ବାଲେଶ୍ବର: ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ର ପଞ୍ଚମ ସଂସ୍କରଣ ଆୟୋଜନ ହେଉଛି। ଯେଉଁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଦୂର ନେଇ ବିଭିନ୍ନ କୌଶଳ ବାବଦରେ ଆଲୋଚନା କରିବେ। ଏହା ସହିତ ପରୀକ୍ଷାରେ କିପରି ଭଲ ଫଳାଫଳ ହୋଇପାରିବ, ସେନେଇ ପରାମର୍ଶ ଦେବେ। ଏପ୍ରିଲ୍ ୧ ତାରିଖ ସକାଳ ୧୧ଟାରେ ନୂଆଦିଲ୍ଲୀ ସ୍ଥିତ ତାଳକଟୋରା ଷ୍ଟାଡିୟମ୍ର ଟାଉନ୍ହଲ୍ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ ସ୍ଥିର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ପ୍ରତିଯୋଗିତା ଆଧାରରେ ବଛା ଯାଇଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାବବିନିମୟ କରିବା ସହ ବିଭିନ୍ନ ପ୍ରଶ୍ନ ପଚାରିବେ। ଏହା ସହିତ ଭାରତ ତଥା ଭାରତ ବାହାରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ମଧ୍ୟ ଅନ୍ଲାଇନ୍ ମୋଡ୍ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟର ବଛାବଛା ଛାତ୍ରଛାତ୍ରୀମାନେ ରାଜଭବନ ପରିଦର୍ଶନ କରିବା ସହ ମହାମହିମ ରାଜ୍ୟପାଳଙ୍କ ସହ ବସି କାର୍ଯ୍ୟକ୍ରମ ଦେଖିବେ ଓ ଶୁଣିବେ।
ଏହି ନିଆରା କାର୍ଯ୍ୟକ୍ରମ ଟେଲିଭିଜନ୍, ରେଡିଓ, ସରକାରୀ ଡିଜିଟାଲ୍ ପ୍ଲାଟ୍ଫର୍ମ ତଥା ୟୁଟ୍ୟୁବ୍ରେ ସିଧାପ୍ରସାରଣ ହେବ। ଯାହାକୁ ଦେଶର କୋଟି କୋଟି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଦେଖିବା ଓ ଶୁଣିବା ନେଇ ବ୍ୟବସ୍ଥା ହୋଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ବାଲେଶ୍ବରରେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ କାର୍ଯ୍ୟକ୍ରମ ସହ ଯୋଡ଼ିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।