+୨ କଳାରେ ବି ପାସ୍ ହାର କମିଲା; କଳାରେ ବାଲେଶ୍ବର, ଧନ୍ଦାମୂଳକରେ କନ୍ଧମାଳ ଶୀର୍ଷରେ

୪୮ ହଜାର ପରୀକ୍ଷାର୍ଥୀ ଫେଲ୍, ୯୦% ନମ୍ବର ଛୁଇଁ ପାରିଲେନି ଧନ୍ଦାମୂଳକ ଛାତ୍ରଛାତ୍ରୀ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟ ପରି ଏହି ଦୁଇ ବିଭାଗରେ ମଧ୍ୟ ପାସ୍‌ହାର କମିଛି। କଳାରେ ୭୮.୮୮% ଓ ଧନ୍ଦାମୂଳକରେ ୬୭.୪୮% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କଳା ବିଭାଗରେ ୨୪ଜଣ ପରୀକ୍ଷାର୍ଥୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ବେଳେ ଧନ୍ଦାମୂଳକ ବିଭାଗରେ କେହି ବି ଜଣେ ୯୦%ରେ ପହଞ୍ଚି ପାରି ନାହାନ୍ତି। କଳାରେ ବାଲେଶ୍ବର ଜିଲ୍ଲାର ପାସ୍‌ ହାର ସର୍ବାଧିକ ୮୪.୯୭% ଓ ଧନ୍ଦାମୂଳକ ବିଭାଗରେ କନ୍ଧମାଳ ଜିଲ୍ଲାର ପାସ୍‌ହାର ସର୍ବାଧିକ ୮୯.୪୩% ହୋଇଛି। ଉଭୟ ବିଭାଗରେ ଛାତ୍ରଙ୍କୁ ବହୁ ପଛରେ ପକାଇ ଛାତ୍ରୀମାନେ ବାଜିମାତ୍‌ କରିଛନ୍ତି।

କଳା ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ୨ ଲକ୍ଷ ୩୦ ହଜାର ୫୪୫ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୧ ହଜାର ୮୬୯ଜଣ ପାସ୍‌ ଏବଂ ୪୮ହଜାର ୬୭୬ଜଣ ଫେଲ୍‌ ହୋଇଛନ୍ତି। ରେଗୁଲାରରେ ପରୀକ୍ଷା ଦେଇଥିବା ୨ ଲକ୍ଷ ୧୬ ହଜାର ୬୯ ଜଣଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୧୮୫ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ୧୨ ହଜାର ୫୮୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୯୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨, ଦ୍ବିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬ ହଜାର ୧୭୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୪୭ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲ ବର୍ଗରେ ରହିଛନ୍ତି। ଏହି ବିଭାଗରେ ପରୀକ୍ଷା ଦେଇଥିବା ୧ ଲକ୍ଷ ୨ ହଜାର ୬୩୯ ଛାତ୍ରଙ୍କ ମଧ୍ୟରୁ ୭୨ ହଜାର ୨୯୮ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୦.୪୩% ହୋଇଛି। ସେହିପରି ୧ ଲକ୍ଷ ୨୭ ହଜାର ୯୦୬ ଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୯ ହଜାର ୫୭୧ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୫.୬୬% ରହିଛି। ୩୦ଟି କଲେଜର ପାସ୍‌ହାର ଶତପ୍ରତିଶତ ହୋଇଛି। କୌଣସି ବି କଲେଜରେ ‘ଜିରୋ’ ରେଜଲ୍ଟ ହୋଇନାହିଁ। ରେଗୁଲାରରେ ଜଣେ ପରୀକ୍ଷାର୍ଥୀଙ୍କ ଫଳକୁ ସ୍ଥଗିତ ରଖାଯାଇଛି। ଗତବର୍ଷ ପରି ଏଥର ମଧ୍ୟ ନବରଙ୍ଗପୁର ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୭୦.୭୪% ହୋଇଛି।


ଧନ୍ଦାମୂଳକ ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ପରୀକ୍ଷା ଦେଇଥିବା ୫ ହଜାର ୭୨୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ହଜାର ୮୬୦ଜଣ ପାସ୍‌ କରିଛନ୍ତି। ରେଗୁଲାରରେ ପରୀକ୍ଷା ଦେଇଥିବା ୫,୦୫୫ଜଣଙ୍କ ମଧ୍ୟରୁ ୩,୪୩୪ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୬୬୫ଜଣଙ୍କ ମଧ୍ୟରୁ ୪୨୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୮୪୩ଜଣ ପ୍ରଥମ, ୧୭୫୧ଜଣ ଦ୍ବିତୀୟ ଓ ୧୧୫ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୫୧ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲରେ ରହିଛନ୍ତି। ପରୀକ୍ଷା ଦେଇଥିବା ୩୦୧୪ଜଣ ଛାତ୍ରଙ୍କ ମଧ୍ୟରୁ ୧୯୩୬ ଏବଂ ୨୭୦୬ ଛାତ୍ରୀଙ୍କ ମଧ୍ୟରୁ ୧୯୨୪ଜଣ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୭୧.୧୦% ଓ ଛାତ୍ରଙ୍କର ୬୪.୨୩% ହୋଇଛି। ଦେବଗଡ଼ ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୩୯.୪୭% ରହିଛି।

ଗତବର୍ଷ ପରି ଏଥର ମଧ୍ୟ ପରୀକ୍ଷାର୍ଥୀଙ୍କୁ ଦୁଇଟି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରଥମ ବିକଳ୍ପ ଭାବେ ଯୁକ୍ତ୨ ବାର୍ଷିକ ପରୀକ୍ଷାରେ ରଖିଥିବା ନମ୍ବର ଓ ଦ୍ବିତୀୟ ବିକଳ୍ପ ଭାବେ ପରିଚାଳିତ ପରୀକ୍ଷା ଭିତ୍ତିରେ ପ୍ରତ୍ୟେକ ବିଷୟର ୮୦% ନମ୍ବର ଓ ସ୍କୁଲ ପରିଚାଳିତ ତ୍ରୈମାସିକ ପରୀକ୍ଷାର ୨୦% ଭିତ୍ତିରେ ମୂଲ୍ୟାୟନ ହୋଇଛି। ଉକ୍ତ ଦୁଇଟି ବିକଳ୍ପ ମଧ୍ୟରୁ ପରୀକ୍ଷାର୍ଥୀ ପାଇଥିବା ଅଧିକ ନମ୍ବର ଭିତ୍ତିରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଅପରାହ୍‌ଣ ୪ଟାରେ ପରିଷଦ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ପରେ ପରୀକ୍ଷାର୍ଥୀ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିଥିଲେ। ଏଥିସହ କଲେଜର ଇ-ସ୍ପେସ୍‌ରେ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଫଳ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରିଷଦ ପକ୍ଷରୁ ହେଲ୍ପ-ଲାଇନ୍‌ ନମ୍ବର ୦୬୭୪-୨୩୦୦୯୧୪ ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ପରୀକ୍ଷାର୍ଥୀ ଆବଶ୍ୟକ ସୂଚନା ପାଇପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ପରୀକ୍ଷା‌ଫଳ ଉନ୍ମୋଚନ ଉତ୍ସବରେ ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସମ୍ବନ୍ଧିତ ଖବର