ଯାଜପୁର/ପାଣିକୋଇଲି: ଦଶହରା ସମୟରେ କଟକ ଚୌଦ୍ବାର ସର୍କଲ୍‌ ଜେଲ୍‌ରୁ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ ମାରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଇ ଡକାୟତ ହେଲେ ବିହାର ଅଞ୍ଚଳର ରାଜା ସାହାଣୀ ଓ ମଧୁକାନ୍ତ କୁମାର। ଉଭୟ ସୁନାଗହଣା ଚୋରି ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲେ। ୯ ମାସ ତଳେ ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ଏକ ଅଳଙ୍କାର ଦୋକାନ ଲୁଟ୍ ଘଟଣାରେ ଦୁହେଁ ଧରାପଡ଼ିଥିଲେ। କଡ଼ା ସୁରକ୍ଷା ବଳୟରେ ଥିବାବେଳେ ସେମାନେ ଫେରାର୍‌ ହେବା ଘଟଣା ଜେଲ୍‌ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଜାନୁଆରି ମାସ ୪ ତାରିଖ ମଧ୍ୟାହ୍ନରେ ଯାଜପୁର ପାଣିକୋଇଲିସ୍ଥିତ ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍‌ ହୋଇଥିଲା। ଉକ୍ତ ଦୁଇ ବିହାରୀ ଯୁବକ ଏକ ଆପାଚି ବାଇକ୍‌ରେ ଆସି ପହଞ୍ଚିଥିଲେ। ଦୋକାନର କିଛି ଦୂରରେ ବାଇକ୍‌ ରଖି ଦୋକାନ ଭିତରକୁ ପଶିଥିଲେ। ଦୋକାନ ମାଲିକଙ୍କୁ ଖୋଜିବା ପରେ ହଠାତ୍‌ ବନ୍ଧୁକ ବାହାର କରି ସୁନାଗହଣା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। 

Advertisment

୯ ମାସ ବିତିଲାଣି, ଅନ୍ୟ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ

ଏତିକି ବେଳେ ଦୋକାନର ଜଣେ କର୍ମଚାରୀ ଚତୁରତାର ସହ ପାଣିକୋଇଲି ଥାନାକୁ ଖବର ଦେଇଥିଲେ। ହେଲେ ପୁଲିସ ପହଞ୍ଚିବାରେ ବିଳମ୍ବ ହେବା ଦେଖି ଦୋକାନର କର୍ମଚାରୀମାନେ ସାହସ ଜୁଟାଇ ଦୁହିଁଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। କର୍ମଚାରୀ ସୁନୀଲ ରାୟ ଓ ବିଦ୍ୟୁତ୍‌ ବିଭାଗର ଡ୍ରାଇଭର ନୀଳମାଧବ ପଣ୍ଡା ସେମାନଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ଦୋକାନର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଲହୁଲୁହାଣ ହୋଇଥିଲେ। ୨ ଲୁଟେରା ବନ୍ଧୁକ ଦେଖାଇ ବାଇକ୍‌ରେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଏକ କାର୍‌ ସେମାନଙ୍କୁ ପିଛା କରିବାରୁ ଦୁହେଁ କାର୍‌ ଉପରକୁ ମଧ୍ୟ ଆଖିବୁଜା ଗୁଳିମାଡ଼ କରିଥିଲେ। କାର୍‌ଟି ବାଇକଟିକୁ ଧକ୍କା ଦେବାରୁ ଦୁହେଁ ଦୌଡ଼ି ପଳାଇଯିବାକୁ ଚେଷ୍ଟା କରିଥିଲେ। ପ‌‌ରେ ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଥିଲେ। ଏହି ଛାତିଥରା ଘଟଣା ସମ୍ପର୍କରେ ଅଳଙ୍କାର ଦୋକାନରୁ ମାତ୍ର ୫୦୦ ମିଟର ଦୂର ପାଣିକୋଇଲି ଥାନାକୁ ତତ୍‌କ୍ଷଣାତ ଖବର ଦିଆଯାଇଥି‌ଲେ ସୁଦ୍ଧା ପୁଲିସ ୧ ଘଣ୍ଟା ପରେ ଆସି ପହଞ୍ଚିଥିଲା। ସ୍ଥାନୀୟ ଲୋକେ ଏହି ଘଟଣାରେ ପୁଲିସକୁ ଦାୟୀ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ସମ୍ପୃକ୍ତ ଦୁଇ ଲୁଟେରାଙ୍କ ସହିତ ଆଉ ଜଣେ ବିହାରୀ ଯୁବକକୁ ମଧ୍ୟ ଗିରଫ କରିଥିଲା।

ଏହି ଘଟଣାରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ସାମିଲ ଥିବା ସୁରାକ ମିଳିଥିଲା। ସମ୍ପୃକ୍ତ ଗ୍ୟାଙ୍ଗ୍‌ର କିଛି ଯୁବକ ଯାଜପୁରରୋଡ୍‌ରେ ଆସି ରହିଥିବାବେଳେ ବିଭିନ୍ନ ସ୍ଥାନରେ ଅଳଙ୍କାର ଦୋକାନକୁ ଟାର୍ଗେଟ୍‌ କରିଥିବା ଜଣାପଡ଼ିଥିଲା। ଦୁଇ ଅପରାଧୀଙ୍କୁ ଜେଲ୍‌ ହାଜତକୁ ପଠାଇ ପୁଲିସ ଚୁପ୍‌ ବସିଗଲା। ପରବର୍ତ୍ତୀ ସମୟରେ ଅନ୍ୟ ଲୁଟେରାମାନଙ୍କୁ ଧରିବାରେ ମଧ୍ୟ ପୁଲିସ ସଫଳ ହୋଇପାରି ନଥିଲା। ପୁଲିସର ଏଭଳି ନିଷ୍କ୍ରିୟତା ଭିତରେ ଜେଲ୍‌ରୁ ଦୁଇ ଡକାୟତ ଫିଲ୍ମ ଷ୍ଟାଇଲରେ ଫେରାର ହୋଇଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ଚୌଦ୍ୱାର ସର୍କଲ୍‌ ଜେଲ୍ ରାଜ୍ୟର ସବୁଠୁ ବଡ଼ ଜେଲ୍। ଅନ୍ୟ ଜେଲ୍‌ ତୁଳନାରେ ଏହାର ପାଚେରି ମଧ୍ୟ ବହୁତ ଉଚ୍ଚ। ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଅନ୍ୟ ଜିଲ୍ଲାରୁ ଅଣାଯାଇ ଏଠାରେ ରଖାଯାଇଥାଏ। ଏହା ସତ୍ତ୍ବେ ସେମାନେ ଫେରାର ହୋଇଯିବା ବିସ୍ମୟ ସୃଷ୍ଟି କରିଛି।