ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ବାରିକଙ୍କୁ ମିଳିଥିବା ତଥ୍ୟ ଅନୁସାରେ ଶିକ୍ଷକ ଅନୀୟ ୨୦୧୮-୨୦୧୯ ରେ ଓଟିଇଟି (ଓଡିଶା ଟିଚର ଏଲିଜିବିଲିଟ୍ ଟେଷ୍ଟ) ପରୀକ୍ଷା ଦେଇଥିଲେ। ତାଙ୍କ ରୋଲ ନମ୍ବର ଥିଲା ୧୮୧୧୩୦୬୦୧୧। ଏହି ରୋଲ ନଂ ଅନୁସାରେ ଅନୀୟ ଓଟିଇଟି ପରୀକ୍ଷାରେ ୬୭ ମାର୍କ ଅର୍ଥାତ ୪୪.୬୭ ପ୍ରତିଶତ ମାର୍କ ରଖିଥିବାରୁ ଫେଲ୍ ହୋଇଛନ୍ତି। କିନ୍ତୁ ବଡ଼ଚଣା ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସାର୍ଟିଫିକେଟରେ ସମାନ ରୋଲ ନମ୍ବର ଥାଇ ସେ ୬୭ ବଦଳରେ ୮୦ ମାର୍କ ରଖି ସଫଳତା ପାଇଛନ୍ତି। କଟକ ମାଧ୍ୟମିକ ଶିକ୍ଷା ବୋର୍ଡ ଦେଇଥିବା ସୂଚନା ଅଧିକାର ତଥ୍ୟରେ ଫେଲ୍ ହେବା ଏବଂ ଅନ୍ୟପଟେ ବଡ଼ଚଣା ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସାର୍ଟିଫିକେଟରେ ପାସ୍ ହେବା ଦର୍ଶାଯିବା ଘଟଣାରେ ତାଳମେଳ ରହୁନି। ତେଣୁ କେଉଁଟି ଠିକ୍ ଓ କେଉଁଟା ଭୁଲ୍ ତାହା ଯାଞ୍ଚ ହେବାର ଆବଶ୍ୟକତା ରହିଛି। ଏନେଇ ସୂଚନା ଅଧିକାରୀ କର୍ମୀ ବିଭାଗୀୟ ସଚିବ, ଜିଲ୍ଲାପାଳ, ଶିକ୍ଷା ଅଧିକାରୀ, ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଜରିଆରେ ଅଭିଯୋଗ କରିଥିଲେ ବି ଏଯାଏ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।