ସମ୍ବଲପୁର: ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତି କାରଣରୁ ପିତାମାତା ବହୁ ବର୍ଷ ହେଲା ଜେଲ୍ରେ ଥିବା ବେଳେ ଅଜାଆଈଙ୍କ ଆଶ୍ରାରେ ଥିଲେ ଦୁଇ ପିଲା। କିଛି ମାସ ତଳେ ଅଜା ବି ବାର୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିଲେ। ଏହାପରେ ବୃଦ୍ଧା ଆଈ ଦୁଇ ପିଲାଙ୍କ ଯତ୍ନ ନେବାରେ ସକ୍ଷମ ନଥିଲେ। ପିଲା ଦ୍ବୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉ ଥିଲେ। ଗ୍ରାମବାସୀ, ଅଙ୍ଗନବାଡ଼ି କର୍ମୀ, ସ୍ଥାନୀୟ ସମାଜସେବୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉଦ୍ୟମ କ୍ରମେ ଶୁକ୍ରବାର ପିଲା ଦ୍ବୟଙ୍କୁ ଉଦ୍ଧାର କରି ବାଳାଶ୍ରମରେ ଥଇଥାନ କରାଯାଇଛି।
ଯୁଯୁମୁରା ବ୍ଲକ୍ ମେଘପାଲ ପଞ୍ଚାୟତ ଟାମ୍ପରସିଂହା ଗାଁର ଶୂନ୍ୟବାସୀ ନେଗୀ ଏବଂ ଶାନ୍ତି ନେଗୀଙ୍କ ପୁଅ ରାଜୁ (୧୨) ଓ ଝିଅ ପିଙ୍କି (୯)। ବାପା, ମାଆ ଜେଲ୍ରେ ଥିବାରୁ ଛୋଟବେଳୁ ପିଲା ଦ୍ବୟ ଅଜାଆଇଙ୍କ ପାଖରେ ରହୁଥିଲେ। ତେବେ ଅଜାଙ୍କ ମୃତ୍ୟୁ ପରେ ଉଭୟଙ୍କ ଅବସ୍ଥା ଦୟନୀୟ ହୋଇ ପଡ଼ିଥିଲା। ଆଇନ୍ ନୂଆଦେଇ ବୟସାଧିକ କାରଣରୁ ପିଲାଦ୍ବୟଙ୍କ ଯତ୍ନ ନେବାରେ ଅକ୍ଷମ ଥିଲେ। ରାଜୁ ଓ ପିଙ୍କି ଠିକ୍ରେ ଖାଇବାକୁ ଗଣ୍ଡେ କି ପିନ୍ଧିବାକୁ ଖଣ୍ଡେ ପାଉ ନଥିଲେ। ଏ ସଂପର୍କରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମବାସୀ ମେଘାପାଲର ସମାଜସେବୀ ପଙ୍କଜିନି ବିଶ୍ବାଳଙ୍କୁ ଜଣାଇଥିଲେ। ପଙ୍କଜିନି ପିଲା ଦ୍ବୟଙ୍କ ଉପଯୁକ୍ତ ଥଇଥାନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଥିଲେ।
ଶୁକ୍ରବାର ଡିସିପିଓ ସୁଚିସ୍ମିତା ପଟ୍ଟନାୟକ ଦୁଇ ଜଣ କର୍ମଚାରୀଙ୍କୁ ପଠାଇଥିଲେ। ସେମାନେ ପଙ୍କଜିନିଙ୍କ ସହ ଟାମ୍ପରସିଂହା ଯାଇ ପିଲା ଦ୍ବୟ ଓ ତାଙ୍କ ଆଈଙ୍କୁ ନେଇ ସମ୍ବଲପୁର ଆସିଥିଲେ। ଏଠାରେ ପିଲାଦ୍ବୟଙ୍କୁ ମଣ୍ଡଳ ଜେଲ୍ରେ ଥିବା ପିତା ଶୂନ୍ୟବାସୀଙ୍କ ସହ ଭେଟ କରାଇଥିଲେ। ପିତାଙ୍କ ଅନୁମତି କ୍ରମେ ଡିସିପିଓ କାର୍ଯ୍ୟାଳୟରେ ଔପଚାରିକ କାଗଜପତ୍ର କରାଯିବା ପରେ ପିଲାଦ୍ବୟଙ୍କୁ ନେଇ ଫୁଲଝରନସ୍ଥିତ ବାଳାଶ୍ରମରେ ଛଡ଼ା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/40-2.jpg)