ସୁବ୍ରତ ସ୍ବାଇଁ
କେନ୍ଦୁଝର: ରାଜ୍ୟ ତଥା ଜାତୀୟସ୍ତରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାର କମ୍‌ ରହିଛି। କିନ୍ତୁ କେନ୍ଦୁଝରରେ ଥିବା ଆଦିମ ଜନଜାତି ଜୁଆଙ୍ଗଙ୍କ ‌କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଓଲଟା। ଜୁଆଙ୍ଗ ଜନଜାତିରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ। କେନ୍ଦୁଝର ଏକ ଆଦିବାସୀ ବହୁଳ ଜିଲ୍ଲା। ଏହି ଜିଲ୍ଲାରେ ଜୁଆଙ୍ଗ, ଭୂୟାଁ, ସାନ୍ତାଳ, କୋହ୍ଲ, ବାଥୁଡ଼ି ସଂପ୍ରଦାୟର ଲୋକେ ରହୁଛନ୍ତି। ଜିଲ୍ଲାରେ ମୋଟ ଜନସଂଖ୍ୟା ହେଉଛି ୧୮ ଲକ୍ଷ ୧ ହଜାର ୭୩୩। ଏଥିମଧ୍ୟରୁ ପୁରୁଷ ସଂଖ୍ୟା ୯ ଲକ୍ଷ ୬ ହଜାର ୪୮୭ ଏବଂ ମହିଳାଙ୍କ ସଂଖ୍ୟା ୮ ଲକ୍ଷ ୯୫ ହଜାର ୨୪୬। ଅର୍ଥାତ ଜିଲ୍ଲାସ୍ତରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ୍‌। ସେହିପରି ରାଜ୍ୟରେ ଜନସଂଖ୍ୟା ତଥ୍ୟ ଅନୁସାରେ, ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୭୯। କିନ୍ତୁ ଜୁଆଙ୍ଗ ଜନଜାତି କ୍ଷେତ୍ରରେ ତାହା ଭିନ୍ନ। କେନ୍ଦୁଝର ଜିଲ୍ଲାର ମୋଟ ୫୪ଟି ଗାଁରେ ଜୁଆଙ୍ଗ ଜନଜାତି ବସବାସ କରନ୍ତି। ଏହି ଗାଁଗୁଡ଼ିକରେ ୫୮୦୯ଟି ପରିବାର ରହୁଥିଲାବେଳେ ସେମାନଙ୍କ ମଧ୍ୟରୁ ୨୫୮୩ ପରିବାର ହେଉଛନ୍ତି ଜୁଆଙ୍ଗ ଜନଜାତିର। ସେମାନଙ୍କ ଲୋକସଂଖ୍ୟା ୧୨,୩୮୮ ହୋଇଥିବାବେଳେ ସେଥିମଧ୍ୟରୁ ୬୧୩୫ ଜଣ ପୁରୁଷ ଓ ୬୨୫୩ ଜଣ ହେଉଛନ୍ତି ମହିଳା।
ଅଧିକାଂଶ ଗାଁରେ ଜୁଆଙ୍ଗ ପୁରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି।

Advertisment

କୋଡ଼ିପଶା ଗାଁକୁ ଉଦାହରଣ ଭାବେ ନେଲେ ଏଠାରେ ୭୫ ପରିବାର ହେଉଛନ୍ତି ଜୁଆଙ୍ଗ ଜନଜାତିର। ସେମାନଙ୍କ ଲୋକସଂଖ୍ୟା ୧୮୮ ହୋଇଥିବା ବେଳେ ୮୯ ଜଣ ପୁରୁଷ ଓ ୯୯ ଜଣ ମହିଳା ରହିଛନ୍ତି। ସେହିପରି ଉପରଚମ୍ପେଇ ଗାଁରେ ୫୯ ପରିବାର ରହୁଥିବାବେଳେ ସେଥିରୁ ୫୬ଟି ପରିବାର ହେଉଛନ୍ତି ଜୁଆଙ୍ଗ ଜନଜାତି। ଏହି ଗାଁରେ ଜୁଆଙ୍ଗ ପୁରୁଷଙ୍କ ସଂଖ୍ୟା ୧୪୮ ଓ ଜୁଆଙ୍ଗ ମହିଳାଙ୍କ ସଂଖ୍ୟା ୧୬୪।  ଏଠାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୬ ଅଧିକ ରହିଛି। ସେହିପରି ପଣସନସା ହେଉଛି ଏକ ବହୁଚର୍ଚ୍ଚିତ ଜୁଆଙ୍ଗ ଗାଁ। କାଞ୍ଜିପାଣି ଘାଟି ଉପରେ ପାହାଡ଼ରେ ଥିବା ଗାଁ ହେଉଛି ଉପର ପଣସନସା ଏବଂ ତଳେ ଥିବା ଗାଁ ତଳ ପଣସନସା। ଏହି ଗାଁଟି ଶତ ପ୍ରତିଶତ ଜୁଆଙ୍ଗଙ୍କ ଗାଁ। ଏଠାରେ ମୋଟ ୧୪୨ ପରିବାର ରହୁଥିବା ବେଳେ ସମସ୍ତେ ଜୁଆଙ୍ଗ ଜନଜାତି। ସେମାନଙ୍କ ସଂଖ୍ୟା ୭୩୩ ହୋଇଥିବା ବେଳେ ପୁରୁଷ ହେଉଛନ୍ତି ୩୫୮ ଓ ମହିଳା ହେଉଛନ୍ତି ୩୭୫। ମୋଟାମୋଟି ଭାବେ କନ୍ୟାଭ୍ରୂଣକୁ ନେଇ ବାରମ୍ବାର ଆଲୋଚନା ହେଉଥିବା ବେଳେ ଆଦିମ ଜନଜାତି ଜୁଆଙ୍ଗଙ୍କ ମଧ୍ୟରେ ପୁରୁଷଙ୍କ ତୁଳନା‌ରେ ମହିଳାଙ୍କ ସଂଖ୍ୟା ଅଧିକ ରହିବା ଏହି ଜନଜାତିଙ୍କ ପାଇଁ ଏକ ଭଲ ଲକ୍ଷଣ ବୋଲି କୁହାଯାଉଛି।