ମିଲ୍‌କୁ ଯାଉଛି ବାହାର ଧାନ, ପ୍ରଶାସନ ଚୁପ୍ କାହିଁକି?

ସମ୍ବଲପୁର: ଧାନ ଅମଳ ହୋଇସାରିଲାଣି। ମାତ୍ର, ଜିଲ୍ଲା ପ୍ରଶାସନ ଶୀଘ୍ର ମଣ୍ଡି ଖୋଲିବାକୁ ତତ୍ପରତା ଦେଖାଉ ନାହିଁ। ମିଲ୍‌ ମାଲିକଙ୍କ କଥାକୁ ଗୁରୁତ୍ବ ଦେଇ ନଭେମ୍ବର ୨‌୫ରେ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବାକୁ ସ୍ଥିର କରିଛି। ଏହାର ପଛରେ ଏକ ବଡ଼ ଷଡ୍‌ଯନ୍ତ୍ର ରହିଛି। ଏବେ ଏଠାକାର ମିଲ୍‌ଗୁଡ଼ିକୁ ବାହାର ଧାନ ଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ସବୁକିଛି ଜାଣି ନିରବଦ୍ରଷ୍ଟା ସାଜିଛି। ଅଭାବୀ ବିକ୍ରି ସମସ୍ୟା ସୃଷ୍ଟି କରିବା ପାଇଁ ଏଭଳି ଷଡ୍‌ଯନ୍ତ୍ର ରଚନା କରାଯାଇଛି ବୋଲି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୀରାକୁଦ ପାଣି ପାଇଁ ଆଇନ ଅମାନ୍ୟ ଆନ୍ଦୋଳନର ୧୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ବୈଠକରେ ଚାଷୀମାନେ କହିଛନ୍ତି। ମିଲ୍‌ଗୁଡ଼ିକୁ ବାହାରିଆ ଧାନ ପଶିବା ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକାନଗଲେ ଆଗାମୀ ଦିନରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବା ନିଶ୍ଚିତ। ଚାଷୀମାନ ବାଧ୍ୟ ହୋଇ ମିଲ୍‌ ସମ୍ମୁଖରେ ଧାନ ବୋଝେଇ ଟ୍ରକ୍‌କୁ ରୋକିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଆଜି ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରିଶଙ୍କର ପୁରୋହିତଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ବୈଠକରେ ୬ ନଭେମ୍ବର ୨୦୦୭ ମସିହାରେ ଅନୁଷ୍ଠିତ ଆଇନ ଅମାନ୍ୟ ଆନ୍ଦୋଳନର ସ୍ମୃତିଚାରଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ପୁଣି ସେଭଳି ତୀବ୍ର ଆନ୍ଦୋଳନର ଆବଶ୍ୟକତା ଉପରେ ଚା‌ଷୀ ନେତାମାନେ ଗୁରୁତ୍ବାରୋପ କରିଥି‌ଲେ। ଧାନ ଉତ୍ପାଦନ ହେବା ପରେ ବି ମଣ୍ଡି ନଖୋଲିବାରୁ ଏବେ ଚାଷୀମାନଙ୍କୁ ଅଣ୍ଡର ରେଟ୍‌ରେ ଧାନ ବିକିବାକୁ ବାଧ୍ୟ କରାଯାଉଛି। ମିଲ୍‌ ମାଲିକମାନେ ସେମାନଙ୍କ ଏଜେଣ୍ଟ/ଦଲାଲମାନଙ୍କ ଜରିଆରେ ଅଣ୍ଡରରେଟ୍‌ରେ ଧାନ କିଣିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅପରପକ୍ଷରେ ବାହାର ଜିଲ୍ଲାରୁ ବି ଧାନ ଏଠାକାର ମିଲ୍‌ଗୁଡ଼ିକୁ ଆସୁଛି। ଯଦି, ମିଲ୍‌ରେ ଧାନ ରଖିବା ପାଇଁ ଜାଗା ନାହିଁ, ତାହେଲେ ଏହି ଧାନଗୁଡ଼ିକ କେଉଁଠି ରଖାଯାଉଛି ବୋଲି ବୈଠକ‌େରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଯଦି, ଏବେଠୁ ଅଣ୍ଡରରେଟ୍ କିଣାଯାଉଥିବା ଧାନ ମିଲ୍‌ଗୁଡ଼ିକରେ ଭର୍ତ୍ତି ହୋଇଯିବ, ମଣ୍ଡି ଖୋଲିବା ପରେ ଅନ୍ୟ ଚାଷୀମାନଙ୍କୁ ‌ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ, ଆସନ୍ତା ୧୧ ତାରିଖ ଦିନ ଚାଷୀରେଖା ଟଣାଯିବାର ସ୍ମୃତିରେ ହେବାକୁ ଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସ୍ଥିର କରାଯାଇଛି। ଉଲ୍ଲେଖଯୋଗ୍ୟ  ଯେ, ଗତ ୧୧ ନଭେମ୍ବର ୨୦୦୭ ମସିହାରେ ଚାଷୀମାନେ ଜମାଦାରପାଲି ଏୟାରଷ୍ଟ୍ରିପ୍ ଠାରୁ ଅଳ୍ପ ଦୂରରେ ହୀରାକୁଦ ଜଳଭଣ୍ଡାରରେ ଚାଷୀରେଖା ଟାଣି ବେଦାନ୍ତ କଂପାନିକୁ ଜଳଭଣ୍ଡାରର ସଂପୃକ୍ତ ଅଂଚଳରୁ ପାଣି ଟାଣିବା ପାଇଁ ରୋକିବାରେ ସଫଳ ହୋଇଥିଲେ। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଘରୋଇ କଂପାନିକୁ ବାଦ୍ ଦେବା, ଟୋକନ ବ୍ୟବସ୍ଥାରେ ସୁଧାର ଆଣିବା, ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା, ବିଧାନସଭାରେ ପାରିତ ପ୍ରସ୍ତାବ ଅନୁସାରେ କୁଇଣ୍ଟାଲ ପ୍ରତି ୨୯୦୦ ଟଙ୍କା ବିକ୍ରି ବ୍ୟବସ୍ଥା, ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା, କଟ୍‌ନି ଛଟ୍‌ନିକୁ ବିରୋଧ, ନଭେମ୍ବର ଦ୍ବିତୀୟ ସପ୍ତାହରୁ ଧାନ ସଂଗ୍ରହ ଆରମ୍ଭ, ସ୍ବାମିନାଥନ୍ କମିଶନର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଦାବି ଉଠିଥିଲା। ଚାଷୀନେତା ସରୋଜ ମହାନ୍ତି, ଉମେଶ ମିଶ୍ର, ବ୍ୟୋମକେଶ ଠାକୁର, ରାମଚରଣ ମାଝୀ, ପ୍ରଦୀପ ପାତ୍ର, ସୌମ୍ୟ ସାହାଣି, ନରେନ୍ଦ୍ର ମିଶ୍ର, ବିପିନ ଭୋଏ, ଦେବେନ୍ଦ୍ର ପ୍ରଧାନ, ଏମ୍.ଗୋବିନ୍ଦୁ ପ୍ରମୁଖ ସଭାରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର