ଭୁବନେଶ୍ବର : ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିଛନ୍ତି। ନିକଟରେ ଶେଷ ହୋଇଥିବା ରାଜ୍ୟ କଂଗ୍ରେସର ନବସଂକଳ୍ପ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ କେନ୍ଦ୍ରୀୟ ନେତାଙ୍କ ସହିତ ସେ ଆଲୋଚନା କରିବେ। ରାଜ୍ୟ ପିସିସିର ନୂଆ ଟିମ୍ ଗଠନ ସହିତ ଦଳୀୟ ଶୃଙ୍ଖଳା ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ତେବେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଥିବାରୁ ତାଙ୍କ ସହିତ ଭେଟ ହେବାର ଆଶା ପ୍ରାୟତଃ କ୍ଷୀଣ। ଶରତଙ୍କ ଏହି ଗସ୍ତ କାଳରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲାକୁମାର ଓ ସହ ପ୍ରଭାରୀ ଉପସ୍ଥିତ ରହିବେ।
ଗତମାସ ୨୩ ତାରିଖରେ ଓଡ଼ିଶା କଂଗ୍ରେସର ମଙ୍ଗ ଧରିଛନ୍ତି ଶରତ ପଟ୍ଟନାୟକ। ଏଆଇସିସି ନିର୍ଦେଶକ୍ରମେ ତାଙ୍କ ଅଧ୍ୟକ୍ଷତାରେ ରାଜଧାନୀରେ ଜୁନ୍ ୧ ଓ ୨ତାରିଖରେ ନବସଂକଳ୍ପ ଶିବିର ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମୟରେ ନବସଂକଳ୍ପ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ପ୍ରମୁଖତାରେ ରହିବ ବୋଲି କୁହାଯାଉଛି। ଆସନ୍ତା ୧୦ତାରିଖରେ ଶରତ ବିଧିବଦ୍ଧ ଭାବେ ରାଜ୍ୟ କଂଗ୍ରେସର ଦାୟିତ୍ବ ଗ୍ରହଣ କରିବେ। ତେଣୁ ଏହାପରେ ପିସିସିର ନୂଆ ଟିମ୍ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ କଂଗ୍ରେସ ସଂଗଠନ ସଂପର୍କରେ ଆଲୋଚନା କରାଯିବ। ବିଶେଷକରି ୨୦୨୪ ପାଇଁ କିଭଳି ରୋଡମ୍ୟାପ୍ ପ୍ରସ୍ତୁତି ହେବ ହାଇକମାଣ୍ଡଙ୍କ ସହତି ଆଲୋଚନା ହେବ। ନୂଆ ପିସିସି ଟିମ୍ ସଂପର୍କରେ ଏ ଯାଏ କୌଣସି ନିଷ୍ପତ୍ତି ହୋଇନାହିଁ। ଅପରପକ୍ଷରେ ନୂଆ ପିସିସି ସଭାପତିଙ୍କୁ ସମର୍ଥନ ଜଣାଇଛନ୍ତି ବିଧାୟକ ସୁରେଶ ରାଉତରାୟ। ଶ୍ରୀ ରାଉତରାୟ କହିଛନ୍ତି ଯେ ନୂଆ ପିସିସି କମିଟିରେ ୮୦ ପ୍ରତିଶତରୁ ଅଧିକ ଯୁବକ/ଯୁବତୀଙ୍କୁ ସାମିଲ କରାଯାଉ। ଶରତ ପୂର୍ବରୁ ପିସିସି ସଭାପତି ଥିଲେ। ତାଙ୍କୁ ସବୁକିଛି ଜଣାଅଛି। ତୃଣମୂଳସ୍ତରରୁ ପିସିସି ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ନୂତନ ପିସିସି ସଭାପତିଙ୍କୁ ସାଂଗଠନିକ କାର୍ଯ୍ୟରେ ବିରୋଧ କଲେ ତାଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sarat-patnayak.jpg)