ଭୁବନେଶ୍ୱର : ସମ୍ବଲପୁରରେ ପୁଲିସ୍-ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁହାଁମୁହିଁ ହେବା ଘଟଣାରେ ଶ୍ରୀ ମିଶ୍ରଙ୍କୁ ଟାର୍ଗେଟ୍ କରିଛି ବିଜେଡି। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟ୍ବିଟ୍ କରିଛନ୍ତି। ଶ୍ରୀ ଦାସ ପୁଲିସ ଅଧିକାରୀ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ହେଉଥିବା ଯୁକ୍ତିତର୍କର ଭିଡିଓକୁ ଟ୍ବିଟ୍ କରିବା ସହ ରାଜ୍ୟ ବିଜେପିର ଅସଲ ଚେହେରା ଓଡ଼ିଶାବାସୀ ଦେଖନ୍ତୁ ବୋଲି ଲେଖିଛନ୍ତି। ନାରୀ ସୁରକ୍ଷା ଓ ସଶକ୍ତୀକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କର ନାରୀ ପ୍ରତି ସମ୍ମାନ ଏହିଭଳି। କେବଳ ଅସମ୍ମାନ ନୁହେଁ, ବରଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ନାରୀ ପ୍ରତି ଶ୍ରୀ ମିଶ୍ରଙ୍କ ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ। ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। କେବଳ ସେତିକି ନୁହେଁ, ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ପ୍ରଣବ ଲେଖିଛନ୍ତି ‘ଭାଇ, ଓଡ଼ିଶା ବିଜେପି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଯେଉଁଭଳି ଭାବେ ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କ ଉପରେ ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି, ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓଡ଼ିଶାବାସୀ ଏହା ଆପଣଙ୍କ ଠୁ ଆଶା ରଖୁଛନ୍ତି।’
ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରି ପ୍ରଣବ ପ୍ରକାଶ କହିଲେ ଦଳ କାର୍ଯ୍ୟାନୁଷ୍ଠାନ ନେଉ
ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ପଦବିରୁ ହଟାଉ ବିଜେପି
ଜୟନାରାୟଣ ତୁରନ୍ତ କ୍ଷମା ମାଗିବାକୁ ଦାବି କଲେ ଶ୍ରୀମୟୀ
ଅନ୍ୟପକ୍ଷରେ ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ ଏବଂ ତାଙ୍କ ବିରୋଧରେ ୧୪ଟି ମାମଲା ରହିଛି। ଯେଉଁଥିରେ ସେ ଜେଲରେ ଥିଲେ ଓ ବର୍ତ୍ତମାନ ଜାମିନରେ ଅଛନ୍ତି। ଲୋକଙ୍କୁ ଧମକ ଦେବା ଓ ଆକ୍ରମଣ କରିବାର ଅଭ୍ୟାସ ତାଙ୍କର ରହିଛି। ଆଜି ସେ କର୍ତ୍ତବ୍ୟରତ ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଆକ୍ରମଣର ଭିଡିଓ ମଧ୍ୟ ଓଡ଼ିଶା ଲୋକଙ୍କ ଆଗରେ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଓଡ଼ିଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ଯ୍ୟାଦା ବିଷୟରେ କହୁଛି। ଓଡ଼ିଶା ବିଜେପି ଓ ଏହାର ନେତାମାନେ ଏଭଳି ଭାବେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ରକ୍ଷା କରୁଛନ୍ତି କି? ବିଧାନସଭାର ବିରୋଧୀ ଦଳର ନେତା ଡ୍ୟୁଟିରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ଶାରୀରିକ ନିର୍ଯାତନା ଦେଇ ଏଭଳି ସମ୍ମାନ ପ୍ରଦର୍ଶନ କରୁଛନ୍ତି କି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି। ଓଡ଼ିଶା ବିଜେପି ତୁରନ୍ତ ଶ୍ରୀ ମିଶ୍ରଙ୍କୁ ତାଙ୍କର ଏଭଳି ଅପମାନଜନକ ଆଚରଣ ପାଇଁ ବିଧାନସଭାର ବିରୋଧୀ ଦଳ ନେତା ପଦରୁ ହଟାଇନେବା ଉଚିତ । ଏଥିସହ ସର୍ବସାଧାରଣରେ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ଓଡ଼ିଶା ବିଜେପି ଓ ଶ୍ରୀ ମିଶ୍ର କ୍ଷମା ମାଗିବା ଉଚିତ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।