ରାଉରକେଲା: ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହେବା ସହ ଅଚେତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ଗୁରୁତର ଆହତଙ୍କୁ ଜଣେ ସହୃଦୟ ଯୁବକ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ। ତେବେ ସେଠାରେ ଯାହା ଘଟିଥିଲା ତାହା ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ପ୍ରଥମେ ୫ ହଜାର ଟଙ୍କା ଜମା କଲାପରେ ହିଁ ଚିକିତ୍ସା ଆରମ୍ଭ କରିବାକୁ ଡାକ୍ତର ସିଧାସଳଖ ଶୁଣାଇଥିଲେ। ସେଇୟା ହିଁ ହେଲା, ଦାବି ମୁତାବକ ୫ ହଜାର ଟଙ୍କା ଆଗୁଆ ପୈଠ କଲାପରେ ହିଁ ପ୍ରାୟ ଦେଢ଼ ଘଣ୍ଟାପରେ ଚିକିତ୍ସା ଆରମ୍ଭ ହେଲା। ଏହା ପ୍ରସିଦ୍ଧ ହିନ୍ଦୀ ସିନେମା ‘ମୁନ୍ନା ଭାଇ ଏମ୍ବିବିଏସ୍ର’ ଦୃଶ୍ୟର ବର୍ଣ୍ଣନା ନୁହେଁ, ବରଂ ସ୍ଥାନୀୟ ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍)ରେ ସଂଘଟିତ ଏକ ଘଟଣାର ଅବତାରଣା।
ଗତ ଗୁରୁବାର ମଧ୍ୟାହ୍ନ ପ୍ରାୟ ଅଢ଼େଇ ଟା ହେବ। ପାନ୍ଥ ନିବାସ ସମ୍ମୁଖ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ଜଣେ ଅଜଣା ବ୍ୟକ୍ତି ରାସ୍ତା ଉପରେ ପଡ଼ିଥିଲେ। ଗୁରୁତର ଆହତ ବ୍ୟକ୍ତିଙ୍କ ମୁଣ୍ଡ ଓ ଶରୀରର ଅନ୍ୟସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ସେ ଚେତାଶୂନ୍ୟ ଅବସ୍ଥାରେ ଥିଲେ। ସେହି ସମୟରେ ଯାଉଥିବା ନିରଜ ଚତୁର୍ବେଦୀ ନାମକ ଜଣେ ସହୃଦୟ ଯୁବକ ଆହତଙ୍କୁ ଉଦ୍ଧାର କରି ନିଜ କାର୍ରେ ଆଇଜିଏଚ୍ ନେଇଥିଲେ। ସେତେବେଳେ ଆଶୁ ଚିକିତ୍ସା ବିଭାଗ ଦାୟିତ୍ୱରେ ଥିବା ଡାକ୍ତର ମଧ୍ୟ ଆହତ ବ୍ୟକ୍ତି ଗୁରୁତର ଥିବା ଓ ଭର୍ତ୍ତି କରିବାକୁ ପଡିବ ବୋଲି କହିଥିଲେ। ତେବେ ଏ ବାବଦକୁ ଆଗୁଆ ୫ ହଜାର ଟଙ୍କା ଜମା ଦେବାକୁ କହିଥିଲେ। ତେବେ ନିରଜ ତାଙ୍କ ପାଖରେ ଏତେ ଟଙ୍କା ନଥିବାରୁ ପ୍ରଥମେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିବାକୁ ଅନୁରୋଧ କରିବାସହ କିଛି ସମୟ ଭିତରେ ଟଙ୍କା ଯୋଗାଡ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଡ୍ୟୁଟିରତ ଡାକ୍ତର କୁଆଡ଼େ ଆଦୌ ଶୁଣିନଥିଲେ। ଅପରପକ୍ଷରେ ଆହତ ବ୍ୟକ୍ତି ଜଣକ ଡ୍ରେସିଂ ରୁମ ଭିତରେ ସେମିତି ଷ୍ଟ୍ରେଚର ଉପରେ ପଡ଼ି ରହିଥାନ୍ତି।
ଏହାରି ଭିତରେ ପ୍ରାୟ ଏକ ଘଣ୍ଟା ବିତିସାରିଥିଲା। ସେହି ବ୍ୟକ୍ତିଙ୍କ କେହି ସମ୍ପର୍କୀୟ ଆସୁନାହାନ୍ତି କି’ ଟଙ୍କା ବି ଜମା ହୋଇନଥିବାରୁ ଚିକିତ୍ସା ଆରମ୍ଭ ହୋଇନଥିଲା। ଶେଷରେ ବାଧ୍ୟହୋଇ ନିରଜ ତାଙ୍କ ବନ୍ଧୁଙ୍କଠାରୁ ଟଙ୍କା ମଗେଇ ଜମା କରିଥିଲେ। ଏସବୁ ଭିତରେ ପ୍ରାୟ ଦେଢ଼ ଘଣ୍ଟା ବିତିସାରିଥିଲା। ଟଙ୍କା ପୈଠ ହେବାପରେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ଆଇଜିଏଚ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଇଜିଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ଅସମ୍ବେଦଶୀଳତା ପାଇଁ ନିରଜ ଉଦ୍ବେଗ ପ୍ରକାଶ କରିଛନ୍ତି।
ଏନେଇ ସେ ଜିଲ୍ଲାପାଳ, ମୋ ସରକାର, ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ଅବଗତ କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଜଣେ ସଙ୍କଟାପନ୍ନ ଆହତଙ୍କ ପାଇଁ ଆଗୁଆ ଟଙ୍କା ଦାବି କରିବା ଯଥାର୍ଥ କି? ଟଙ୍କା ଜମା ନ ହେବା ପର୍ଯ୍ୟନ୍ତ ଆହତଙ୍କୁ ଷ୍ଟ୍ରେଚର୍ରେ ପକାଇ ରଖିବା ଯୁକ୍ତିଯୁକ୍ତି କି? ଏଭଳି ସମ୍ବେଦନଶୀଳ ଘଟଣାରେ ଆଇଜିଏଚ୍ କର୍ତ୍ତୃପକ୍ଷ ନିୟମରେ କୋହଳ କରିବାର ଆବଶ୍ୟକତା ନ ଥିଲା କି? ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ହସପିଟାଲ ନେଲେ ଉଦ୍ଧାରକାରୀଙ୍କୁ ରାଜ୍ୟ ସରକାର ପୁରସ୍କାର ରାଶି ସହ ପୁରସ୍କୃତ କରିବାର ନୂଆ ଯୋଜନା ଆରମ୍ଭ କରିଥିବାବେଳେ ଏହି ଘଟଣା ଅନ୍ୟ ସ୍ବେଚ୍ଛାସେବୀ କି ବାର୍ତ୍ତା ଦେବ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କିମାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/4-22.jpg)