ଅପମିଶ୍ରିତ ଡିଜେଲ୍‌ ପକାଇ ୭୦ ହଜାର ଗଣିଲେ କାର୍‌ ମାଲିକ

ବାଲେଶ୍ବର/ବସ୍ତା-୨: ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ତେଲଟାଙ୍କିରୁ ତେଲ ପକାଇବା ପରେ ଜଣେ ବ୍ୟକ୍ତି ତାଙ୍କ ଗାଡ଼ି ସଜାଡ଼ିବା ବାବଦରେ ୭୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସମ୍ପୃକ୍ତ ତେଲଟାଙ୍କିର ଅପମିଶ୍ରିତ ତେଲ ‌ଯୋଗୁଁ ତାଙ୍କୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଥିବା ଗାଡ଼ିର ମାଲିକ ଅଭିଯୋଗ କରିଛନ୍ତି। ତେଲଟାଙ୍କି ବିରୋଧରେ ଏଭଳି ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ସନ୍ତୋଷ ଜାନା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ବୋଲି କୁହାଯାଇଛି।

ଘଟଣାକ୍ରମରେ ମେଦିନିପୁର ଅଞ୍ଚଳର ଶ୍ରୀ ଜାନା ଗତ ୨୧ ତାରିଖରେ ତାଙ୍କ କାର ଯୋଗେ ବାଲେଶ୍ବର ଜିଲ୍ଲା ଦେଇ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ୬୦ ନମ୍ବର ଜାତୀୟ ରାଜପଥର ନିଧିପଣ୍ଡା ଛକ ନିକଟରେ ଥିବା ବ୍ଲୁ-ମୁନ୍ ତେଲ ଟାଙ୍କିରୁ ତେଲ ପକାଇଥିଲେ। ଏହାପରେ କିଛିବାଟ ଯିବା ପରେ କାର୍‌ଟି ହଠାତ୍‌ ବନ୍ଦ ହୋଇଯାଇଥିଲା। ଗାଡ଼ି ଷ୍ଟାର୍ଟ କରିବାକୁ ସେ ଯେତେ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ଗାଡ଼ିଟିକୁ ସେ ଗ୍ୟାରେଜ୍‌ ନେଇ ଦେଖାଇବା ପରେ ତେଲଟାଙ୍କିରେ ପ୍ରଚୁର ପରିମାଣରେ ପାଣି ରହିଥିବାରୁ ଏପରି ତ୍ରୁଟି ଦେଖା‌ଯାଇଥିବା ମେକାନିକ୍‌ ଜଣାଇଥିଲେ। ଏଥିସହ ଗାଡ଼ିର ବିଭିନ୍ନ ପାର୍ଟସ୍‌ ମଧ୍ୟ ଅଚଳ ହୋଇଥିବା ‌ସେ କହିଥିଲେ। ଫଳରେ ଗାଡ଼ିକୁ ସଜାଡ଼ିବା ପାଇଁ ଶ୍ରୀ ଜାନାଙ୍କୁ ଗ୍ୟାରେଜ୍‌ରେ ୩/୪ ଦିନ ଗାଡ଼ି ରଖିବାକୁ ପଡ଼ିଥିଲା ଏବଂ ୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସେଠାରୁ ଫେରିବା ପରେ ସେ ସମ୍ପୃକ୍ତ ତେଲଟାଙ୍କିକୁ ଗାଡ଼ି ଧରି ଯାଇଥିଲେ। ଟାଙ୍କିର ମ୍ୟାନେଜରଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେ। କିନ୍ତୁ ଟାଙ୍କି ମ୍ୟାନେଜର ଶ୍ରୀ ଜାନାଙ୍କ ଅଭିଯୋଗକୁ ଘୋଡ଼ାଇବାକୁ ଉଦ୍ୟମ କରି ଯେତିକି ଟଙ୍କାରେ ତେଲ ପକାଇଥିଲେ ସେତିକି ଟଙ୍କା ଫେରାଇ ନେବାକୁ କିମ୍ବା ଆଉ ଥରେ ତେଲ ପକାଇଦେବାକୁ କହିଥିଲେ। କିନ୍ତୁ ଶ୍ରୀ ‌ଜାନା ଅପମିଶ୍ରିତ ତେଲ ଯୋଗୁଁ ଯେଉଁ ୭୦ ହଜାର ଟଙ୍କା କ୍ଷତି ସହିଛନ୍ତି, ସେ ବାବଦରେ ତେଲଟାଙ୍କି କର୍ତ୍ତୃପକ୍ଷ କିଛି ଉତ୍ତର ଦେଇନଥିଲେ। ଆଜି ଶ୍ରୀ ଜାନା ତାଙ୍କୁ ଗାଡ଼ିରୁ ବାହାରିଥିବା ସେହି ଅପମିଶ୍ରିତ ତେଲ ଧରି ‌ବ୍ଲ-ମୁନ୍‌ ତେଲ ଟାଙ୍କିରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା।

ଅପରପକ୍ଷେ ଏ ସମ୍ପର୍କରେ ଟାଙ୍କିର ମ୍ୟାନେଜରଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଅବାନ୍ତର ଯୁକ୍ତି କରିଥିଲେ। ଜାତୀୟ ରାଜପଥରେ ଅନେକ ଟାଙ୍କିରେ ଏହି ସମାନ ଅବସ୍ଥା ଦେଖିବାକୁ ମିଳୁଥିବା ବେଳେ ଆପଣମାନଙ୍କୁ କେବଳ ଆମ ଟାଙ୍କି କାହିଁକି ଦିଶୁଛି ବୋଲି ପ୍ରଶ୍ନ କରିଥିଲେ। ତେବେ ଏ ବାବଦରେ ତେଲ ଟାଙ୍କି କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନ୍‌ର ଅାଶ୍ରୟ ନେବେ ବୋଲି ଶ୍ରୀ ‌ଜାନା କହିଛନ୍ତି। ପ୍ରଶାସନ ତରଫରୁ ଏହା ଉପରେ ତଦନ୍ତ କରାଯିବା ସହିତ ନିୟମିତ ବ୍ୟବଧାନରେ ପେଟ୍ରୋଲ, ଡିଜେଲ ପମ୍ପଗୁଡ଼ିକୁ ଯାଞ୍ଚ୍‌ କରାଯାଉନଥିବାରୁ ଲୋକମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର