କଟକ: କଟକ ବଡ଼ ଡାକ୍ତରଖାନାରେ ଦୁଇଦିନ ହେଲା ନାକେଦମ୍‌ କଲାଣି ବିଦ୍ୟୁତ୍‌ ବିଭ୍ରାଟ। ଗତକାଲି ବିଭିନ୍ନ ୱାର୍ଡରେ ଲାଇନ୍‌ ନଥିବା ବେଳେ ମୋବାଇଲ୍‌ ଓ ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଆଜି ସକାଳେ ଆଞ୍ଚଳିକ ନିଦାନ କେନ୍ଦ୍ରରେ ପୁଣି ବିଦ୍ୟୁତ୍ ବିଭ୍ରାଟ ହେବାରୁ ବ୍ୟବସ୍ଥାକୁ ଆହୁରି ସଙ୍ଗିନ କରିଦେଇଛି। ବିଭାଗରେ ସିଟି ସ୍କାନ୍‌, ଏକ୍ସ-ରେ ସହ ଅନ୍ତର୍ବିଭାଗ(ଇନ୍‌ଡୋର୍‌) ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ବନ୍ଦ ରହିଛି। ଏହା ପ୍ରକୃତରେ ବିଦ୍ୟୁତ୍‌ ବିଭ୍ରାଟ, ନା ମରାମତି ଆଳରେ ଜାଣିଶୁଣି ଲାଇନ୍‌ କଟାଯାଇଥିଲା, ‌ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତାଛଡ଼ା, ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହେବା ସମୟରେ ଡିଜି ସେଟ୍‌ ବି କାମ କରି ନ ଥିଲା। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ। ଅପରପକ୍ଷରେ, ଗତକାଲିଠାରୁ ଶବବ୍ୟବଚ୍ଛେଦ ଗୃହ ଓ ଶବ ସଂରକ୍ଷଣ ଗୃହରେ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଶବଗୁଡ଼ିକ ପଚି ଦୁର୍ଗନ୍ଧ ବାହାରୁଛି। ୧୦ରୁ ଅଧିକ ମୃତଦେହ ନଷ୍ଟ ହେବା ସ୍ଥିତିରେ ପହଞ୍ଚିଛି।

Advertisment

ଆଜି ବି ନିଦାନରେ ବିଦ୍ୟୁତ୍‌ ବିଭ୍ରାଟ; ହୋଇ ପାରିଲାନି ସିଟି ସ୍କାନ୍‌, ରକ୍ତ ପରୀକ୍ଷା
ବିଦ୍ୟୁତ୍‌ ସମସ୍ୟା ପାଇଁ ନାହିଁ ଟେକ୍ନିକାଲ୍‌ କମିଟି; ସମନ୍ବୟ ରହୁନି, ବଢୁଛି ସମସ୍ୟା

ଏସ୍‌ସିବିର ବିଦ୍ୟୁତ୍‌ ସେବା ଜିଇଡି ହାତରେ ଥିବାବେଳେ ବିଭାଗ ଏହାକୁ ନିୟନ୍ତ୍ରଣ କରିପାରୁନି। ଏପରିକି ବିଭାଗର ନିଜସ୍ବ ଟେକ୍ନିକାଲ୍‌ ଟିମ୍‌ରେ ମାନବସମ୍ବଳ ଅଭାବ ଯୋଗୁଁ ସେମାନେ ଠିକାଦାରଙ୍କ ଉପରେ ନିର୍ଭର କରୁଛନ୍ତି। ଏସ୍‌ସିବିରେ ହଠାତ୍‌ ବିଦ୍ୟୁତ୍‌ ସମସ୍ୟା ଉପୁଜିଲେ ତାର ମରାମତି କରାଯିବା ନେଇ ବିଭାଗ ଓ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ରହିପାରୁନି। ଏହା ସମସ୍ୟାକୁ ଅଧିକ ଜଟିଳ କରୁଛି। ଦୁଇଦିନ ହେଲା ଏସ୍‌ସିବିରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁଁ ରୋଗୀ ସେବା ପ୍ରଭାବିତ ହେବା ସହ ରୋଗୀ ଓ ସଂପର୍କୀୟ ବି ହନ୍ତସନ୍ତ ହୋଇଛନ୍ତି। ଅବ୍ୟବସ୍ଥାକୁ ନେଇ ନିଜ ଉପରୁ ଦୋଷ ଖସାଇ ଅସହାୟତା ପ୍ରକାଶ କରୁଛନ୍ତି ମେଡିକାଲ କତ୍ତୃପକ୍ଷ। ତେବେ ଆଜି ଅପରାହ୍‌ଣରୁ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

କେବଳ ଆଜି କିମ୍ବା ଗତକାଲିର ଘଟଣା ନୁହେଁ; ଏସ୍‌ସିବିରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁଁ ରୋଗୀ ସେବା ବିଶେଷ ଭାବେ ପ୍ରଭାବିତ ହେଉଛି। ଜଣେ ଦୁଇଜଣ ଯନ୍ତ୍ରୀଙ୍କୁ ନେଇ ଜିଇଡି ବିଭାଗ ଚାଲିଥିବା ବେଳେ ଟେକ୍ନିକାଲ୍‌ କର୍ମଚାରୀଙ୍କର ଗୁରୁତର ସଙ୍କଟ ଦେଖାଦେଇଛି। ଏହି ବିଭାଗ ଏସ୍‌ସିବି ଅଧୀକ୍ଷକଙ୍କ ଅଧୀନରେ ଯାଉ ନ ଥିବାରୁ ବାରମ୍ବାର ସ୍ବାସ୍ଥ୍ୟ ବିଭାଗ ସମିତି ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସମସ୍ୟା ନେଇ ଏସ୍‌ସିବି କର୍ତ୍ତୃପକ୍ଷ ସୂଚିତ କରୁଥିଲେ ବି ଜିଇଡି ବିଭାଗ ଏଥିପ୍ରତି କୌଣସି ଭ୍ରୂକ୍ଷେପ କରୁ ନଥିବା ଜଣାପଡିଛି। ପରିସ୍ଥିତି ଏଭଳି ହୋଇଛି ଯେ ଗତ ୫/୬ଦିନ ହେବ ଏସ୍‌ସିବି କର୍ତ୍ତୃପକ୍ଷ ନିଜ ପକ୍ଷରୁ ବିଦ୍ୟୁତ୍‌ ମରାମତି ପାଇଁ ଜଣେ ଟେକ୍ନିସିଆନ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ଏସ୍‌ସିବି ମେଡିସିନ୍‌ ବିଭାଗର ଏକ୍ସଟେନ୍‌ସନ୍‌ କୋଠା, ଶବ ବ୍ୟବଚ୍ଛେଦ ଗୃହ, ଶବ ସଂରକ୍ଷଣ ଗୃହ, ଚର୍ମରୋଗ ବିଭାଗ, ଆନାଟମି ବିଭାଗରେ ଲାଇନ୍‌ ନଥିଲା।