ପଞ୍ଚାୟତ ୧୨ ଲକ୍ଷ ବକେୟା ବିଲ୍ ଦେଇନି, ତିନି ଗାଁ ଅନ୍ଧାରରେ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସଦରମହକୁମା ପାତ୍ରପୁର ପଞ୍ଚାୟତ ଅଧୀନ ମୁକୁନ୍ଦପୁର, ସରଦାପୁର ଓ ତମ୍ବାପୁର ଗ୍ରାମର ୧୨ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ପଡ଼ିଛି। ଫଳରେ ବିଦ୍ୟୁତ୍ ବିଭାଗ ଏହି ଗ୍ରାମଗୁଡ଼ିକୁ ସଂଯୋଗ ବିଚ୍ଛିନ୍ନ କରିଦେଇଛି। ଷ୍ଟ୍ରିଟ୍‌ ଲାଇଟ୍‌, ଗାଁରୁ ସଦର ମହକୁମା ମୁଖ୍ୟ ସଡ଼କ ପାର୍ଶ୍ବ ଲାଇଟ୍‌ ବିଚ୍ଛିନ୍ନ କରିଦିଆ ଯାଇଛି। ଫଳରେ ପ୍ରାୟ ୪ ଦିନ ହେଲା ଏହି ତିନି ଗାଁ ଅନ୍ଧାରରେ ରହିଛନ୍ତି। ପଞ୍ଚାୟତ ବିଲ୍ ପୈଠ କରୁ ନଥିବାରୁ ଜନସାଧାରଣ ବର୍ତ୍ତମାନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ପଞ୍ଚାୟତ ବିଭାଗର ଅବହେଳାକୁ ଗ୍ରାମବାସୀ ଦାୟୀ କରିଛନ୍ତି।

ଏହି ୩ ଗ୍ରାମର ଅର୍ଦ୍ଧାଧିକ ଲୋକ ଦିନମଜୁରିଆ ଭାବେ କାମ କରୁଥିବାରୁ ଆଖପାଖ ବିଭିନ୍ନ ଗ୍ରାମକୁ ଯାଇଥାନ୍ତି। କିନ୍ତୁ ବର୍ତ୍ତମାନ ଷ୍ଟ୍ରିଟ୍ ଲାଇଟ୍ ଲିଭିଯାଇଥିବାରୁ ସେମାନେ ଫେରିବା ସମୟର ଅନ୍ଧାରରେ ଅସୁରକ୍ଷିତ ମଣୁଛନ୍ତି। ସେହିପରି ତିନିଟି ଗ୍ରାମ ପାହାଡ଼ର ଖୁବ୍‌ ନିକଟରେ ଥିବାରୁ ହିଂସ୍ରଜନ୍ତୁ ଓ ବିଷଧର ସାପଙ୍କ ଭୟ ଘାରୁଛି। ଲୋକଙ୍କ ସୁରକ୍ଷାକୁ ନଜ‌ରରେ ରଖି ତୁରନ୍ତ ପଞ୍ଚାୟତ ପକ୍ଷରୁ ବିଲ୍ ପୈଠ ଦିଗରେ ପଦକ୍ଷେପ ନିଆଯାଉ। ନଚେତ୍ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ୧୨ ଲକ୍ଷ ଟଙ୍କାର ବିଲ୍ ପଞ୍ଚାୟତ ପକ୍ଷରୁ ଏଯାଏ ପୈଠ ‌ହୋଇ ନଥିବାରୁ ଷ୍ଟ୍ରିଟ୍ ଲାଇନ୍ କାଟିଦିଆ ଯାଇଥିବା ବିଦ୍ୟୁତ୍ ବିଭାଗ ପାତ୍ରପୁରର କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପାତ୍ରପୁର ପଞ୍ଚାୟତର କେବଳ ଏହି ୩ ଗାଁ ନୁହେଁ, ଅନ୍ୟ ଗ୍ରାମ ଗୁଡ଼ିକୁ ମିଶାଇ ୩୦ ଲକ୍ଷରୁ ଅଧିକ ଟଙ୍କା ବକେୟା ପଡ଼ିଛି। ଫଳରେ କେଉଁ ମୁହୂର୍ତ୍ତରେ ବି ଅନ୍ୟ ଗ୍ରାମ ଗୁଡ଼ିକର ଷ୍ଟ୍ରିଟ୍ ଲାଇଟ୍‌ରୁ ସଂଯୋଗ ବିଚ୍ଛିନ୍ନ କରାଯିବା ଆଶଙ୍କା ଦେଖାଦେଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର