ମହର୍ଷି ବିଶ୍ବାମିତ୍ରଙ୍କ ଯଜ୍ଞ ସଂପନ୍ନ ହେଲା ପରେ, ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ କୃତାଞ୍ଜଳିପୁଟ ହୋଇ ମହର୍ଷିଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ବିନମ୍ରତାର ସହିତ ସେ କହିଲେ– ହେ ମହାଭାଗ! ଏବେ ଆମେ ଆପଣଙ୍କର ପ୍ରିୟକାର୍ଯ୍ୟ କରିବୁ; ସେ ସଂପର୍କରେ ଆମକୁ ସୂଚନା ଦିଅନ୍ତୁ। ଶ୍ରୀରାମଙ୍କର ସେହି ମଧୁର ବଚନ ଶୁଣି ମହର୍ଷି ଆନନ୍ଦିତ ହୋଇ କହିଲେ– ସଂପ୍ରତି ମିଥିଳା ରାଜା ଜନକ ଏକ ଧର୍ମମୟ ଯଜ୍ଞ ପ୍ରାରମ୍ଭ କରିବାକୁ ଯାଉଛନ୍ତି। ଆମେ ଏବେ ସେଠାକୁ ଯିବା। ତୁମେ ମଧ୍ୟ ମୋ ସହିତ ସେଠାକୁ ଯିବ। ସେଠାରେ ଏକ ବିରାଟ ଧନୁଷରତ୍ନ ରହିଛି। ତାହାକୁ ତୁମେ ଦର୍ଶନ କରିବା ଉଚିତ। ସେହି ଧନୁ ଏତେ ବିରାଟ ଓ ବିସ୍ମୟକର ଯେ ଦେବତା, ମାନବ, ଗନ୍ଧର୍ବ, ରାକ୍ଷସ କେହି ସେହି ଧନୁରେ ପ୍ରତ୍ୟଞ୍ଚା ଚଢ଼ାଇବାକୁ ସମର୍ଥ ନୁହନ୍ତି। ସେଠାକୁ ଗଲେ ତୁମେ ସେହି ଅଦ୍ଭୁତ ଧନକୁ ଦେଖିପାରିବ। ବହୁ ପୂର୍ବ କାଳରେ ଦେବତାମାନେ ସେହି ଧନୁକୁ ମିଥିଳା ନରେଶ ଜନକଙ୍କୁ ପ୍ରଦାନ କରିଥିଲେ।
ଶ୍ରୀରାମ ଉତ୍କଣ୍ଠିତ ହୋଇ ସେହି ଧନୁ ସଂପର୍କରେ ଅଧିକ ଜାଣିବାପାଇଁ ଆଗ୍ରହ ପ୍ରକାଶ କରିବାରୁ ମହର୍ଷି ବିଶ୍ବାମିତ୍ର ସେହି ଧନୁ ସଂପର୍କରେ ରାମଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ପୂର୍ବକାଳରେ ତାରକାସୁର ନାମରେ ଏକ ରାକ୍ଷସ ଥିଲା। ତାର ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁତ୍ମାଳା ନାମରେ ତିନି ପୁତ୍ର ଥିଲେ। ଏହି ତିନି ଭ୍ରାତାଙ୍କୁ ‘ତ୍ରିପୁରାସୁର’ କୁହାଯାଏ। ସେମାନେ ଯେପରି ବଳଶାଳୀ ଥିଲେ, ସେହିପରି ଦୁରାଚାରୀ ମଧ୍ୟ। କିନ୍ତୁ ବ୍ରହ୍ମାଙ୍କ ବରଦାନରୁ ଏହି ତିନିଭାଇ ସୁନା, ରୁପା ଓ ଲୁହାର ତିନୋଟି ଆକାଶଚାରୀ ମହଲରେ ବାସ କରୁଥିଲେ। ଏମାନେ ବ୍ରହ୍ମାଙ୍କୁ ଅମର ବର ମାଗିଲା ବେଳେ ବ୍ରହ୍ମା ଅମର ବର ବଦଳରେ ତାଙ୍କୁ ବର ଦେଇଥିଲେ ଯେ ଅଭିଜିତ୍ ନକ୍ଷତ୍ର ଓ କାର୍ତ୍ତିକପୂର୍ଣ୍ଣିମା ତିଥିରେ ଯଦି ଏହି ତିନି ଭାଇଙ୍କର ନଗର, ସଂଯୋଗବଶତଃ ଏକ ସରଳରେଖାରେ ରହିଥିବ ଏବଂ କେହି ଯଦି ତାହାକୁ ଗୋଟିଏ ଶରରେ ଧ୍ବଂସ କରିଦେବ, ତେବେ ତିନିଜଣଙ୍କର ମୃତ୍ୟୁ ହେବ।
ଦେବତାମାନେ ଏହା ଜାଣି ଶିବଙ୍କର ଶରଣାପନ୍ନ ହେଲେ। ଏହି ଅସମ୍ଭବ କାର୍ଯ୍ୟ କେବଳ ଶିବ ହିଁ ସମ୍ଭବ କରିପାରିବେ। ଦେବତାମାନଙ୍କ ଅନୁରୋଧରେ ଶିବ ପୃଥ୍ବୀକୁ ରଥ, ଚନ୍ଦ୍ରମାକୁ ଚକ, ଦଶନାଗଙ୍କୁ ଈଶଦଣ୍ଡ, ଚାରି ଲୋକପାଳଙ୍କୁ ରଥର ଅଶ୍ବ–ଏହିପରି ସମସ୍ତ ଦେବତା, ନାଗ, ଯକ୍ଷ ଆଦିଙ୍କୁ ଏକତ୍ର କରି ମହାଦେବଙ୍କ ପାଇଁ ଏକ ସୁନ୍ଦର ଓ ଦିବ୍ୟ ରଥ ନିର୍ମାଣ କଲେ। ବ୍ରହ୍ମା ହେଲେ ସେହି ରଥର ସାରଥି। ଅଗ୍ନି ଓ ବିଷ୍ଣୁ ହେଲେ ରଥର ଅସ୍ତ୍ର। ସେହି ଦିବ୍ୟରଥରେ ଆରୋହଣକରି ଭଗବାନ ଶିବ ତାଙ୍କର ଦିବ୍ୟ ଧନୁ ଦ୍ବାରା ତ୍ରିପୁର ଦହନ କରିଥିଲେ। ଭଗବାନ ତ୍ରିପୁରାରିଙ୍କର ଏହି ଦିବ୍ୟ ଧନୁର ନାମ ‘ପିନାକ’।
ଏପରି କଥା ଶୁଣି ରାମ ଓ ଲକ୍ଷ୍ମଣ ଗୁରୁଶ୍ରେଷ୍ଠ ବିଶ୍ବାମିତ୍ରଙ୍କୁ ସବିନୟେ ପଚାରିଲେ–ଏହି ପିନାକ ଧନୁ କିପରି ସୃଷ୍ଟି ହେଲା ଓ ମିଥିଳାକୁ କିପରି ଆସିଲା ଦୟାକରି ତାହା ଆମକୁ କୁହନ୍ତୁ।
-ଡକ୍ଟର ତୁଳସୀ ଓଝା