ସ୍ମାର୍ଟ ସିଟିର ପାର୍କିଂ ସ୍ଥଳ ଏବେ ଠେଲାବାଲାଙ୍କ ଫୁଡ୍‌ କୋର୍ଟ

ରାଉରକେଲା: ଟ୍ରାଫିକ୍‌ ସମସ୍ୟା ଏଡାଇବାକୁ ଦେଢ଼ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଲା ପାର୍କିଂ ସ୍ଥଳ। ତାହା ପୁଣି ପ୍ରମୁଖ ମାର୍କେଟ ଠାରୁ ଅଧ କିଲୋମିଟର ଦୂର ଓରାମପଡା ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସମ୍ମୁଖରେ। ସବୁ କିଛି ବ୍ୟବସ୍ଥା ହେଲା। ଠିକା ସଂସ୍ଥା କାମ ସାରି ବିଲ୍‌ ନେଇ ଚାଲିଗଲେ। ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ସେମିତି ପଡ଼ି ରହିଲା। କାମରେ ଆସିଲାନି। ତାଲା ଝୁଲିଲା। ସ୍ମାର୍ଟସିଟି ପାଣ୍ଠିର ଏଭଳି ଅପବ୍ୟୟ ସଂକ୍ରାନ୍ତୀୟ  ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଲା।

ତରବରିଆ ଭାବେ ଖୋଲିଦେଲେ। ଯେଉଁଠି ଏବେ ଦୁଇ, ତିନି ଓ ଚାରି ଚକିଆ ଯାନ ପାର୍କିଂ ହେଉ ନାହିଁ। ବରଂ ତାହା ଏବେ ପାଲଟିଛି ଯାଇଛି ଠେଲାବାଲାଙ୍କ ଫୁଡ୍‌ କୋର୍ଟ। ରାସ୍ତା ପାର୍ଶ୍ବରୁ ଯେତିକି ଠେଲା‌ବାଲାଙ୍କୁ ହଟାଇ ଏଠିକୁ ପଠାଯାଇଛି। ତା’ଠାରୁ ୪/୫ ଗୁଣା ବାହାର ଲୋକ ଠେଲା ଖଣ୍ଡିଏ ଲେଖାଏଁ ପକାଇ ଜାଗା ମାଡ଼ି ବସିଛନ୍ତି। ଆର୍‌ଏମ୍‌ସି ବିଭାଗର କିଛି କରିତକର୍ମା କର୍ମଚାରୀ ଏମାନଙ୍କୁ ହଟାଇବା ପରିବର୍ତ୍ତେ ଓଲଟା ପ୍ରୋତ୍ସାହନ ଦେଉଛନ୍ତି। ସେପଟେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆଲୋକୀକରଣ ଓ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ହେଲେ ଲାଇଟ୍‌ ଜଳୁନି କି ପାଣି ଆସୁନି। ସଂଧ୍ୟା ହେଲେ ଅନ୍ଧାରର ରାଜୁତି। ତେବେ କୋଟି କୋଟି ଟଙ୍କା ସ୍ମାର୍ଟସିଟିର ପାଣ୍ଠି ବ୍ୟୟ କରିବା ପୂର୍ବରୁ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଜାଣି ପାରିଲେନି କେମିତି ? ଠିକାସଂସ୍ଥାକୁ ପ୍ରୋତ୍ସାହନ ଓ ବର୍ଷ ବର୍ଷ ଧରି ଖର୍ଚ୍ଚ ନ ହୋଇପାରି ପଡ଼ି ରହିଥିବା ଅର୍ଥକୁ ସାରିବାକୁ ଏଭଳି ଯୋଜନା ନୁହେଁ ତ ? ଏମିତି ଅନେକ ପ୍ରଶ୍ନ ସହରବାସୀଙ୍କ ମଧ୍ୟରେ ଉଠିବା ସ୍ବାଭାବିକ।

ପାର୍କିଂସ୍ଥଳ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)କୁ ହସ୍ତାନ୍ତର କରିବାକୁ ସ୍ମାର୍ଟସିଟି ଓ ଆର୍‌ଏମ୍‌ସି ମଧ୍ୟରେ ଥରେ ନୁହେଁ ତିନି ତିନି ଥର ବୈଠକ ବସିଛି। କିନ୍ତୁ ଫଳ ଶୂନ। ସେପଟେ ଯେଉଁ ସ୍ଥାନରେ ପାର୍କିଂ ସ୍ଥଳ ନିର୍ମାଣ ହୋଇଛି, ତା’ ସହରର ପ୍ରମୁଖ ବଜାରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି। ଏତେ ଦୂରରେ ଯାନବାହନ ପାର୍କିଂ କରି ଚାଲି ଚାଲି ବଜାରକୁ ସହରବାସୀ ଆସିବେ, ତାହା ଆଶା କରିବା କଷ୍ଟକର।  ସ୍ମାର୍ଟସିଟିରେ ଏବେ ଟ୍ରାଫିକ୍‌ ବ୍ୟବସ୍ଥା ସହର ବଡ  ସମସ୍ୟା ଭାବେ ଉଭା ହୋଇଛି। ସହରବାସୀଙ୍କ ଚିନ୍ତା ବଢ଼ାଇଛି। ଗାଡ଼ି ରଖିବାକୁ ପାର୍କିଂ ସ୍ଥଳଟିଏ ନଥିବାରୁ ଯିଏ ଯେଉଁଠି ମାରୁଛି ମନଇଚ୍ଛା ଗାଡ଼ିଗୁଡ଼ିକୁ ପାର୍କିଂ କରୁଛନ୍ତି। ଫଳରେ ଅଧିକାଂଶ ସମୟରେ ଘଣ୍ଟା ଘଣ୍ଟା ରାସ୍ତା ଜାମ ରହୁଛି।

ଟ୍ରାଫିକ ପୁଲିସକୁ ନିୟନ୍ତ୍ରଣ କରିବାକୁ ନାକେ ଦମ୍‌ ହେବାକୁ ପଡୁଛି। ଗତ ଦୁଇ ବର୍ଷ ତଳେ ଗାଡ଼ି ପାର୍କିଂ ପାଇଁ ସହରର କୋଏଲନଗର, ଉଦିତନଗର, ରାଉରକେଲା ମୁଖ୍ୟ ମାର୍ଗ, ସିଭିଲଟାଉନସିପ୍‌ ଏମିତି ୬ଟି ସ୍ଥାନ ଚିହ୍ନଟ କରାଯାଇଥିଲା। ପିପି ମୋଡ଼ରେ ପାର୍କିଂସ୍ଥଳ ନିର୍ମାଣ ପାଇଁ ୨ଥର ଆର୍‌ଏମ୍‌ସି ପକ୍ଷରୁ ଟେଣ୍ଡର କରାଯାଇଥିଲା।

ଦେୟଯୁକ୍ତ ପାର୍କିଂ ସ୍ଥଳ ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ଟେଣ୍ଡର ପ୍ରକ୍ରିୟାରେ କେହି ଅଂଶଗ୍ରହଣ କରି ନଥିଲେ। ଶେଷରେ ଟେଣ୍ଡର ବାତିଲ ହୋଇଥିଲା। ଏବେ ସହରର ତିନିଟି ସ୍ଥାନରେ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ, ସିଭିଲଟାଉନସିପ୍‌ ଶନି ମନ୍ଦିର ସହ ଓରାମପଡ଼ା ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ନିକଟରେ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଲୋକେ କିନ୍ତୁ ଏବେ ବି ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ପାର୍କିଂସ୍ଥଳକୁ ବ୍ୟବହାର କରୁଛନ୍ତି। ହେଲେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଓରାମପଡ଼ା ବିଏସ୍‌ଏନ୍‌ଏଲ୍‌ ସମ୍ମୁଖ ପାର୍କିଂ ସ୍ଥଳ ଯାନବାହନ ପାର୍କିଂ ପାଇଁ ନୁହେଁ ବରଂ ଠିକାସଂସ୍ଥାକୁ ପୋଷିବାକୁ କରାଯାଇଥିଲା ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର