ରାଉରକେଲା: ପରିବାର ପ୍ରତିପୋଷଣ ପାଇଁ କଲିକତାରେ ଘରୋଇ ସଂସ୍ଥାରେ ଚାକିରୀ କରୁଥିବା ରାଉରକେଲା ସାରନଗରୀର ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ସାରନଗରୀ ନବକୃଷ୍ଣନଗରର ବିଜୟ ଭୋଳଙ୍କ ପୁଅ ଅନନ୍ତ ନାରାୟଣ ଭୋଳ (୪୨)। ପରିବାର ବର୍ଗଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଶବ ସଂସ୍କାର କରି ଦେଇଛନ୍ତି କଲିକତାର ମହାନଗର ନିଗମ। କୋଭିଡ୍ ନିୟମ ଅନୁଯାୟୀ ପରିବାର ବର୍ଗଙ୍କୁ ଶବ ନିକଟକୁ ଆସିବାକୁ ଅନୁମତି ମିଳିଲା ନାହିଁ ବୋଲି ପିତା ବିଜୟ କହିଛନ୍ତି। ଗତ ମଙ୍ଗଳବାର ପୁଅର ମୃତ୍ୟୁଖବର ପହଞ୍ଚିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ସମ୍ପୂର୍ଣ୍ଣ ପରିବାର। ଆଜି ମୃତ ଅନନ୍ତଙ୍କର ଚାରି ବର୍ଷ ପୁଅର ଜନ୍ମ ଦିନ ସମ୍ପୂର୍ଣ୍ଣ ଦୁଃଖରେ ଡୁବିଛି। ପତ୍ନୀ, ମା’ ଓ ବାପା ସମସ୍ତେ ଆଖିରୁ ଲୁହ ଗଡାଉଛନ୍ତି। ଏଭଳି ଦୁଃଖଦ ଖବରକୁ ନେଇ ସମଗ୍ର ସାରନଗରୀରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ମୁତାବକ, ସାରନଗରୀ ନବକୃଷ୍ଣନଗରରେ ବିଜୟ ଭୋଳ ପରିବାର ସହ ରହନ୍ତି। ତାଙ୍କ ପୁଅ ଅନନ୍ତ କଲିକତାର ଏକ ଘରୋଇ କମ୍ପାନୀର ଚାକିରୀ କରୁଥିଲେ। ପତ୍ନୀ ଓ ଚାରି ବର୍ଷର ପୁଅ ସାରନଗରୀର ବାପା-ମା’ଙ୍କ ନିକଟରେ ରହୁଥିଲେ। ଗତ ମାର୍ଚ୍ଚ ମାସ ଲକ୍ଡାଉନ୍ ପରେ ଘରୁ ନ ଆସି କଲିକତାରେ ରହୁଥିଲେ। ଗତ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ତାଙ୍କୁ ଥଣ୍ଡା ଜ୍ବର ହୋଇଥିଲା। ଜ୍ବର ଭଲ ନ ହେବାରୁ ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇଥିଲେ। ପିତା ବିଜୟ ଅନନ୍ତଙ୍କୁ କଲିକତାର ଅଭିଜ୍ଞ ଡାକ୍ତରଙ୍କୁ ଦେଖାବାକୁ କହିଥିଲେ। ଡାକ୍ତର ପରାମର୍ଶ କ୍ରମେ ସେ କୋଭିଡ୍ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ସେ କଲିକତାର ରବିନ୍ଦ୍ର ନାଥ ଟାଗୋର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ସକାଳେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ସ୍ଥାନୀୟ ପୁଲିସ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପତ୍ନୀ କଲିକତା ଯିବାକୁ ଜିଦ୍ ଧରିଥିଲେ। ମାତ୍ର କୋଭିଡ୍ କଟକଣା ନିୟମ ବାଧକ ସାଜିଥିଲା। ମହାନଗର ନିଗମ ଅଧିକାରୀ ଶବ ନିକଟକୁ ଆସିବାକୁ ବାରଣ କରିଥିଲେ। ଶେଷରେ ପରିବାର ଲୋକଙ୍କ ଅନୁମତି ଅନୁଯାୟୀ ପ୍ରଶାସନ ପକ୍ଷରୁ ସେଠାରେ ଅନନ୍ତଙ୍କ ଶବ ସଂସ୍କାର କରି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fshsfh4fh54fh56fh654fs65hfshsffhsfhhfhfhfhhfh.jpg)