ଭୁବନେଶ୍ବର: ଅନୁଗୁଳ ପୌରପାଳିକା ଦ୍ବାରା ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତିକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଅପରାହ୍‌ଣରେ ବିଭିନ୍ନ ଗାନ୍ଧୀବାଦୀ ସଂଗଠନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ୍‌ଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରାଇଥିଲେ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ବାଲକ୍ରିଷ୍ଣନ୍ ମତ ଦେବା ସହ ଦୁଃଖପ୍ରକାଶ କରିଥିଲେ। ଏହି ଘଟଣାରେ ତୁରନ୍ତ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଥିଲେ।

Advertisment

ଶ୍ରୀ ବାଲକ୍ରିଷ୍ଣନ୍‌ କହିଥିଲେ ଯେ, କୌଣସି ସ୍ଥାନରେ ବରପୁତ୍ରଙ୍କୁ ଅସମ୍ମାନିତ କରାଯିବାକୁ ଦିଆଯିବନାହିଁ। ଏଣିକି ‌ଯେଉଁଠି କୌଣସି ବରପୁତ୍ରଙ୍କ ପ୍ରତିମୂର୍ତି କରାଯିବ ସେଠାରେ ସଂସ୍କୃତି ବିଭାଗର ଅନୁମତି ନେବାକୁ ପଡ଼ିବ। ଯେଉଁମାନେ ବିକୃତ ପ୍ରତିମୂର୍ତି ନିର୍ମାଣ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଯଥାଶୀଘ୍ର ପଦକ୍ଷେପ ନିଆଯାଇ ନୂତନ ପ୍ରତିମୂର୍ତି ଓଡ଼ିଆ ଶିଳ୍ପୀଙ୍କ ଦ୍ବାରା ନିର୍ମାଣ କରାଯିବ। ଏହାସହ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ଟିମ୍ ଅନୁଗୁଳ ଗସ୍ତ କରିବେ। ବାଜି ରାଉତ ଛାତ୍ରାବାସର ଯେଉଁସବୁ ସମସ୍ୟା ରହିଛି ତା’ର ଅନୁଧ୍ୟାନ କରି ଦୂର କରାଯିବ। ମହାତ୍ମା ଗାନ୍ଧୀ ଯେଉଁ ରାସ୍ତାରେ ଆସିଥିଲେ ଓ ଯେଉଁ ଗାନ୍ଧୀ ଭବନ ନିର୍ମାଣ ହେବାକୁ ଚିହ୍ନଟ ହୋଇଥିଲା ସେଠାରେ ହିଁ ଗାନ୍ଧୀ ଭବନ ନିର୍ମାଣ ହେବ।

ଅନୁଗୁଳ ବାଜି ରାଉତ ଛାତ୍ରାବାସର ସଭାପତି ଶୈଳର ରବିଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟାଙ୍କୁ ଭେଟିଥିଲେ। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଓଡ଼ିଶା ଅଧ୍ୟକ୍ଷ ଜଷ୍ଟିସ ମନୋରଂଜନ ମହାନ୍ତି, ସଂପାଦକ ବିରୂପାକ୍ଷ ତ୍ରିପାଠୀ, ଲୋହିଆ ଏକାଡେମିର ସଂପାଦକ ଦେବ ପ୍ରସାଦ ରାୟ, ରାଜ୍ୟ ଯୁବା ସଂଗଠନର ସଦସ୍ୟ ଡା.ବିଶ୍ବଜିତ ପ୍ରମୁଖ ଭେଟି ଆଲୋଚନା କରିଥିଲେ। ଅନୁଗୁଳରେ ଗାନ୍ଧୀ ଭବନ ନିର୍ମାଣ ଓ ବାଜି ରାଉତ ଛାତ୍ରାବାସର ପୁନରୁଦ୍ଧାର ନେଇ ଆଲୋଚନା କରିଥିଲେ।