ସମ୍ବଲପୁର: କୋଭିଡ୍‌ ପରେ ଚଳିତବର୍ଷ ପୁଣିଥରେ ସମ୍ବଲପୁରରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ପୁଣିଥରେ ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ ପର୍ଯ୍ୟନ୍ତ ବିଭିନ୍ନ କାରିଗରି ଦ୍ରବ୍ୟଗୁଡ଼ିକର ଷ୍ଟଲ୍‌ ଏକାଠି ବସିଛି। ସମ୍ବଲପୁର ଅଇଁଠାପାଲି ସ୍ଥିତ ପିଡବ୍ଲୁଡି ପଡ଼ିଆ ଠାରେ ଓର୍‌ମାସ୍‌ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। ଏହା ସହିତ ମେଳାରେ ପଡ଼ିଥିବା ଡିଡିୟୁ-ଜିକେଵାଇ ଏବଂ ହକି ବିଶ୍ବକପ୍‌ ଥିମ୍‌ ଷ୍ଟଲ୍‌କୁ ମଧ୍ୟ ସେ ଉଦ୍‌ଘାଟନ କରିଥିଲେ। ଏହି ମେଳା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସବୁଦିନ ସକାଳ ୧୦ ଟାରୁ ରାତି ୧୦ଟା ଯାଏ ମେଳା ଚାଲିବ।

Advertisment

ଚଳିତବର୍ଷ ୧୦ଟି ଖାଦ୍ୟ ଷ୍ଟଲ୍‌କୁ ମିଶାଇ ମୋଟ ଉପରେ ୧୮୦ଟି ଷ୍ଟଲ୍‌ ପଡ଼ିଥିବା ଓର୍‌ମାସ୍‌ ଡେପୁଟି ସିଇଓ ଶ୍ରୀମନ୍ତ ହୋତା କହିଛନ୍ତି। ଷ୍ଟଲ୍‌ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ହସ୍ତଶିଳ୍ପ, ହସ୍ତତନ୍ତ, ଜଙ୍ଗଲଜାତ ଦ୍ରବ୍ୟ ଆଦି ରହିଛି। ନୟାଗଡ଼ ଜିଲ୍ଲାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରୁ ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ ଷ୍ଟଲ୍‌ ମାନ ଏବର୍ଷ ଆସିଛି। ମେଳା ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନରେ ତନ୍ତ ପକାଯାଇ ବାନ୍ଧକଳା ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନୀ ପାଇଁ ୧୦ଟି ଷ୍ଟଲ୍‌ ଦିଆଯାଇଛି। କାଠ, ସକାଇ ଘାସ, କାଇଁଚ, ଧାନ, ବାଉଁସ ଆଦିରେ ତିଆରି ହୋଇଥିବା ବିଭିନ୍ନ ସାମଗ୍ରୀ ସହ ଟେରାକୋଟା, ସମ୍ବଲପୁରୀ ହସ୍ତତନ୍ତ, ଜଙ୍ଗଲଜାତ ଦ୍ରବ୍ୟ, ପନିପରିବା, ଛତୁ, ଧୂପକାଠି ଭଳି ବିଭିନ୍ନ ସାମଗ୍ରୀର ଷ୍ଟଲ୍‌ମାନ ପଡ଼ିଛି। ଏହା ସହିତ ବିଭିନ୍ନ ଫୁଡ୍‌ ଷ୍ଟଲ୍‌ରେ ଲୋକେ ନୂଆ ନୂଆ ପ୍ରକାରର ଖାଦ୍ୟର ମଜା ମଧ୍ୟ ନେଇପାରିବେ। ବୁଧବାର ଉଦ୍‌ଘାଟନୀ ଅବସରରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲ୍ଲୀପ ବଳ, ଉପ ଜିଲ୍ଲାପାଳ ପ୍ରଭାସ ଡନସେନା, ଡିପିଏମ୍‌ ଓଏଲ୍‌ଏମ୍‌ ପୁଷ୍ପଶ୍ରୀ ନାୟକ, ମିସନଶକ୍ତି ଡିପିସି ନିରଞ୍ଜନ ପଣ୍ଡା, ଡିଆର୍‌ଡିଏର ଇଞ୍ଜିନିୟର୍‌ ସୂର୍ଯ୍ୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।