ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ରାୟପୁର ୧୬ନଂ ରାଜ୍ୟ ରାଜପଥ ପାଷ୍ଟିପଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ଗ୍ୟାସ୍ ଟ୍ୟାଙ୍କର ରବିବାର ସକାଳେ ଓଲଟି ପଡ଼ିଛି। ଟ୍ୟାଙ୍କରୁ ପ୍ରଚୁର ଗ୍ୟାସ୍ ନିର୍ଗତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଖବରଲେଖା ହେବା ସୁଦ୍ଧା ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ନିର୍ଗମନକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଥୁଆପଦର, କର୍ଲାଗୁଡ଼ା, ପାଷ୍ଟିପଡ଼ା ସମେତ ବହୁ ଗ୍ରାମରେ ରୋଷେଇ ବନ୍ଦ କରିବା ପାଇଁ ଆଲର୍ଟ ଜାରି କରାଯାଇଛି। ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି। ୨ କିଲୋମିଟର ଦୂର ପର୍ଯ୍ୟନ୍ତ ଲୋକଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ଘଟଣାସ୍ଥଳକୁ ଇଲେକ୍ଟ୍ରୋନିକ୍ସ ଡିଭାଇସ, ମୋବାଇଲ, ପାୱାର ବ୍ୟାଙ୍କ ନେବାକୁ ମନା କରାଯାଇଛି।
ସୂଚନା ଅନୁସାରେ, ବଲାଙ୍ଗୀରରୁ ଏକ ଟେକ୍ନିକାଲ ଟିମ୍ ଆସି ଗ୍ୟାସ୍ ନିର୍ଗମନକୁ ବନ୍ଦ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ, ଏଥିରେ ସେମାନେ ବିଫଳ ହୋଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍ ଅଞ୍ଚଳରେ ପାଣି ସିଞ୍ଚନ କରାଯାଉଛି। ଘଟଣାସ୍ଥଳରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଏସ୍ପି ଅଭିଳାଷ ଜି., ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ, ବିଡିଓ ପ୍ରୀତା କୁମାର, ଏସ୍ଡିପିଓ ସଦର ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ଭୟଭୀତ ନହେବା ପାଇଁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ଅନ୍ୟପକ୍ଷରେ, ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ କର୍ଲାଗୁଡ଼ା ପଞ୍ଚାୟତର କୁବୁଡ଼ି ଗ୍ରାମବାସୀଙ୍କୁ ସକାଳେ ଗାଁ ନିକଟ ଏକ ଗଛମୂଳେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଇଥିଲା। ସନ୍ଧ୍ୟାରେ ଗ୍ୟାସ୍ ବ୍ୟାପୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କୁ ନିକଟ ପାଲସିଝରନ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ସୋମବାର ସକାଳେ ବିଶାଖାପାଟଣାରୁ ଟେକ୍ନିକାଲ ଟିମ୍ ଆସିବେ ବୋଲି ସୂଚନା ଦିଆଯାଇଛି। ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ଗ୍ୟାସ୍ ବ୍ୟାପୁଥିବା ନେଇ ଭୟର ବାତାବରଣ ଜାରି ରହିଛି।