ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଶସ୍ତ୍ର ସଂଗ୍ରାମ ବଳରେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ପାଇଁ ସଂଗ୍ରାମ କରିଥିଲେ। ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କୁ ବିରୋଧ କରି ଅସୀମ ପରାକ୍ରମ ଓ ଅସାଧାରଣ ରଣକୌଶଳ ମାଧ୍ୟମରେ ବ୍ରିଟିସ ଶାସକ ଓ ସେନାବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲେ। ଦୁଇ ମହାପୁରୁଷଙ୍କ ଦେଶପ୍ରେମ, ଅସୀମ ପରାକ୍ରମ, ବୀରତ୍ୱ, ଦୃଢ଼ ଇଚ୍ଛାଶକ୍ତି, ଉଚ୍ଚ ଆଦର୍ଶ ଅନନ୍ୟ ଓ ଅତୁଳନୀୟ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପରିସରରେ ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ଗୋଟିଏ ଦିନରେ ଦୁଇ ମହାନାୟକ ଜନ୍ମ ନେବା ଏକ ବିରଳ ସଂଯୋଗ ଥିଲା। ୧୮୫୭ ମସିହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଅଭିହିତ କରାଯାଉଥିବା ବେଳେ ତା’ର ୩୦ ବର୍ଷ ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ ଓଡ଼ିଶାରେ ପଡ଼ିଥିଲା ବୋଲି ସେ କହିଥିଲେ। ବ୍ରିଟିସ ଶାସନ ବିରୁଦ୍ଧରେ ସେହି ମହାସଂଗ୍ରାମର କର୍ଣ୍ଣଧାର ଥିଲେ ବୀର ସୁରେନ୍ଦ୍ର ସାଏ। ତାଙ୍କ ପରାକ୍ରମ ଇତିହାସରେ ବିରଳ। ଯଦି ଐତିହାସିକମାନେ ଏହାକୁ ଉଲ୍ଲେଖ କରିଥାନ୍ତେ ତେବେ ଭାରତ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶା ସର୍ବାଗ୍ରେ ରହିଥାନ୍ତା। ସେହିପରି ବ୍ରିଟିସ ଶାସନର ଅନ୍ୟାୟ, ଅତ୍ୟାଚାର ବିରୋଧରେ ନେତାଜୀ ନିଜର ବ୍ୟକ୍ତିଗତ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇ ଜୀବନର ୨୩ ବର୍ଷର କର୍ମମୟ ଜୀବନକୁ ଦେଶମାତୃକାର ସେବାରେ ସମର୍ପଣ କରିଥିଲେ। 

ମୁଖ୍ୟବକ୍ତା ପୂର୍ବତନ ପ୍ରଶାସକ ତଥା ସାହିତ୍ୟିକ ନିରଞ୍ଜନ ସାହୁ ଯୋଗଦେଇ ଯୁବବର୍ଗ ଏହି ଯୁଗପୁରୁଷଙ୍କ ସୁଗୁଣରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଭାରତ ଏକ ସର୍ବଶ୍ରେଷ୍ଠ ଦେଶରେ ପରିଣତ ହୋଇପାରିବ ବୋଲି ଦର୍ଶାଇଥିଲେ। ସମ୍ମାନିତ ଅତିଥି ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସେମାନଙ୍କ ଦେଶପ୍ରେମ, ଅସୀମ ପରାକ୍ରମ, ବୀରତ୍ୱ ଅତୁଳନୀୟ ବୋଲି କହିଥିଲେ। ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନ ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।