୧୬ ବସ୍‌ର ମାଲିକ ଏବେ ବେସାହାରା, ୮ ସନ୍ତାନର ଜନକଙ୍କ ଠିକଣା ଆଶ୍ରୟସ୍ଥଳୀ

ପୁରୀ : ଦିନେ ପିଲାଙ୍କୁ ମଣିଷ କରିବାକୁ ଦିନରାତି ଏକ୍ କରି‌ ଦେଇଥିଲେ। ପିଲାଙ୍କ ଭବିଷ୍ୟତ ପାଇଁ ୧୬ ମାଣ ଜମି କିଣିଥିଲେ। ୧୬ଟି ବସ୍‌ର ମାଲିକ ହୋଇଥିଲେ। ଅଥଚ ଯିଏ ଦିନେ ୩୦ରୁ ଅଧିକ କର୍ମଚାରୀଙ୍କ ପେଟକୁ ଦାନା ଦେଉଥିଲେ, ଆଜି ସେ ମୁଠାଏ ଦାନା ପାଇଁ ସଂଘର୍ଷ କରୁଛନ୍ତି। ମୁଣ୍ଡ ଉପରେ ଛାତ ପାଇଁ ୧୦ ବର୍ଷ ହେଲା ସଂଘର୍ଷ କରିବା ପ‌ରେ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ଖାଲି ଏତିକି ନୁହେଁ, ଏତେ ବଳିଦାନ ସତ୍ତ୍ବେ ମଧ୍ୟ ମଝିଆଁ ଝିଅ ପୈତୃକ ସମ୍ପତ୍ତି ପାଇବାକୁ ତାଙ୍କ ନାଁରେ ୧୭ଟି କେସ୍‌ କରିଛନ୍ତି। ସାରା ଜୀବନ ୮ ଜଣ ପୁଅ ଝିଅଙ୍କୁ ମଣିଷ କରିବା ପାଇଁ ମୁଣ୍ଡାଇଥିବା ବୋଝ ତାଙ୍କୁ ଯେତିକି କଷ୍ଟ ଦେଇନଥିଲା, ସମ୍ପତ୍ତି ପାଇଁ ତାଙ୍କୁ କୋର୍ଟକୁ ଟାଣିବା ତାଙ୍କ ବାପା ମନକୁ ସମ୍ପୂର୍ଣ୍ଣ ମାରି ଦେଇଛି।

ଅସହାୟ ପାଲଟିଥିବା ଏହି ମଣିଷ ହେଉଛନ୍ତି, ‌ଗିରିଧାରୀ ମହାପାତ୍ର। ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳରେ। ସେ ଥିଲେ ସୁନାରୀ ବଣିଆ। ସୁନାରେ ଅଳଙ୍କାର ଗଢ଼ିବାରେ ସେ ଏତେ ଦକ୍ଷ ଥିଲେ ଯେ ତାଙ୍କ ନିକଟକୁ କାମର ସୁଅ ଛୁଟୁଥିଲା। ତେଣୁ ୫ଟି ଝିଅ ଓ ୩ଟି ପୁଅଙ୍କ ପ୍ରତିପୋଷଣ ବେଶ୍‌ ଭଲରେ କରିପାରିଥିଲେ। ଏହାମଧ୍ୟରେ ସେ ଝିଅଙ୍କ ବିବାହ ଓ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ୧୬ ମାଣ ଜମି କିଣିଥିଲେ। ବସ୍‌ କିଣିବା ପାଇଁ ପୁଅକୁ ଚେକ୍‌ ଆକାରରେ ଟଙ୍କା ଦେଇଥିଲେ। ମାତ୍ର ସମୟ ଚକ୍ରରେ ତାଙ୍କର ଦୁଇ ପୁଅ ଆରପାରିକୁ ଚାଲିଗଲେ। ଏହାମଧ୍ୟରେ ସେ ପୂର୍ବରୁ କିଣିଥିବା ଜମି ବିକି ଝିଅମାନଙ୍କ ବିବାହ କଲେ। ଏପରିକି ନିଜ ୪ ନାତୁଣୀଙ୍କୁ ବିବାହ କରିବାରେ ମଧ୍ୟ ସେ ଯଥାସମ୍ଭବ ସାହାଯ୍ୟ କଲେ। ଏଣେ ବଡ଼ପୁଅ ବସ୍‌ର ମାଲିକାନା ସମ୍ଭାଳିଥିବା ବେଳେ ଉମା ଓ ଶିବଶକ୍ତି ନାଁ’ରେ ୧୬ଟି ବସ୍‌ ଖୋର୍ଦ୍ଧାରୁ ଭୁବନେଶ୍ବର, ବ୍ରହ୍ମପୁର ଓ ବାଲୁଗାଁ ଯାଉଥିଲା। ତେବେ ବ୍ୟବସାୟ ପରିଚାଳନାରେ ତ୍ରୁଟି ଯୋଗୁ ବ୍ୟବସାୟ ବୁଡ଼ିଗଲା।

ଇତିମଧ୍ୟରେ ଗିରିଧାରୀଙ୍କ ପତ୍ନୀ ଦ୍ରୌପଦୀ ମହାପାତ୍ର ମଧ୍ୟ ଆରପାରିକୁ ଚାଲିଗଲେ। ଭାବିଥିଲେ ସାନପୁଅ ପାଖେ ମୁଣ୍ଡ ଗୁଞ୍ଜି ଜୀବନର ଅନ୍ତିମ ସମୟ କାଟିଦେବେ। କିନ୍ତୁ ପୁରୀ ବାଲିସାହିରେ ରହୁଥିବା ସାନ ପୁଅ ବି ତାଙ୍କୁ ପଚାରିଲାନାହିଁ। ତେଣୁ ସେ ୧୦ ବର୍ଷ ହେଲା କେବେ ଖୋର୍ଦ୍ଧାରେ ତ କେବେ ଭୁବନେଶ୍ବର ଓ କେବେ ପୁରୀ ଆସି ବୁଲିବୁଲି ଜୀବନ କାଟିଦେଲେ। ଗତ ୪ ମାସ ତଳେ ଗିରିଧାରୀ ଅସହାୟ ଅବସ୍ଥାରେ ବସ୍‌ଷ୍ଟାଣ୍ଡରେ ବସି ରହିଥିଲେ। ହାତ ଗୋଡ଼ ଥରୁଥିଲା। ତାଙ୍କର ଏଭଳି ଅବସ୍ଥା ଦେଖିବା ପରେ କେହି ଜଣେ ବାସହୀନ ଆଶ୍ରୟସ୍ଥଳୀକୁ ଯୋଗାଯୋଗ କରିଥିଲେ। ପୁରୀ ପୌରସଂସ୍ଥା ଓ ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ସର୍ବୋଦୟ ନଗରରେ ଥିବା ବାସହୀନଙ୍କ ଆଶ୍ରୟସ୍ଥଳ ପକ୍ଷରୁ ତାଙ୍କୁ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରାଯାଇଥିଲା। ସଂ‌ଯୋଗକୁ ଆଜି ପିତୃମାତୃ ଦିବସ ଥିବା ‌ବେଳେ, ତାଙ୍କୁ ଭେଟିବା ପରେ ଗିରିଧାରୀ ଯେମିତି ତାଙ୍କର ସେଇ ଅତୀତର ପିତୃପଣକୁ ଝୁରି ହେଉଥିଲେ।

ଗିରିଧାରୀ କହିଛନ୍ତି, ସାନ ପୁଅ ପାଖରେ ଆଶ୍ରା ନେବି ବୋଲି ଭାବିଥିଲି, କିନ୍ତୁ ସେତକ ବି ହୋଇପାରିଲାନି। ଏଣେ ବଡ଼ ମଝିଆଁ ଝିଅ ମୋ ବି‌ରୋଧରେ ଥାନାର ଦ୍ବାରସ୍ଥ ହେଲା। ମୋତେ ଟଙ୍କା ଦେଇଛି ବୋଲି କହି ଘର ସମ୍ପତ୍ତି ତା ନାଁରେ କରିଦେବା ପାଇଁ ଦାବି କଲା। ସମ୍ପତ୍ତି ସେଇମାନଙ୍କ ପାଇଁ କିଣିଥିଲି। ଦେବାରେ କୌଣସି ସମସ୍ୟା ନଥିଲା। ମାତ୍ର ମୋ ନିଜ ଝିଅ ବି ଶେଷରେ ମୋତେ ନେଇ ଥାନାରେ ଛିଡ଼ା କରେଇଦେଲା। ବଞ୍ଚିଛି ସତ, କିନ୍ତୁ ଝିଅ ମୋ ନାଁ’ରେ କେସ୍‌ ଦେବା ପରଠୁ ମୁଁ ମରିଗଲେଣି। ଏଇଠି ଆସି ଜଗନ୍ନାଥଙ୍କ ପାଖରେ ଆଶ୍ରୟ ନେଇଛି।

ସମ୍ବନ୍ଧିତ ଖବର