ଶିକ୍ଷକ ବଦଳି ନେଇ ଲୋକେ ତାତିଲେ: କୁହୁଳା ଅସନ୍ତୋଷ ୧୨ରେ ଜଳିବ

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ୟୁପି ସ୍କୁଲରୁ ପ୍ରଥମ ପର୍ଯ୍ୟାୟରେ ୪ ଶିକ୍ଷକ ବଦଳି ହେଲା ପରେ ଶିକ୍ଷା କମିଟି ଓ ଅଭିଭାବକ କଣ୍ଟାମାଳ ବିଇଓଙ୍କଠାରେ ଅଭିଯୋଗ କରିଥିଲେ। ତଥାପି ପୁଣି ଜଣେ ଶିକ୍ଷକଙ୍କୁ ବଦଳି କରିବାରୁ ଲୋକେ ତାତିଛନ୍ତି। ଶିକ୍ଷା କମିଟି ଓ ଅଭିଭାବକଙ୍କ ମଧ୍ୟରେ ଏନେଇ କୁହୁଳୁଥିବା ଅସନ୍ତୋଷ ଆସନ୍ତା ୧୨ ତାରିଖ ଜଳିବ। ଶନିବାର ଏକ ବୈଠକରେ ରାସ୍ତାରୋକ କରି ଏହି ଅସନ୍ତୋଷକୁ ଜାହିର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ୨୮୪ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏବେ ମାତ୍ର ସାତଜଣ ଶିକ୍ଷକ ଅଛନ୍ତି। ମୋଟ ୧୨ ଶିକ୍ଷକ ଶିକ୍ଷାଦାନ କରୁଥିଲେ। ପ୍ରଥମ ପର୍ଯ୍ୟାୟ ବଦଳିରେ ୩ ସହକାରୀ ଶିକ୍ଷକଙ୍କ ସହ ଜଣେ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ନିଆଗଲା। ଏହାର ପ୍ରତିବାଦରେ ଗ୍ରାମ୍ୟ ଶିକ୍ଷା କମିଟି ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଠାରେ ଲିଖିତ ଜଣାଇଲା ପରେ ବି ପରବର୍ତ୍ତୀ ପର୍ଯ୍ୟାୟରେ ଆଉଜଣେ ଶିକ୍ଷକଙ୍କୁ ବଦଳି କରିନେବା ଫଳରେ ଏବେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଲାଗି ରହିଛି।

ନିୟମ ଅନୁସାରେ ଛାତ୍ରଛାତ୍ରୀ ଅନୁପାତରେ ୯ ଜଣ ରହିବା ପରିବର୍ତ୍ତେ ୭ ଜଣ ଶିକ୍ଷକ ଅଛନ୍ତି। ଅଷ୍ଟମ ପର୍ଯ୍ୟନ୍ତ ଥିବାରୁ ଜଣେ ବିଜ୍ଞାନ ଶିକ୍ଷକ ନିତାନ୍ତ ରହିବା ଆବଶ୍ୟକ। କିନ୍ତୁ ପ୍ରଶାସନ ମନଇଚ୍ଛା ବଦଳି କରୁଛନ୍ତି। ଫଳରେ ପାଠପଢ଼ାରେ ବ୍ୟାହତ ହେବା ସହ ଗୁଣାତ୍ମକ ଶିକ୍ଷା ପିଲା ପାଇପାରୁ ନାହାନ୍ତି। ଏଥିପାଇଁ ଗ୍ରାମ୍ୟ ଶିକ୍ଷା କମିଟି ତରଫରୁ ଏକ ଲିଖିତ ଚେତାବନୀ କଣ୍ଟାମାଳ ବିଇଓଙ୍କୁ ଜଣାଇଥିବା ସୂଚନା ମିଳିଛି। ଜଣେ ବିଜ୍ଞାନ ଶିକ୍ଷକ ଓ ଆଉଜଣେ ସହକାରୀ ଶିକ୍ଷକଙ୍କୁ ନିଯୁକ୍ତ ନକଲେ ଆସନ୍ତା ୧୨ ତାରିଖ ରାସ୍ତାରୋକ କରିବା ସହିତ ସ୍କୁଲରେ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ଓ ଗ୍ରାମ୍ୟ ଶିକ୍ଷା କମିଟି ପକ୍ଷରୁ ବିଶ୍ୱଜିତ ବସ୍ତିଆ, ଅରୁଣ ବସ୍ତିଆ, ପବିତ୍ର ବଣ୍ଡକି, ସ୍ମୃତିରେଖା ବାରିକ, ଫକିର ମୋହନ ବସ୍ତିଆ, ପ୍ରକାଶ ବସ୍ତିଆ, ଉଦ୍ଧବ ଅମାତ ପ୍ରମୁଖ ଲିଖିତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର