ପଦ୍ମପୁର: ଓଡ଼ିଶାର ବିକାଶ ପାଇଁ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହଯୋଗ କରି ଆସିଛନ୍ତି। ଓଡ଼ିଶାର ଶାସନ ଏବେ କିଏ ଚଳାଉଛି? ଭୋଟ ଜଣକୁ ଦିଆଯାଉଛି, କିନ୍ତୁ ସରକାର ଅନ୍ୟ କିଏ ଚଳାଉଛି। ଅଧିକାରୀ ଏଠାରେ ସରକାର ଚଳାଉଛନ୍ତି। ବିଧାୟକ, ସାଂସଦ ହାତବାନ୍ଧି ବସିଛନ୍ତି। ଯାହାକୁ ସାଧାରଣ ଲୋକ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ସେମାନଙ୍କ କଥା ଶୁଣାଯାଉନି। କିନ୍ତୁ ଯାହା କଥା ଶୁଣାଯାଉଛି ସେମାନଙ୍କୁ ଓଡ଼ିଶାବାସୀ ଜାଣିନାହାନ୍ତି। ଏଭଳି ସରକାର ଓଡ଼ିଶାରେ ରହିବାର ଆବଶ୍ୟକତା ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି।
ବରଗଡ଼ ଜିଲ୍ଲାର ପଦ୍ମପୁରର ଅଶୋକ ପଡ଼ିଆରେ ଅନୁଷ୍ଠିତ ଜନସଭାରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡ଼ିଶାବାସୀ ଜଣେ ଓଡ଼ିଆ ଯୁବକ ଓ ଓଡ଼ିଆ ଭାଷାରେ କହୁଥିବା ମୁଖ୍ୟମନ୍ତ୍ରୀ ଚାହୁଛନ୍ତି। ଯିଏ ପ୍ରତିଦିନ ଲୋକଙ୍କ ସମସ୍ୟାକୁ ବୁଝୁଥିବ। ଯଦି ଏଭଳି ମୁଖ୍ୟମନ୍ତ୍ରୀ ଚାହୁଛନ୍ତି ତେବେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ। ବିଜେଡି ନେତା କୋଟି କୋଟି ଟଙ୍କା ଚଳୁ କରିଛନ୍ତି। ଏମାନଙ୍କୁ ଆଉ ବିଶ୍ୱାସ କରନ୍ତୁନି। ସୁଭଦ୍ରା ଯୋଜନାକୁ ଲାଗୁ କରିବାକୁ ହେଲେ ବିଜେପି ସରକାରକୁ ଆଣିବାକୁ ହେବ। ରତ୍ନଭଣ୍ଡାର ଚାବି ଚାହୁଥିଲେ ପଦ୍ମଫୁଲରେ ମୋହର ମାରିବାକୁ ଶ୍ରୀ ନଡ୍ଡା ଆହ୍ବାନ ଦେଇଛନ୍ତି।
ମୋଦୀ ସରକାର କୋଟି କୋଟି ଗରିବଙ୍କୁ ପ୍ରତି ମାସ ୫ କେଜି ଲେଖାଏଁ ଚାଉଳ ପ୍ରଦାନ କରୁଛନ୍ତି। ଯେଉଁଥିପାଇଁ ୨୫ କୋଟି ଲୋକ ଗରିବୀ ସୀମାରେଖାରୁ ବାହାରକୁ ଆସିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ୫ ବର୍ଷରେ ବିଜୁଳି ବିଲ୍ ମଧ୍ୟ ଶୂନ କରାଯିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଲୋକେ ଏହି ଲାଭ ପାଇବେ ବୋଲି ସେ କହିଥିଲେ। ଏହି ସମାବେଶରେ ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ପ୍ରୀତେଶ ବହିଦାର, ଚିନ୍ମୟ ପଣ୍ଡା, କୁନାଲ ପାଣିଗ୍ରାହୀ, ମକରଧ୍ୱଜ ବଗାର, ଅଶୋକ ମିଶ୍ର ଓ ସୁନୀଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।