ଭୁବନେଶ୍ବର : ସମବାୟ ବ୍ୟାଙ୍କଗୁଡ଼ିକୁ ଲାଭଜନକ କରିବା ପାଇଁ ବ୍ୟାଙ୍କ କମ୍ପ୍ୟୁଟରୀକରଣ ସହ କୋର୍-ବ୍ୟାଙ୍କିଙ୍ଗ ପ୍ରଚଳନ ଏମିତି ଅନେକ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। କିଛି ଦିନ ପୂର୍ବରୁ ବିଧାନସଭାର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସଂପର୍କରେ ଏକ ଲମ୍ବା ତଥ୍ୟ ଉପସ୍ଥାପନ କରିଥିଲେ। ହେଲେ, ବାସ୍ତବିକତା ହେଲା- ୩ବର୍ଷ ମଧ୍ୟରେ କୃଷି ଋଣ ଆଦାୟ ଶତପ୍ରତିଶତ ହୋଇପାରିନାହିଁ। ଏମିତିକି ୨୦୧୯ ଏବଂ ୨୦୨୦ ମସିହାରେ ୧୮% ଲେଖାଏଁ ଓ ୨୦୨୧ରେ ୧୯% ମୂଳ ଋଣ ଟଙ୍କା ଆଦାୟ ହୋଇନଥିବା ବେଳେ, ୨୦୧୯ ମସିହାରେ ୨୯% ସୁଧ, ୨୦୨୦ ମସିହାରେ ୩୧% ସୁଧ, ୨୦୨୧ ମସିହାରେ ୩୪ % ସୁଧ ଟଙ୍କା ଅନାଦେୟ ରହିଛି। ଋଣ ଆଦାୟ କ୍ଷେତ୍ରରେ ବଲାଙ୍ଗୀର, ଆସିକା ଏବଂ ଭବାନୀପାଟନା ବ୍ୟାଙ୍କମାନଙ୍କ ପ୍ରଦର୍ଶନ ଚିନ୍ତାଜନକ।
ସରକାରୀ ତଥ୍ୟ ଅନୁସାରେ, ୨୦୧୯ ମସିହାରେ ବଲାଙ୍ଗୀର ୪୫% ଏବଂ ଭବାନୀପାଟନା ୩୯% ଋଣର ମୂଳ ଏବଂ ବଲାଙ୍ଗୀର ୫୪%, ଭବାନୀପାଟନା ୪୫%, ଆସିକା ୪୨% ସୁଧ ଆଦାୟ କରି ପାରିନାହାନ୍ତି। ବର୍ତ୍ତମାନ ସ୍ଥିତିରେ କିଛି ସମବାୟ ବ୍ୟାଙ୍କ ଲାଭରେ ଚାଲୁଥିଲେ ହେଁ ଯଦି ବ୍ୟାଙ୍କମାନଙ୍କ ପ୍ରଦର୍ଶନ ଏମିତି ରହିବ, ତେବେ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ।
୩ ବର୍ଷ ପରେ ବି କୃଷି ଋଣରେ ୧୮% ମୂଳ ଟଙ୍କା ଆଦାୟ ହୋଇନି
୧୮ ଲକ୍ଷ ଚାଷୀଙ୍କୁ ଖରିଫ ଋଣ ପ୍ରଦାନ, ଦାୟିତ୍ବରୁ ଓହରୁଛନ୍ତି ଘରୋଇ ବ୍ୟାଙ୍କ
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହିତ ୧୨ଟି ରାଷ୍ଟ୍ରୀୟ ବ୍ୟାଙ୍କ, ୧୯ଟି ଘରୋଇ ବ୍ୟାଙ୍କ, ୨ଟି ଗ୍ରାମ୍ୟ ବ୍ୟାଙ୍କ, ୫ଟି କ୍ଷୁଦ୍ର ଅର୍ଥ ଲଗାଣ ସଂସ୍ଥା ଜରିଆରେ ଚାଷୀଙ୍କୁ କୃଷି ଋଣ ଦିଆଯାଉଛି। କିନ୍ତୁ ୯ଟି ଘରୋଇ ବ୍ୟାଙ୍କ, ୫ଟି କ୍ଷୁଦ୍ର ଅର୍ଥ ଲଗାଣ ସଂସ୍ଥା ଚାଷୀଙ୍କୁ ଋଣ ଦେଇନାହାନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଋଣ ଦେଉଥିଲେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ କେହି ପୂରଣ କରନ୍ତି ନାହିଁ। ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ କେବଳ ଗୋଟିଏ ବ୍ୟାଙ୍କ ହିଁ ଧାର୍ଯ୍ୟ ଲକ୍ଷ୍ୟର ୮୦ % କୃଷି ଋଣ ଦେଇଛି। ଅନ୍ୟ ବ୍ୟାଙ୍କଗୁଡ଼ିକର ସ୍ଥିତି ନିରାଶାଜନକ ରହିଛି। ଚାଷୀଙ୍କ ସୁବିଧା ଦୃଷ୍ଟିରୁ ସମବାୟ ବ୍ୟାଙ୍କ ଲକ୍ଷ୍ୟଠାରୁ ଅଧିକ ଅର୍ଥାତ ୧୦୨% କୃଷି ଋଣ ଦିଏ। ବିଭିନ୍ନ ଜିଲ୍ଲାରେ ରହିଥିବା ୧୭ଟି ସମବାୟ ବ୍ୟାଙ୍କ ଜରିଆରେ ମଧ୍ୟ ଚାଷୀଙ୍କୁ ରିହାତିରେ କୃଷି ଋଣ ଦିଆଯାଉଛି।
ଚଳିତ ବର୍ଷ ଖରିଫରେ ୧୮ ଲକ୍ଷ ୬୦୫ ଚାଷୀଙ୍କୁ ୮ କୋଟି ୭୦ ଲକ୍ଷ ୯୨ ହଜାର ୬୦୦ ଟଙ୍କା ଦିଆଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୯୭% ଅଟେ। ବଲାଙ୍ଗୀର(୧୧୦%), ଭବାନୀପାଟନା(୧୦୭%), ସୁନ୍ଦରଗଡ଼ (୧୦୧%) ସମବାୟ ବ୍ୟାଙ୍କ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣରେ ଋଣ ଦିଆଯାଇଥିବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୯ ମସିହାରେ ୧୪ କୋଟି ୫୨ ଲକ୍ଷ, ୨୦୨୦ ମସିହାରେ ୧୬ କୋଟି ୨୦ ଲକ୍ଷ, ୨୦୨୧ ମସିହାରେ ୧୫ କୋଟି ୨୭ ଲକ୍ଷ ଟଙ୍କାର କୃଷି ଋଣ ଦିଆଯାଇଛି। ୧ ବର୍ଷ ମଧ୍ୟରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ କଲେ ସୁଧ ଦେବାକୁ ପଡ଼େ ନାହିଁ। ୩ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ୨% ସୁଧ ରହିଛି। ନିର୍ଧାରିତ ସମୟରେ ଋଣ ପ୍ରତିଶୋଧ କରାନଗଲେ ଚାଷୀ ଏହି ଲାଭରୁ ବଞ୍ଚିତ ହୁଏ।
ବିଶେଷଜ୍ଞମାନଙ୍କ କହିବା କଥା ହେଉଛି, ଲକ୍ଷାଧିକ ଟଙ୍କା ଋଣ ଅନାଦେୟ ରହୁଥିବାରୁ ସମବାୟ ବ୍ୟାଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି। ସମବାୟ ବ୍ୟାଙ୍କ ଲାଭରେ ରହୁଥିବା କୁହାଯାଉଥିଲେ ମଧ୍ୟ ଏହା ସେତେଟା ଆଶାଜନକ ନୁହେଁ। କୃଷି ଋଣ ଚାଷର ମେରୁଦଣ୍ଡ। ଏହା ଭୁଶୁଡ଼ି ଗଲେ କୃଷି ବ୍ୟବସ୍ଥା ବରବାଦ ହୋଇଯିବ। ଯେପରି କ୍ଷତି ନ ହେବ ତାହା ଦେଖିବା ଉଭୟ ସମବାୟ ବିଭାଗ ଏବଂ ଚାଷୀଙ୍କ ମୁଖ୍ୟ କାର୍ଯ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/money_loan660x440-1.jpg)