ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସରିବା ପରେ ଦ୍ରୌପଦୀ ମୁର୍ମୁ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ତାଙ୍କ ଘର ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଥିଲେ। ଏହି ସମୟରେ ‘ସମ୍ବାଦ’ ପକ୍ଷରୁ ନିଆଯାଇଥିବା ତାଙ୍କ ସାକ୍ଷାତକାରର ସଂପାଦିତ ଅଂଶ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବାଦ: ଜଣେ ସଫଳ ରାଜନେତ୍ରୀ ଭାବେ ସାରା ଦେଶ ଦ୍ରୌପଦୀ ମୁର୍ମୁଙ୍କୁ ଜାଣେ। ଝାଡ଼ଖଣ୍ତର ପ୍ରଥମ ନାଗରିକ ଭାବେ ଆପଣଙ୍କ କଣ ଅନୁଭବ କଣ ଥିଲା?
ଦ୍ରୌପଦୀ: ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ମୁଁ ୬ ବର୍ଷ କାର୍ଯ୍ୟ କରିଛି। ସାଧାରଣତଃ ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ଥାଏ। ମୋତେ ଅଧିକ ୧ ବର୍ଷ କାର୍ଯ୍ୟ କରିବାର ସୁଯୋଗ ମିଳିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି। ମୋ କାର୍ଯ୍ୟକାଳ ବହୁତ ଭଲ ଥିଲା। ଲୋକଙ୍କ ସାହାଯ୍ୟ, ସହଯୋଗ ପାଇଛି। ଝାଡ଼ଖଣ୍ଡର ଲୋକମାନେ ବହୁତ ସରଳ ଓ ସ୍ନେହୀ।
ସମ୍ବାଦ: ବହୁ ଦିନ ପରେ ଆପଣ ପୁଣି ନିଜ ସହକର୍ମୀ ଓ ଅନୁଗାମୀଙ୍କ ଗହଣକୁ ଫେରିଛନ୍ତି। କେମିତି ଲାଗୁଛି?
ଦ୍ରୌପଦୀ: ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଭିତରେ ରହିବାକୁ ପଡ଼େ। ଇଚ୍ଛା ଥିଲେ ମଧ୍ୟ ସାଧାରଣ ଲୋକଙ୍କ ସହ ଖୋଲାଖୋଲି ମିଶିବାର ସୁଯୋଗ ନ ଥାଏ। ମୋତେ ଲାଗୁଛି, ମୁଁ ଏକପ୍ରକାର ବନ୍ଧନରୁ ମୁକ୍ତ ହୋଇଛି। ଏବେ ମୁଁ ଯେତେବେଳେ ଚାହିଁବି ମୋର ସହଯୋଗୀ ତଥା ସହକର୍ମୀଙ୍କ ସହ ମିଶିପାରିବି।
ସମ୍ବାଦ: ବିଜେପି ସରକାରରେ ଆପଣ ରାଜ୍ୟପାଳ ହୋଇଥିଲେ। ଏବେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳିଛି। ଜଣେ ମୟୂରଭଞ୍ଜବାସୀ ଭାବେ ଆପଣ ଏହାକୁ କେମିତି ଦେଖୁଛନ୍ତି?
ଦ୍ରୌପଦୀ: ମୟୂରଭଞ୍ଜବାସୀ ବହୁତ ଭାଗ୍ୟବାନ। ଜିଲ୍ଲାକୁ ସବୁବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଯେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ମୟୂରଭଞ୍ଜକୁ ଭାଷା କ୍ଷେତ୍ରରେ ଗୁରୁତ୍ବ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ମଧ୍ୟ ମୋ ଭଳି ଜଣେ ମହିଳାଙ୍କୁ ଗୁରୁତ୍ବ ଦିଆଗଲା ଓ ରାଜ୍ୟପାଳ ପଦରେ ଅଧିଷ୍ଠିତ କରାଗଲା। ସେହିପରି ସାଂସଦ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ କରାଗଲା। ମୟୂରଭଞ୍ଜ ରାଜ୍ୟର ସବୁଠାରୁ ବଡ଼ ଜିଲ୍ଲା। କିନ୍ତୁ ଏହାକୁ ପଛୁଆ ଜିଲ୍ଲା ଭାବେ ଗଣାଯାଏ। କାହାକୁ ଦାୟିତ୍ବ ଦେଲେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରରେ ବିକାଶ ହେବ; ସେକଥା କେନ୍ଦ୍ର ସରକାର ଭଲ ଭାବେ ଜାଣିଥିଲେ। ମନ୍ତ୍ରୀ ବିଶେଶ୍ବର ଟୁଡୁ ଯୋଗ୍ୟ ଓ ଦକ୍ଷ। ସେ ତାଙ୍କ ଦାୟିତ୍ବକୁ ଠିକ୍ ଭାବେ ତୁଲାଇବେ।
ସମ୍ବାଦ: ଓଡ଼ିଶା ଓ ଝାଡ଼ଖଣ୍ତ ମଧ୍ୟରେ ଭାବଗତ ତଥା ସାମାଜିକ ସମ୍ପର୍କ ଅତି ନିବିଡ଼। ଆପଣ ଏ ଦୁଇ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ସ୍ଥିତିକୁ କିପରି ଚିତ୍ରଣ କରିବେ?
ଦ୍ରୌପଦୀ: ଉଭୟ ଓଡ଼ିଶା ଓ ଝାଡ଼ଖଣ୍ତ ଆଦିବାସୀବହୁଳ ରାଜ୍ୟ। ଓଡ଼ିଶା ପରି ଝାଡ଼ଖଣ୍ଡବାସୀଙ୍କ ବେଶ ପୋଷାକ, ଖାଦ୍ୟ, ସାମାଜିକ ଚଳଣି ପ୍ରାୟ ସମାନ। ଓଡ଼ିଶା ପରି ସେଠି ମଧ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟସେବା ସ୍ଥିତି ଏତେ ଉନ୍ନତ ନୁହେଁ।
ସମ୍ବାଦ: ଆପଣ ଭାବନ୍ତି କି ଲିଙ୍ଗଗତ ଓ ସଂପ୍ରଦାୟଗତ ତାରତମ୍ୟ ଉନ୍ନତ ରାଷ୍ଟ୍ର ଗଠନରେ କେଉଁଠି ନା କେଉଁଠି ପ୍ରତିବନ୍ଧକ ହେଉଛି?
ଦ୍ରୌପଦୀ: ନାରୀଶକ୍ତି ଆମ ଦେଶର ଏକ ବଡ଼ଶକ୍ତି। ଏଠାରେ ଯେତିକି ଜନସଂଖ୍ୟା ଅଛି, ତାର ଅଧା ହେଉଛନ୍ତି ନାରୀ। ଅଟଳବିହାରୀ ବାଜପେୟୀ କହିଥିଲେ; ‘ମୋ ଦେଶର ଦୁଇଟି ଶକ୍ତି। ଗୋଟିଏ ‘ନାରୀ ଶକ୍ତି ଆଉ ଗୋଟିଏ ‘ପୁରୁଷ ଶକ୍ତି। ଦୁଇଟି ଶକ୍ତିକୁ ଯଦି ଉପଯୋଗ କରାଯିବନି, ତେବେ ଦେଶର ଆର୍ଥିକ ଓ ସାମାଜିକ ବିକାଶ ଆଗକୁ ଯାଇପାରିବନି। ବର୍ତ୍ତମାନ ଯେଉଁ ଆଶାକର୍ମୀ ଓ ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ଦେଖୁଛନ୍ତି; ଏମାନଙ୍କୁ ପରିଚୟ ବାଜପେୟୀ ହିଁ ଦେଇଛନ୍ତି।
ସମ୍ବାଦ: ଅବସର ସମୟ ପରିବାର ସହ କାଟିବେ ନା ରାଜନୀତି ପାଇଁ ଦେବେ?
ଦ୍ରୌପଦୀ: ମୁଁ ମୋ ପରିବାର ପାଇଁ ରାଜନୀତିକୁ ଆସିପାରିଥିଲି। ମୋ ଝିଅ ଚାକିରି କରୁଛି। ମୋର ବନ୍ଧନ ନାହିଁ। ମୁଁ ଲୋକଙ୍କ ସହ ଜଡ଼ିତ ଥିବାରୁ ସକ୍ରିୟ ରାଜନୀତିରେ ରହିବି। ଶେଷ ନିଶ୍ବାସ ଥିବା ଯାଏ ଲୋକଙ୍କ ସେବା କରୁଥିବି।