ପୁରୀ : ରବିବାର ଦିନ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଥିବା ୬ ମହଲା ବିଶିଷ୍ଟ ମାତୃ ଶିଶୁ ମଙ୍ଗଳ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଖାଦ୍ୟ ବଣ୍ଟନ କରୁଥିବା କର୍ମଚାରୀଙ୍କ ଅସାବଧାନତା ଯୋଗୁ ଜଣେ ପ୍ରସୂତି ଓ ସମ୍ପର୍କୀୟମାନେ ଏକ ଲିଫ୍ଟରେ ଏକ ଘଣ୍ଟା କାଳ ଫସିରହିଥିଲେ।
ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ସମୟରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ୬ ମହଲା ବିଶିଷ୍ଟ ମାତୃ ଶିଶୁ ମଙ୍ଗଳ କେନ୍ଦ୍ରରେ ଖାଦ୍ୟ ବଣ୍ଟନ କରୁଥିବା ଦୁଇ ଜଣ କର୍ମଚାରୀଙ୍କ ଅସାବଧାନତା ଯୋଗୁ ଏହାର ଲିଫ୍ଟ ଦୀର୍ଘ ଏକ ଘଣ୍ଟା କାଳ ଅଟକି ରହିଥିଲା। ଏଥିରେ ଥିବା ୧୦ ଜଣ ଲୋକ ଫସି ରହିଥିଲେ।
ପ୍ରସୂତି ପାଇଁ ଆସିଥିବା ଜଣେ ରୋଗୀ ଚାରି ମହଲାରୁ ଦୁଇ ମହଲାକୁ ଏହି ଲିଫ୍ଟରେ ଆସୁଥିଲେ। ସେମାନଙ୍କ ସହ କାଳିଆ ବାଲିଘାଟ ଭାରତୀପୁର ଓ ପଛିପାଳରୁ ଆସିଥିବା କୈଳାସ ଜେନାଙ୍କ ସମେତ ଏହି ଲିଫ୍ଟରେ ଅନ୍ୟମାନେ ଥିଲେ। ଲିଫ୍ଟଟି ପଞ୍ଚମ ମହଲାରୁ ଚତୁର୍ଥ ମହଲାକୁ ଆସିବା ପରେ ରୋଗୀଙ୍କ ପାଇଁ ଖାଦ୍ୟ ନେଇ ଦୁଇ ଜଣ କର୍ମଚାରୀ ଏହା ଭିତରେ ପଶିଥିଲେ। ତେବେ ଏହି ଦୁଇ ଜଣ କର୍ମଚାରୀ ପରସ୍ପର ମଧ୍ୟରେ ଥଟା ପରିହାସ ହୋଇ ଠେଲାପେଲା ହୋଇଥିଲେ। ଫଳରେ ଲିଫ୍ଟରେ ଥିବା ସୁଇଚ୍ ଉପରକୁ ଜଣେ ଆଉଜି ପଡ଼ିଥିଲେ। ଏହି କାରଣରୁ ଲିଫ୍ଟଟି ଚତୁର୍ଥ ମହଲା ଓ ତୃତୀୟ ମହଲା ମଧ୍ୟରେ ଅଟକି ଯାଇଥିଲା। ପ୍ରସୂତି ପାଇଁ ଆସିଥିବା ମହିଳା ଜଣକ ଏହି ଲିଫ୍ଟରେ ଫସିଯାଇଥିବା ବେଳେ ବିଳମ୍ବ ଯୋଗୁ ତାଙ୍କ ମା’ ଓ ଆଶା ଦିଦି ମଧ୍ୟ ଏପଟେ କନ୍ଦାକଟା କରିଥିଲେ।
ଖବର ପାଇ ମେକାନିକ୍ ଡାକ୍ତରଖାନାରେ ପହଞ୍ଚି ଏହାକୁ ମରାମତି କରିବାରୁ ଏକ ବଡ଼ ଅଘଟଣରୁ ସେମାନେ ରକ୍ଷା ପାଇଯାଇଛନ୍ତି।