ଦେବବ୍ରତ ଗଡ଼ତିଆ
ରାଉରକେଲା: ଗାଁ ଚାରିଆଡ଼େ ନଦୀ ଓ ଘଞ୍ଚ ଜଙ୍ଗଲ। ଗାଁକୁ ଯିବାକୁ ପାଦଚଲା ରାସ୍ତାଟିଏ ବି ନାହିଁ। ନଦୀ ପାରି ହେବାବେଳେ ଜୀବନ ବାଜି ଲାଗୁଛି। ନଈରେ ଭାସିଯାଇ ବହୁ ଗ୍ରାମବାସୀଙ୍କ ମୃତ୍ୟୁ ବି ହୋଇଛି। ରୋଗୀ, ପ୍ରସୂତି ଖଟିଆରେ ବୁହା ହେଉଛନ୍ତି। ବର୍ଷା ଦିନେ ପଞ୍ଚାୟତ କାର୍ଯ୍ୟାଳୟ ଆସିବାକୁ ଝାଡ଼ଖଣ୍ଡର ରାସ୍ତା ବ୍ୟବହାର କରିବାକୁ ପଡ଼ୁଛି। ସରକାରୀ ଯୋଜନା କହିଲେ କେବଳ ବିଜୁଳି ଓ ରାସନ ସାମଗ୍ରୀ ମିଳୁଛି। ଏଠାରେ ପ୍ରଧାନମନ୍ତ୍ରୀ ଆବାସ, ଶୌଚାଳୟ ଆଦି ଦିବାସ୍ବପ୍ନ ପାଲଟିଛି। ପ୍ରାଥମିକ ସ୍କୁଲଟିଏ ଥିଲା, କିନ୍ତୁ ଶିକ୍ଷକ ନ ଆସିବାରୁ ୮ ବର୍ଷ ହେଲା ବନ୍ଦ ପଡ଼ିଛି। ଏହା ହେଉଛି କୁଆରମୁଣ୍ଡା ବ୍ଳକ ମଝାପଡ଼ା ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଗାଁ ରଚାକନାର ସ୍ଥିତି।
ଖଣିଖାଦାନ, ଶିଳ୍ପ କାରଖାନାରେ ଭରା ସୁନ୍ଦରଗଡ଼ ଜିଲ୍ଲାରୁ ଆଦାୟ ହେଉଥିବା ରାଜସ୍ବ ରାଜ୍ୟ ରାଜକୋଷକୁ ସମୃଦ୍ଧ କରୁଛି। କିନ୍ତୁ ତଦନୁଯାୟୀ ଭାଗ ମିଳିବା ତ ଦୂରର କଥା, ସର୍ବନିମ୍ନ ସରକାରୀ ସୁବିଧାସୁଯୋଗ ବି ଏହି ଜିଲ୍ଲାର ବହୁ ଗ୍ରାମବାସୀ ପାଉ ନାହାନ୍ତି। ରଚାକନା ଏହାର ଏକ ଜ୍ବଳନ୍ତ ଉଦାହରଣ। ଏହି ଗାଁର ସ୍ଥିତିକୁ ଦେଖିଲେ ସରକାର ଯେ ସାଧାରଣ ଲୋକଙ୍କ ଠାରୁ କେତେ ଦୂରରେ, ତାହା ସହଜରେ ଅନୁମାନ କରିହେବ। ଜଙ୍ଗଲ ଓ ନଦୀନାଳ ପରିବେଷ୍ଟିତ ଏହି ରଚାକନା ଗାଁରେ ପାଖାପାଖି ଦେଢ଼ ଶହ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୪ ଶହ। ଗ୍ରାମ ପଞ୍ଚାୟତ ମୁଖ୍ୟାଳୟଠାରୁ ଏହି ଗାଁର ଦୂରତା ପ୍ରାୟ ୭ କିଲୋମିଟର। ଗାଁ ଲୋକେ ୨ କିଲୋମିଟର ଦୂରରେ ଥିବା ଦାଣ୍ଡପାଣି ଓ ତିନି କିଲୋମିଟର ଦୂରରେ ଥିବା ଯାଇକୁଦର ଦେଇ ଯିବାଆସିବା କରିଥାନ୍ତି। କିନ୍ତୁ ଏହି ଗାଁକୁ ପିଚୁ ରାସ୍ତା ତ ଦୂରର କଥା, ମୋରମ କିମ୍ବା ପାଦଚଳା ରାସ୍ତାଟିଏ ବି ନାହିଁ। ଲୋକେ ଜଙ୍ଗଲ, ବିଲ ମଝିରେ ଯିବାଆସିବା କରନ୍ତି। ଗାଁକୁ ଯିବାକୁ ହେଲେ ଛଡ଼ା ନଦୀ ପାରି ହେବାକୁ ପଡ଼ିଥାଏ। ଏଠାରେ ସେତୁଟିଏ ତିଆରି ହୋଇପାରିନି। ଫଳରେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ଚାରିଚକିଆ ଗାଡ଼ିଟେ ପହଞ୍ଚିପାରିନି। ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ଆବଶ୍ୟକ ପଡ଼ିଲେ ତାହା ଆସି ଦୁଇ କିଲୋମିଟର ଦୂର ଦାଣ୍ଡପାଣି ଗାଁରେ ଛିଡ଼ା ହୁଏ। କେବଳ ବର୍ଷା ଦିନେ ନୁହେଁ, ବର୍ଷସାରା ରୋଗୀଙ୍କୁ ପାଖ ଗାଁ ଦାଣ୍ଡପାଣି ଯାଏ ବୋହି ନେବାକୁ ପଡ଼େ। ଗୁରୁତର ରୋଗୀ ହୁଅନ୍ତୁ କି ପ୍ରସୂତି, ଗାଁ ଲୋକେ ଖଟିଆରେ ବୋହି ଆଣି ନଦୀ ପାରକରି ଆମ୍ବୁଲାନ୍ସ ପାଖରେ ପହଞ୍ଚାନ୍ତି। ଏହି ଗାଁକୁ କେବଳ ଦୁଇଚକିଆ ଯାନ (ମୋଟର୍ ସାଇକଲ୍) ହିଁ ଯାଇପାରେ। ହେଲେ ଗାଁରେ ପହଞ୍ଚିବାକୁ ହେଲେ ଏକାଧିକବାର ଓହ୍ଲାଇ, କେତେବେଳେ ଗଡ଼ାଇ ତ କେତେବେଳେ ଠେଲିଠେଲି ଗାଡ଼ି ନେବାକୁ ପଡ଼େ।
ଏହି ଗାଁରେ କେବଳ ରାସ୍ତା ପ୍ରମୁଖ ସମସ୍ୟା ନୁହେଁ, ବରଂ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଏଠାକାର ଲୋକ ଅଧିକାଂଶ ମୌଳିକ ସୁବିଧାରୁ ବଞ୍ଚିତ। ଗାଁରେ ବିଜୁଳି ଓ ମୋବାଇଲ ନେଟ୍ୱର୍କ ରହିଛି। ଲୋକେ ପଞ୍ଚାୟତରୁ ରାସନ ସାମଗ୍ରୀ ପାଉଛନ୍ତି। ଏହି ତିନି ସେବା ବ୍ୟତୀତ ଆଉ କୌଣସି ସୁବିଧା ପାଉନାହାନ୍ତି। ଏଠାରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ସମେତ ଅନ୍ୟାନ୍ୟ ଯୋଜନା ସାତସପନ ପାଲଟିଛି। ବିଡ଼ମ୍ବନା ଏହା ଯେ, ବର୍ଷାଦିନେ ରାସନ ସାମଗ୍ରୀ ଆଣିବାକୁ ପଡ଼ୋଶୀ ଝାଡ଼ଖଣ୍ଡ ଦେଇ ପଞ୍ଚାୟତ ମୁଖ୍ୟାଳୟକୁ ଯାଆନ୍ତି। ରାସ୍ତାଟିଏ ଯୋଗାଇବାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବାବେଳେ ପ୍ରାୟ ୨୫ କିଲୋମିଟର ବୁଲି ପଡ଼ୋଶୀ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲା ସୀମା ଦେଇ ଯାଆନ୍ତି। ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇବାକୁ ହିତାଧିକାରୀ ଝାଡ଼ଖଣ୍ଡକୁ ଯାଉଥିବା ଦେଖିବାକୁ ମିଳୁଛି। ଏହି ସବୁ ସମସ୍ୟା ଯୋଗୁଁ ଗାଁର କିଛି ପିଲା ବାହାରେ ରହି ପାଠ ପଢ଼ୁଛନ୍ତି ଓ ଅନ୍ୟମାନେ ପାଠ ପଢ଼ିପାରୁ ନାହାନ୍ତି। କ୍ଷୋଭର ସହ ଗ୍ରାମବାସୀ କହନ୍ତି, ନିର୍ବାଚନ ପରେ ନିର୍ବାଚନ ଆସୁଛି, ଗୋଟିଏ ପରେ ଗୋଟିଏ ସରକାର କ୍ଷମତାକୁ ଆସୁଛନ୍ତି।
ହେଲେ ସମସ୍ତେ ଆମସ୍ୟା ପ୍ରତି ଆଖିବୁଜି ଦେଇଛନ୍ତି। ନିର୍ବାଚନ ବେଳେ ନେତା ଆସି ଗଦାଗଦା ପ୍ରତିଶ୍ରୁତି ଦେଇ ଯାଉଛନ୍ତି,କିନ୍ତୁ ଭୋଟ ପରେ କାହାରି ଦେଖାଦର୍ଶନ ମିଳୁନାହିଁ। ଆଉ କେତେ ଅପେକ୍ଷା କରିବୁ? ଯଥାଶୀଘ୍ର ପୋଲ ନିର୍ମାଣ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଓଡ଼ିଶା ସରକାର ଦେଇଥିବା ରାସନ କାର୍ଡ, ଆଧାର କାର୍ଡ, ବିଜୁଳି ସେବାକୁ ଫେରାଇ ନେଇ ଆମକୁ ଝାଡ଼ଖଣ୍ଡରେ ମିଶିବାକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି।