ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି: ରଥଯାତ୍ରା ନେଇ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ସରକାର

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ କେତେଦିନ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ, ତାହା ଏବେଠାରୁ ଆକଳନ କରିହେଉ ନାହିଁ। ଜୁନ୍‌ ୨୩ ତାରିଖରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ରଥ ନିର୍ମାଣ ପାଇଁ ପୁରୀରେ ରଥକାଠ ମଧ୍ୟ ପହଞ୍ଚିଗଲାଣି। ଆସନ୍ତା ୨୬ ତାରିଖରୁ ମଧ୍ୟ ରଥ ନିର୍ମାଣ ଆରମ୍ଭ ହେବ। ସାମାଜିକ ଦୂରତା ରକ୍ଷା କରି କିପରି ରଥଯାତ୍ରା ଅନୁଷ୍ଠିତ ହେବ, ସେ ନେଇ ସରକାର କାଳ ବିଳମ୍ବ ନ କରି ନିଷ୍ପତ୍ତି ନେବା ଦରକାର। ଜଣେ ଜଗନ୍ନାଥ ପ୍ରେମୀ ଭାବେ ଏପରି ଉଦବେଗ ପ୍ରକାଶ କରି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇପୃଷ୍ଠା ସମ୍ବଳିତ ଏକ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଲେଖିଛନ୍ତି। ଚିଠିରେ ଶ୍ରୀ ପଟ୍ଟନାୟକ ଜଣ ଯେ, ରଥଯାତ୍ରା କେବଳ ପୁରୀରେ ଅନୁଷ୍ଠିତ ହୁଏ ନାହିଁ। ଏହି ରଥକୁ ସମ୍ମାନ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ରଥାଯାତ୍ରା କରାଯାଇଥାଏ। କିନ୍ତୁ ଚଳିତବର୍ଷ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ରଥଯାତ୍ରାବେଳକୁ ସମାଜିକ ଦୂରତା କଟକଣା କୋହଳ ହେବାର ସମ୍ଭାବନା ମଧ୍ୟ କ୍ଷୀଣ। ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ଓ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଯଥାଶୀଘ୍ର ବିଚାର ବିମର୍ଶ କରି ରଥଯାତ୍ରା ସମ୍ପର୍କରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବା ଆବଶ୍ୟକ। ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନାଇବସିଛନ୍ତି।

କୋଭିଡ୍‌-୧୯ ଯୋଗୁଁ ସମଗ୍ର ମାନବଜାତି ଏବେ ମହାବିପତ୍ତିରେ ପଡ଼ିଛି। ଏପରି ପରିସ୍ଥିତି ଇତିହାସରେ ବିରଳତମ ବୋଲି କୁହାଯିବ। ତେଣୁ ଏପରି ଅବସ୍ଥାରେ ରଥଯାତ୍ରା କିପରି ହେବ, ତାର ରୂପରେଖ କଣ ହେବ, କି ପଦକ୍ଷେପ ଗ୍ରହଣ କଲେ ସମସ୍ତ ନିରାପଦ ଓ ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ ସେ ନେଇ ଏବେଠାରୁ ନିର୍ଦ୍ଧାରିତ ହେବା ଆବଶ୍ୟକ। କାରଣ ପୁରୀ ରଥଯାତ୍ରା ସମ୍ପର୍କରେ ଯାହା ନିଷ୍ପତ୍ତି ନିଆଯିବ, ତାହାକୁ ସମଗ୍ର ରାଜ୍ୟରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇପାରିବ। ଏ ନେଇ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନେବେ ବୋଲି ପିସିସି ସଭାପତି ଆଶା ପ୍ରକଟ କରିଛନ୍ତି। ରାଜ୍ୟରେ ଥିବା ସମସ୍ତ ମଠ, ମନ୍ଦିର, ମସଜିଦ୍‌ ଓ ଗୀର୍ଜାରେ ନିୟୋଜିତ ସେବାୟତ ଓ ପୂଜକମାନଙ୍କ ଦୁର୍ଦ୍ଦିନ ସମ୍ପର୍କରେ ଉଦବେଗ ପ୍ରକାଶ କରି ସେ ଆହୁରି ଦର୍ଶାଇଛନ୍ତି, ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗନ୍ନାଥ ମନ୍ଦିରର ୨୧୩୦ ସେବାୟତ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ସରକାର ଘୋଷଣା କରିଛନ୍ତି। ଯାହାକି ସ୍ବାଗତଯୋଗ୍ୟ। ସେହିପରି ତାଲାବନ୍ଦ ପ୍ରଭାବରେ ରାଜ୍ୟର ଅନ୍ୟ ସମସ୍ତ ଧର୍ମପୀଠଗୁଡ଼ିକରେ ସେବାୟତ ଓ ପୂଜକମାନେ ଆର୍ଥିକ ଦୁର୍ଗତି ମଧ୍ୟରେ ଦିନ କାଟୁଛନ୍ତି। ଏପରି କୌଣସି ପଞ୍ଚାୟତ ନାହିଁ, ଯେଉଁଠାରେ ସ୍ଥାନୀୟ ପ୍ରସିଦ୍ଧି ଲାଭ କରିଥିବା ମଠ, ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ଓ ଗୁରୁଦ୍ବାରା ଉପରେ ନିର୍ଭର କରି ପ୍ରାୟ ୧ ଲକ୍ଷ ପରିବାର ନିଜର ଗୁଜରାଣ ମେଣ୍ଟାନ୍ତି। ମାସାଧିକକାଳ ଏସବୁ ଧର୍ମସ୍ଥଳୀଗୁଡ଼ିକ ବନ୍ଦ ହୋଇ ରହିଥିବାରୁ ସେଠାରେ ଦୋକାନ କରି ଚଳୁଥିବା ଭୋଗ, ପୂଜା ସାମଗ୍ରୀ ଓ ଦୀପ ଦୋକାନୀମାନେ ବି ଆର୍ଥିକ କ୍ଷତି ସହିଲେଣି। ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ସେବାୟତମାନଙ୍କ ଭଳି ରାଜ୍ୟରେ ଯେତେସବୁ ଧର୍ମପୀଠ ରହିଛି ସେଠାକାର ପୂଜକ, ସେବକ ଓ ମାଳିମାନଙ୍କୁ ଅନୁରୂପ ଭାବେ ସହାୟତା ଦେବା ଉଚିତ୍‌। କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଆଜି ସମସ୍ତ ବିଶ୍ବ ଆତଙ୍କିତ। ଭୂତାଣୁ ସଂକ୍ରମଣରୁ ଓଡ଼ିଶାର ଜନସାଧାରଣଙ୍କୁ ରକ୍ଷାକରିବା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ସ୍ବାଗତଯୋଗ୍ୟ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର