ଭୁବନେଶ୍ବର: ଓଡ଼ିଶାରେ ଶହେରୁ ୯ଜଣ ଛାତ୍ରଛାତ୍ରୀ ମାଧ୍ୟମିକ ସ୍ତରରେ ଅଧାରୁ ପାଠପଢ଼ା ଛାଡ଼ୁଛନ୍ତି। ଆର୍ଥିକ ଅଭାବ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ମାଧ୍ୟମିକ ଶିକ୍ଷା ଗ୍ରହଣ ସମୟରେ ହିଁ ପାଠଠାରୁ ଦୂରେଇ ଯାଉଛନ୍ତି। ପ୍ରାଥମିକ, ଉଚ୍ଚ ପ୍ରାଥମିକ ଅପେକ୍ଷା ମାଧ୍ୟମିକ ସ୍ତରରେ ଡ୍ରପ୍‌ଆଉଟ୍‌ ଅଧିକ ରହିଛି। ପ୍ରାଥମିକ ସ୍ତରରେ ଡ୍ରପ୍‌ଆଉଟ୍‌ ହାର ୦.୪୫% ରହିଛି। ଯେତେବେଳେ କି ଉଚ୍ଚ ପ୍ରାଥମିକ ସ୍ତରରେ ୧.୯୫% ଓ ମାଧ୍ୟମିକ ସ୍ତରରେ ୯.୧୧% ରହିଛି। ବିଗତବର୍ଷ ଗୁଡ଼ିକ ତୁଳନାରେ ଡ୍ରପ୍‌ଆଉଟ୍‌ ହାର କମିଥିଲେ ମଧ୍ୟ ନିୟନ୍ତ୍ରଣ ଭିତରକୁ ଆସିପାରି ନାହିଁ। ମାଧ୍ୟମିକ ସ୍ତରରେ ଦେଶର ୯ଟି ରାଜ୍ୟର ଡ୍ରପ୍‌ଆଉଟ୍‌ ହାର ୧୫% କିମ୍ବା ତା’ଠାରୁ ଅଧିକ ରହିଛି। ବିହାରରେ ସର୍ବାଧିକ ଡ୍ରପ୍‌ଆଉଟ୍‌ ୨୦.୮୬% ଅଛି। ୪ଟି ରାଜ୍ୟରେ ଡ୍ରପ୍‌ଆଉଟ୍‌ ୧୨.୧%ରୁ ୧୫% ମଧ୍ୟରେ ରହିଛି, ଯେଉଁଥିରେ ଓଡ଼ିଶାର ଦୁଇ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରହିଛନ୍ତି। ଓଡ଼ିଶା ସମେତ ୭ଟି ରାଜ୍ୟର ଡ୍ରପ୍‌ଆଉଟ୍‌ ହାର ୯.୧%ରୁ ୧୨% ମଧ୍ୟରେ ରହିଛି। ପଡ଼ୋଶୀ ଝାଡ଼ଖଣ୍ଡରେ ୧୦.୨୭% ଓ ଆନ୍ଧ୍ରପ୍ରଦେଶରେ ଡ୍ରପ୍‌ଆଉଟ୍‌ ୧୦.୧୫% ରହିଛି। କେବଳ କେରଳରେ ଡ୍ରପ୍‌ଆଉଟ୍‌ ହାର ୩% ତଳେ ଅର୍ଥାତ୍‌ ୨.୧୮%। ଏହାବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟର ଡ୍ରପ୍‌ଆଉଟ୍‌ ୩%ରୁ ଅଧିକ ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

Advertisment

୮ଲକ୍ଷ ୪୦ ହଜାର ପିଲାଙ୍କ ଆଧାର ନାହିଁ
ବିନା ଶିକ୍ଷକରେ ଚାଲିଛି ୧୬ଟି ବିଦ୍ୟାଳୟ
୧,୦୬୫ ସ୍କୁଲରେ ଜଣେ ଶିକ୍ଷକ, ପଢ଼ୁଛନ୍ତି ୫୦ ହଜାର ପିଲା

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୨୩-୨୪ ଶିକ୍ଷାବର୍ଷ ସୁଦ୍ଧା ୮ ଲକ୍ଷ ୪୦ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ନାହିଁ। ମୋଟ ଉପରେ ୭୭ ଲକ୍ଷ ୫୬ ହଜାର ୯୧୦ଜଣ ପିଲା ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୬୯ ଲକ୍ଷ ୧୬ ହଜାର ୬୯୧ଜଣ ପିଲାଙ୍କର ଆଧାର ରହିଛି। ରାଜ୍ୟର ୮ଟି ବିଦ୍ୟାଳୟରେ ଜଣେ ବି ହେଲେ ପିଲା ନାମ ଲେଖାଇ ନ ଥିଲେ। ୧୬ଟି ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ୧,୦୬୫ ବିଦ୍ୟାଳୟରେ ଜଣେ ଶିକ୍ଷକରେ ଚାଲିଛି। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ୫୦ହଜାର ୧୮୯ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୧.୧% ବିଦ୍ୟାଳୟରେ ୧୦ରୁ କମ୍‌ ଛାତ୍ରଛାତ୍ରୀ ରହିଛନ୍ତି। ୨୦.୪% ବିଦ୍ୟାଳୟରେ ସର୍ବାଧିକ ୧୦୧ରୁ ୨୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୩.୩% ବିଦ୍ୟାଳୟରେ ୫୦୦ରୁ ଅଧିକ ପିଲା ପଢ଼ୁଥିବା ରିପୋର୍ଟରେ କୁହାଯାଇଛି। ପ୍ରାଥମିକରୁ ମାଧ୍ୟମିକ ମଧ୍ୟରେ ଓଡ଼ିଶାରେ ୧୭.୨% ସାଧାରଣ ବର୍ଗର ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଏସ୍‌ସି ବର୍ଗର ୧୮.୫%, ଏସ୍‌ଟି ବର୍ଗର ୨୭.୧%, ଓବିସି ବର୍ଗରେ ୩୭.୧% ଓ ମୁସଲିମ୍‌ ବର୍ଗରେ ୨.୪% ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। 

ତଥ୍ୟ ଅନୁଯାୟୀ ଓଡ଼ିଶାରେ ୬୧ହଜାର ୬୯୩ ବିଦ୍ୟାଳୟରେ ୭୭ଲକ୍ଷ ୫୬ହଜାର ୯୧୦ ପିଲା ପଢ଼ୁଛନ୍ତି। ୩ଲକ୍ଷ ୩୫ ହଜାର ୪୯୬ଜଣ ଶିକ୍ଷକ ଅଛନ୍ତି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବଦଳରେ ମାଧ୍ୟମିକ ସ୍ତରରେ ଅଧିକ ଶିକ୍ଷକ ରହିଛନ୍ତି। ପ୍ରାଥମିକରେ ୨୮,୬୩୫, ଉଚ୍ଚ ପ୍ରାଥମିକରେ ୨୦,୮୪୪ ଓ ମାଧ୍ୟମିକରେ ୧୨,୨୧୪ ବିଦ୍ୟାଳୟ ରହିଛି। ପ୍ରଥମରୁ ୫ମ ଶ୍ରେଣୀରେ ୨୮,୬୩୫, ୧ରୁ ୮ମ ଶ୍ରେଣୀର ୧୮,୫୦୪, ୬ରୁ ୮ମ ଶ୍ରେଣୀର ୨,୩୪୦ ବିଦ୍ୟାଳୟ ରହିଛି। ଓଡ଼ିଶାରେ ୪୮ହଜାର ୬୭୧ଟି ସରକାରୀ, ୫,୯୦୭ଟି ଅନୁଦାନପ୍ରାପ୍ତ, ୬,୦୪୨ଟି ଘରୋଇ ଅଣଅନୁଦାନପ୍ରାପ୍ତ ଓ ୧,୦୭୩ଟି ଅନ୍ୟାନ୍ୟ ବର୍ଗର ବିଦ୍ୟାଳୟ ରହିଛି। ପ୍ରାଥମିକରେ ୧୯.୮% ଶିକ୍ଷକ, ଉଚ୍ଚ ପ୍ରାଥମିକରେ ୨୭.୬ ଓ ମାଧ୍ୟମିକରେ ୪୧.୧% ଶିକ୍ଷକ ରହିଛନ୍ତି। ଯେତେବେଳେ କି ପ୍ରାଥମିକରେ ସର୍ବାଧିକ ୪୬.୪% ପିଲା ଶିକ୍ଷା ଗ୍ରହଣ କରୁଛନ୍ତି। ଛାତ୍ର ଶିକ୍ଷକ ଅନୁପାତ(ପିଟିଆର) ୨୩ ରହିଛି। ଫାଉଣ୍ଡେସନରେ ପିଟିଆର ୭ ରହିଥିବା ବେଳେ ପ୍ରାଥମିକରେ ୧୧, ଉଚ୍ଚ ପ୍ରାଥମିକରେ ୧୫ ଓ ମାଧ୍ୟମିକରେ ୨୨ ରହିଛି। ଗୋଟିଏ ସ୍କୁଲରେ ହରାହାରି ୧୨୬ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ପଢ଼ାଇବାକୁ ୫ଜଣ ଶିକ୍ଷକ ଅଛନ୍ତି।