ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ପ୍ରବେଶ ବାଟରେ ଟଙ୍କା ନେଇ ଭକ୍ତଙ୍କୁ ପ୍ରବେଶ କରାଇବା ବେଳେ ଠେଲାପେଲା ପରିସ୍ଥିତି ଉପୁଜିଛି। କିଛି ଯାତ୍ରୀ ଗୁମାସ୍ତା(ଧୂଳିଆ) ଟଙ୍କା ନେଇ ଭକ୍ତଙ୍କୁ ଏହି ବାଟରେ ପ୍ରବେଶ କରାଉଥିବାବେଳେ ବାହାରେ ଛିଡ଼ା ହୋଇଥିବା ଅନ୍ୟ ଭକ୍ତମାନେ ବ୍ୟାରିକେଡ୍‌ ଠେଲି ଏହି ବାଟ ଦେଇ ଧସେଇ ପଶିଛନ୍ତି। ଯେଉଁଥିପାଇଁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ବ୍ୟାରିକେଡ୍‌ ଠେଲି ଭକ୍ତମାନେ ପ୍ରବେଶ ବେଳେ ଦଳାଚକଟା ସ୍ଥିତି ଉପୁଜିଥିଲା। ଶେଷରେ ପୁରୀ ଏସ୍‌ପି ବିନୀତ୍‌ ଅଗ୍ରୱାଲ୍‌ ଘଟଣାସ୍ଥଳ ଅନୁଧ୍ୟାନ କରି ଏହି ବାଟକୁ ସଂପୂର୍ଣ୍ଣ ସିଲ୍‌ କରିଦେଇଛନ୍ତି। ଆଜି କୌଣସି ଯାତ୍ରୀ ଗୁମାସ୍ତାଙ୍କୁ ଏହି ବାଟ ଦେଇ ଭକ୍ତଙ୍କୁ ନେଇ ଯିବାକୁ ଛଡ଼ାଯାଇନି। ସେପଟେ ପ୍ରତିଦିନ ଯାତ୍ରୀ ଗୁମାସ୍ତାମାନେ ଟଙ୍କା ନେଇ ଭକ୍ତଙ୍କ ପାଇଁ ଏଭଳି ଗଳିଆ ବାଟ ତିଆରି କରିଥିବାବେଳେ ଏହାକୁ ବନ୍ଦ କରିବାକୁ ଭକ୍ତ ମହଲ ଦାବି କରିଛନ୍ତି। ଯେଉଁମାନେ ଏଭଳି ବିଶୃଙ୍ଖଳା କରୁଛନ୍ତି, ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Advertisment

ପ୍ରତିଦିନ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବାଧାଡ଼ିରେ ଛିଡ଼ା ହେଉଥିବାବେଳେ ଯାତ୍ରୀ ଗୁମାସ୍ତାମାନେ ସିଂହଦ୍ବାର ସମ୍ମୁଖ ପ୍ରବେଶ ପଥରେ ଗଳିଆବାଟ ତିଆରିକରି ଭକ୍ତଙ୍କୁ ଭର୍ତ୍ତି କରୁଛନ୍ତି। ଏଥିପାଇଁ ଯାତ୍ରୀ ଗୁମାସ୍ତାମାନେ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ନେଉଛନ୍ତି। ଆଜି ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ବାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ଲମ୍ବାଧାଡ଼ି ଲାଗିଥିଲା। କିନ୍ତୁ ଆଜି ଭିଡ଼ ବେଳେ ବି ଯାତ୍ରୀ ଗୁମାସ୍ତାମାନେ ଟଙ୍କା ନେଇ ଭକ୍ତଙ୍କୁ ଭର୍ତ୍ତି କରୁଥିଲେ। ଡ୍ୟୁଟିରେ ଥିବା ପୁଲିସ ବି ଏମାନଙ୍କୁ ଛାଡ଼ି ଦେଉଥିଲେ। ଜନୈକ ଯାତ୍ରୀ ଗୁମାସ୍ତା ୨ ହଜାର ଟଙ୍କା ନେଇ ଦୁଇଜଣ ଭକ୍ତଙ୍କୁ ଏହି ବାଟ ଦେଇ ନେବା ବେଳେ ବାହାରେ ଅପେକ୍ଷାରତ ଭକ୍ତମାନେ ଏହାର ବିରୋଧ କରିଥିଲେ। ତଥାପି ଏହି ଗହଳିରେ ଯାତ୍ରୀ ଗୁମାସ୍ତା ଓ ତାଙ୍କ ଦୁଇ ଭକ୍ତଙ୍କୁ ଛଡ଼ାଯାଇଥିଲା। ଏହା ଦେଖି ଯାତ୍ରୀ ଗୁମାସ୍ତା ପଛେ ପଛେ ବାହାରେ ଅପେକ୍ଷାରତ ଶତାଧିକ ଭକ୍ତ ପଶିଯାଇଥିଲେ। ପରେ ଏସ୍‌ପି ଶ୍ରୀ ଅଗ୍ରୱାଲ୍‌ ଆଜି ଏହି ବାଟକୁ ସଂପୂର୍ଣ୍ଣ ବନ୍ଦ ରଖିବା ସହ ଯାତ୍ରୀ ଗୁମାସ୍ତାଙ୍କୁ ନ ଛାଡ଼ିବାକୁ କହିଥିଲେ। ପରେ ଡ୍ୟୁଟିରେ ଥିବା ପୁଲିସମାନେ ଯାତ୍ରୀ କି ଯାତ୍ରୀ ଗୁମାସ୍ତାଙ୍କୁ ଏହି ବାଟ ଦେଇ ଛାଡ଼ି ନଥିଲେ। କେବଳ ସଂପୃକ୍ତ ସେବକଙ୍କୁ ଛଡ଼ାଯାଇଥିଲା। 

ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଶ୍ରୀମନ୍ଦିର ବାହାରେ ବ୍ୟାରିକେଡ୍‌ରେ ଯାଇ ଦର୍ଶନ କରୁଥିବା ବେଳେ ସିଂହଦ୍ବାର ସମ୍ମୁଖରେ ନୀତି ସହ ସଂପୃକ୍ତ ସେବକ ଯିବା ପାଇଁ ଉଦ୍ଦିଷ୍ଟ ରାସ୍ତା ସଂଲଗ୍ନ ବ୍ୟାରିକେଡ୍‌ରେ ବଳପୂର୍ବକ କିଛି ଭକ୍ତ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ନ କରିବାକୁ ସମସ୍ତ ଭକ୍ତଙ୍କୁ ଅନୁରୋଧ କରାଯାଉଛି। ଏହାଦ୍ୱାରା ଶୃଙ୍ଖଳା ଭଙ୍ଗ ହେବା ସହ ଧାଡ଼ି ବ୍ୟାରିକେଡ୍‌ରେ ଛିଡ଼ା ହୋଇଥିବା ଭକ୍ତଙ୍କୁ ମଧ୍ୟ ଏହା ବ୍ୟଥିତ କରିବ। ତେଣୁ ଶୃଙ୍ଖଳା ରକ୍ଷା କରିବାକୁ ଡ. ପାଢ଼ୀ ଅନୁରୋଧ କରିଥିଲେ।