ଭୁବନେଶ୍ବର: ମୁଁ ଲୋକସଭା ନିର୍ବାଚନ ଲଢ଼ିଛି। କିନ୍ତୁ ମୁଁ ନିଶ୍ଚିତ ଯେ ଏଥର ବିଜେପି ସ୍ପଷ୍ଟ ବହୁମତ ସହ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ବିଜେପି ସରକାରରେ ଜଣେ ଓଡ଼ିଆ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ କିଏ ହେବେ ସେନେଇ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ। ମୁଁ ଦଳର ଜଣେ ସାଧାରଣ କର୍ମକର୍ତ୍ତା, ଦଳରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି, କିଏ ବି ହୋଇପାରିବେ।

Advertisment

ଆଜି ଏଏନ୍‌ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କ ପ୍ରଶ୍ନ ‘ମୁଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସହ କଥା ହେଉଛି କି?’ର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମିତି ମତ ରଖିଛନ୍ତି। ଏହି ସାକ୍ଷାତକାର ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ୨୦୧୪ରେ ଆମେ ଓଡ଼ିଶାରେ ତିନି ନମ୍ବର ସ୍ଥାନରେ ଥିଲୁ। ୨୦୧୯ରେ ଦୁଇ ନମ୍ବରକୁ ଆସିଲୁ। ଏଥର ଆମେ ୨୧ରୁ ୨୧ ଲୋକସଭା ଆସନ ଜିତିବୁ। ବହୁମତ ସହ ଏଠାରେ ସରକାର ଗଠନ କରିବୁ। ବିକାଶ ଓ ଅସ୍ମିତା ପ୍ରସଙ୍ଗ ଲୋକଙ୍କ ମନରେ ଛାଇ ଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସରକାର ବଦଳାଇବାକୁ ଅପିଲ୍ କରିଛନ୍ତି, ଆଉ ଲୋକେ ବି ସ୍ଥିର କରି ସାରିଛନ୍ତି ଯେ ଏଥର ବିଜେପି ସରକାର ହେବ। ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ପଟ୍ଟନାୟକ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି। ପିଏମ୍‌ ଶ୍ରୀ, ପିଏମ୍‌ ଉଷା ଯୋଜନା ମଧ୍ୟ ଲାଗୁ କରୁନାହାନ୍ତି। ମୋଦୀଙ୍କ ନାଁ ଆସିଲେ ତାକୁ ଲାଗୁ ନକରିବା ତାଙ୍କର ଏକ ରଣନୀତି। ତାଙ୍କୁ ମୋଦୀ ଫୋବିଆ ହୋଇଛି।
ଏହି ସାକ୍ଷାତକାରରେ କଂଗ୍ରେସକୁ ଟାର୍ଗେଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟରେ ଅଛି।

ଓଡ଼ିଶାରେ କଂଗ୍ରେସର ସବୁ ଟିକେଟ ନବୀନ ବାଣ୍ଟିଛନ୍ତି। ଯେଉଁଠି ଯାହାକୁ ଇଚ୍ଛା ହେଲା, ସେଠି ଟିକେଟ ଦେଇଛନ୍ତି। ବିଜେଡିର କହିବା ଅନୁସାରେ କଂଗ୍ରେସ ବାରମ୍ବାର ପ୍ରାର୍ଥୀ ବଦଳାଇଛି। ବିଜେପିକୁ ରାହୁଲ ଗାନ୍ଧୀଙ୍କ କଟାକ୍ଷ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ ରାହୁଲଙ୍କୁ ମୋଦୀ ଫୋବିଆ ହୋଇଯାଇଛି। ସେ କ’ଣ କହୁଛନ୍ତି ତାଙ୍କୁ ଜଣାନାହିଁ। ଏବେ ତାଙ୍କ ସ୍କ୍ରିପ୍ଟ ବଦଳିଯାଇଛି।