ରେଳରେ ଛା​ଡ଼ି ଯାଇଥିବା ବ୍ୟାଗ୍ ଫେରି ପାଇଲେ ଯାତ୍ରୀ

ସମ୍ବଲପୁର: ରେଳବାଇର ତତ୍ପରତା ଓ ‘ମଦଦ୍‌ ପୋର୍ଟାଲ୍‌’ର କାର୍ଯ୍ୟକାରିତା ଯୋଗୁଁ ଜଣେ ଯାତ୍ରୀ ଟ୍ରେନ୍‌ରେ ଛାଡ଼ି ଯାଇଥିବା ନିଜ ବ୍ୟାଗ୍‌ ଫେରି ପାଇଛନ୍ତି। ଘଟଣା ଘଟିଛି ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଅଞ୍ଚଳରେ। ମଙ୍ଗଳବାର ବିମଳ କୁମାର ବିଦ୍ୟାଧର ନାମକ ଜଣେ ଯାତ୍ରୀ ସମ୍ବଲପୁର-ରାୟଗଡ଼ା ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ରେ ବରପାଲିରୁ କେସିଂଗା ଯାଉଥିଲେ। ହେଲେ ସେ କେସିଂଗାରେ ଭୁଲ୍‌ରେ ଟ୍ରେନ୍‌ରେ ନିଜ ବ୍ୟାଗ୍‌ ଛାଡ଼ି ଓହ୍ଲାଇ ଯାଇଥିଲେ। ଏହାପରେ ରେଲ୍‌ ମଦଦ୍‌ ପୋର୍ଟାଲ୍‌ରେ ଏ ସଂପର୍କରେ ଏକ ଅଭିଯୋଗ ପଞ୍ଜିକୃତ କରି ନିଜ ହଜି ଯାଇଥିବା ବ୍ୟାଗ୍‌ ଫେରି ପାଇବାକୁ ସହାୟତା ଲୋଡ଼ିଥିଲେ।

ରେଳବାଇ ଶ୍ରୀ ବିଦ୍ୟାଧରଙ୍କୁ ବ୍ୟାଗ୍‌ ଖୋଜିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ତୁରନ୍ତ ପଦକ୍ଷେପ ନେଇଥିଲା। ମୁନିଗୁଡ଼ା ଓ ସମ୍ବଲପୁରର ଆର୍‌ପିଏଫ୍ ଅଧିକାରୀଙ୍କୁ ଏ ସଂପର୍କରେ ସୂଚନା ଦିଆ ଯାଇଥିଲା। ଏହାପରେ ମୁନିଗୁଡ଼ାର ଆର୍‌ପିଏଫ୍‌ ଟିମ୍ ବିଦ୍ୟାଧର ଛାଡ଼ି ଯାଇଥିବା ବ୍ୟାଗ୍‌ ଖୋଜି ପାଇଥିଲେ ଓ ଉପଯୁକ୍ତ ଯାଞ୍ଚ ପରେ ତାହା ତାଙ୍କୁ ହସ୍ତାନ୍ତର କରା ଯାଇଥିଲା। ବ୍ୟାଗ୍‌ ଫେରି ପାଇବା ପରେ ଯାତ୍ରୀ ଶ୍ରୀ ବିଦ୍ୟାଧର ରେଳ ମନ୍ତ୍ରଣାଳୟର ତ୍ବରିତ୍ କାର୍ଯ୍ୟାନୁଷ୍ଠାନର ଉଚ୍ଚ ପ୍ରଶଂସା କରିଥିଲେ। ରେଳଯାତ୍ରୀଙ୍କ ସୁବିଧା ପାଇଁ ମଦଦ୍‌ ପୋର୍ଟାଲ୍ ଭଳି ଏକ ଉପଯୋଗୀ ବ୍ୟବସ୍ଥା ଆରମ୍ଭ କରି ଥିବାରୁ ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର