ଯାଜପୁର/ବ୍ୟାସନଗର: ଏକଦା ବିଜେଡିର ଗଡ଼ ଥିବା ଯାଜପୁର ଜିଲ୍ଲାରେ ଦଳର ସଂଗଠନ ଓ ଶୃଙ୍ଖଳା ମଜଭୁତ ଥିଲା। ଦଳ ବିରୋଧୀ କାର୍ଯ୍ୟର ପ୍ରମାଣ ମିଳିଲେ ତୁରନ୍ତ ନିଲମ୍ବନ କରାଯାଉଥିଲା। ଏବେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଲାଣି। ସରକାର ପରିବର୍ତ୍ତନ ପରେ ବିଜେଡି ମଙ୍ଗୁଆଳ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଜିଲ୍ଲାରେ ଦଳର ବଳ ଦୁର୍ବଳ ହେଉଛି। ଦଳରେ ସେ ପ୍ରକାର କଡ଼ା ଆଭିମୁଖ୍ୟ ଆଉ ଦେଖିବାକୁ ମିଳୁନାହିଁ। ବ୍ୟାସନଗର ପୌର ପରିଷଦର ୪ଜଣ ବିଜେଡି କାଉନ୍ସିଲର ଏବେ ଖୋଲାଖୋଲି ବିଜେପି ସହିତ ରହିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ସହିତ ମଞ୍ଚରେ ଦେଖିବାକୁ ମିଳୁଛନ୍ତି। ବିଜେଡି ଦଳର ଶୃଙ୍ଖଳାକୁ ଦଳିମକଚି ବିଜେଡି କାଉନ୍ସିଲରମାନେ ଆଣିଥିବା ଅନସ୍ଥା ଭୋଟରୁ ଦୂରେଇ ରହିଛନ୍ତି। ହେଲେ ସେମାନଙ୍କୁ ନିଲମ୍ବନ କରିବାକୁ ଦଳ ଏଯାଏଁ ସାହସ ଜୁଟାଇ ପାରୁନାହିଁ। ବବିଙ୍କ ଜିଲ୍ଲାରେ ଦଳ କ’ଣ ଏବେ ଅସହାୟ କି ବୋଲି ପ୍ରଶ୍ନ ଉଠିଛି।
ଦଳ ବିରୋଧୀ କାଉନ୍ସିଲରଙ୍କୁ କରିପାରୁନି ନିଲମ୍ବନ
ବିଜେପି ସହିତ ଅଛନ୍ତି ୪ ବିଜେଡି କାଉନ୍ସିଲର
ବ୍ୟାସନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ଆକ୍ଷେପ କରିବା ସହ ଦୋଷ ଲଦାଲଦି ହେଉଛନ୍ତି। ବ୍ୟାସନଗର ପୌର ପରିଷଦର ୱାର୍ଡ ନଂ ୯ର କାଉନ୍ସିଲର ମଣିନ୍ଦ୍ର କୁମାର ସାହୁ, ୱାର୍ଡ ନମ୍ବର ୭ର ଟୁନିଆ ନାୟକ, ୱାର୍ଡ ନଂ ୨୦ର ସରୋଜିନୀ ସେଠୀ ଓ ୱାର୍ଡ ନମ୍ବର ୨୪ର ଅଶୋକ କୁମାର ରାଉତ ବିଜେଡି ଟିକଟ ପାଇ ନିର୍ବାଚନ ଜିତିଥିଲେ। ଏହି ୪ଜଣ କାଉନ୍ସିଲର ଏବେ ବିଜେଡି ସହିତ ନାହାନ୍ତି। ସେମାନେ ଏବେ କୋରେଇ ବିଧାୟକଙ୍କ ସହିତ ରହିଛନ୍ତି। ବିଧାୟକଙ୍କ ସହିତ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଗତ କିଛି ମାସ ତଳେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଏମାନେ ଦସ୍ତଖତ କରିଥିଲେ। ମାତ୍ର ଅନାସ୍ଥା ଦିନ ଏହି ୪ ଜଣ କାଉନ୍ସିଲର ଭୋଟ୍ ଦେବାକୁ ଆସିନଥିଲେ। ବିଜେଡିର ଅନୁଶାସନ ବା ହୁଇପ୍କୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଏତେ ସବୁ ପରେ ମଧ୍ୟ ବିଜେଡି ଏହି ୪ଜଣ କାଉନ୍ସିଲରଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅସହାୟତା ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଗତ ପୌର ନିର୍ବାଚନରେ ବ୍ୟାସନଗରରେ ବିଜେଡିରୁ ୧୪, କଂଗ୍ରେସ ୫, ବିଜେପିରୁ ୩ ଓ ସ୍ବାଧୀନ ଭାବେ ୫ଜଣ କାଉନ୍ସିଲର ବିଜୟୀ ହୋଇଥିଲେ। ବିଜେଡି ସହିତ ୪ଜଣ ସ୍ବାଧୀନ କାଉନ୍ସିଲର ମିଶିଥିଲେ। ଏଠାରେ ବିଜେଡି ପରିଷଦ ମଧ୍ୟ ଗଠନ କରିଥିଲା। ଗତ ସାଧାରଣ ନିର୍ବାଚନ ବେଳେ ବିଜେପିର ୩ଜଣ କାଉନ୍ସିଲରଙ୍କ ମଧ୍ୟରୁ ୧୩ ନଂ ୱାର୍ଡର ବୁଦୁନି ଦରାଇ ଓ ୨ନଂ ୱାର୍ଡର କୁନି ହାଁସଦା ବିଜେଡି ସହିତ ମିଶିଥିଲେ। କେବଳ ୧୦ ନଂ ୱାର୍ଡର ରଶ୍ମିତା ରାଉତ ବିଜେପିରେ ରହିଥିଲେ। ଏବେ ବିଜେପି ସରକାରକୁ ଆସିବା ପରେ ବିଜେଡିର ୪ ଜଣ କାଉନ୍ସିଲର ବିଜେପି ସହିତ ଥିବାବେଳେ କଂଗ୍ରେସ କାଉନ୍ସିଲର ଭରତ ଓଝା ବିଜେପିକୁ ସମର୍ଥନ ଦେଉଛନ୍ତି। ଏବେ ବିଜେପି ସହିତ ୬ଜଣ କାଉନ୍ସିଲର ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/11/gdjgdjdgjcnbcnbnc-2025-07-11-01-52-24.jpg)