ବ୍ରହ୍ମପୁର : ପୁଅ ଭଳି ପାଳିଥିବା ପୋଷାକୁକୁର ପ୍ରତି ଅନାବିଳ ପ୍ରେମ ଓ ସ୍ନେହର ନିଦର୍ଶନ ଦେଖାଇଛନ୍ତି ଏକ ପରିବାର। ପୁଅର ମୃତ୍ୟୁ ପରେ ଦୁଃଖକୁ ଭୁଲିବା ପାଇଁ କୁକୁରଛୁଆକୁ ପାଳି ସ୍ନେହରେ ତାର ନାମ ‘ଡୁଗୁ’ ବୋଲି ରଖିଥିଲେ। ପରିବାର ସଦସ୍ୟ ଭଳି ତାର ଲାଳନପାଳନ କରିଥିଲେ। କିନ୍ତୁ ଦଇବ ତାକୁ ମଧ୍ୟ ଛଡ଼ାଇନେଲା। ଆଉ ପୋଷାକୁକୁରର ମୃତ୍ୟୁ ପାଇଁ ଚିକିତ୍ସାରେ ଅବ‌ହେଳାକୁ ସେମାନେ ଦାୟୀ କରିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସଠିକ୍ ପ୍ରକ୍ରିୟା‌ରେ ଏହାର ତଦନ୍ତ କରିବାକୁ ନିବେଦନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଜିଲୁଣ୍ଡି ଗ୍ରାମରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

publive-image

ଜିଲୁଣ୍ଡି ଗ୍ରାମର ଠାକୁରାଣୀ ମନ୍ଦିର ସାହିର ବାସିନ୍ଦା ଗଣପତି ଡାକୁଆ ଓ ସାବିତ୍ରୀଙ୍କ ପରିବାର କହିଲେ ପାଖରେ ତାଙ୍କର ଏକମାତ୍ର ଝିଅ ଅଛି। ପୁଅକୁ ୧୨ ବର୍ଷ ହୋଇଥିବା ବେଳେ ସେ ବ୍ରେନ୍‌ ମ୍ୟାଲେରିଆରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲା। ଏକମାତ୍ର ପୁଅକୁ ହରାଇ ଗଣପତି ଓ ସାବିତ୍ରୀ ଭାଙ୍ଗିପଡ଼ିଥିଲେ। ଏହାପରେ ସେମାନେ ଏକ କୁକୁରକୁ ପୁଅ ଭାବେ ଗ୍ରହଣ କରିଥିଲେ। ଯାହାର ନାମ ‘ଡୁଗୁ’ ରଖାଯାଇଥିଲା। ପ୍ରାୟ ୪ବର୍ଷ ହେଲା ଡୁଗୁ ପୁଅ ଭଳି ସାବିତ୍ରୀଙ୍କ ପାଖରେ ରହୁଥିଲା। ସାବିତ୍ରୀଙ୍କ ଝିଅ ସନ୍ତୋଷିନୀ ମଧ୍ୟ ତାକୁ ଭାଇଠୁ ଅଧିକ ଭଲ ପାଉଥିଲା। ଗତ ୧୭ତାରିଖରେ ହଠାତ୍‌ କୁକୁରଛୁଆ ଡୁଗୁର ଦେହ ଖରାପ ହୋଇଯାଇଥିଲା। ଏଣୁ ପରିବାର ଲୋକେ ତାକୁ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଡୁଗୁକୁ ଇଞ୍ଜେକ୍ସନ୍ ଦେଇଥିଲେ। କିଛିସମୟ ପରେ ସେ ଭଲ ହୋଇଯିବ ବୋଲି କହି ଘରକୁ ନେଇଯିବାକୁ କହିଥିଲେ। ଘରକୁ ନେବାର କିଛି ଘଣ୍ଟାପରେ ଡୁଗୁ ଆହୁରି ଗୁରୁତର ହୋଇପଡ଼ିଥିଲା। ଏହାପରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏନେଇ ସାବିତ୍ରୀ ଓ ଝିଅ ସନ୍ତୋଷିନୀ ପ୍ରାଣୀଚିକିତ୍ସା କେନ୍ଦ୍ର ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଫଳରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ସାବିତ୍ରୀ ଭଞ୍ଜନଗର ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାବିତ୍ରୀ ଅନୁରୋଧ କରିଛନ୍ତି। ‘ଡୁଗୁ’ ଅନ୍ୟମାନଙ୍କ ପାଇଁ ପଶୁ ହୋଇଥିବ, କିନ୍ତୁ ଆମ ପାଇଁ ସେ ପୁଅ ଥିଲା ବୋଲି ସାବିତ୍ରୀ କହିଛନ୍ତି। ପରିବାରବର୍ଗ ତାର ଅନ୍ତିମ ସଂସ୍କାର କରିଛନ୍ତି।