କୁନ୍ଦୁରା: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଭୁଷାଙ୍ଗଗୁଡ଼ା ପଞ୍ଚାୟତ ଖଟଲାପଦର ଗ୍ରାମ କୋଲବ ସେତୁରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ଭୋଜି ଖାଇବାକୁ ଯାଉଥିବା କନ୍ୟାଯାତ୍ରୀ ପିକ୍ଅପ୍ ଭ୍ୟାନ୍ ପୋଲ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୈପାରିଗୁଡ଼ା ବ୍ଲକ୍ ମାଲାଗୁଡ଼ା ଗ୍ରାମର ସୁଥି ବାଲିଆ(୬୧) ଓ କୁପଲିଗୁଡ଼ା ଗ୍ରାମର ସ୍କୁଲ୍ ଛାତ୍ରୀ ଲଛମା ରାମପୁରିଆ। ଦୁର୍ଘଟଣାରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ବୈପାରିଗୁଡ଼ା ବ୍ଲକ୍ ଧଳପୁର ଗ୍ରାମର ଜଣେ ଯୁବତୀଙ୍କ ବାହାଘର ଉତ୍ସବ ଶନିବାର ସରିଥିଲା। ବିବାହ ପରେ କନ୍ୟା ନିଜ ଶ୍ବଶୁର ଘର ବୋରିଗୁମ୍ମା ବ୍ଲକ ନୂଆଗାଁ ପଞ୍ଚାୟତ ଡୁଡସାପାଲିକୁ ଚାଲି ଯାଇଥିଲେ। ବର ଘର ପକ୍ଷରୁ ନିମନ୍ତ୍ରଣ ପାଇଁ ଆଜି ସକାଳେ ଧଳପୁର, ମାଲାଗୁଡ଼ା, କୁପଲିଗୁଡ଼ା, ପିପାଗୁଡ଼ା ଗ୍ରାମର ୪୦ରୁ ୪୫ ଜଣ ଏକ ପିକ୍ଅପ୍ ଭ୍ୟାନ୍ (ଓଡି-୧୦ଡି-୭୯୧୧) ଯୋଗେ ବାହାରିଥିଲେ। କୁନ୍ଦୁରାରେ କନ୍ୟା ଯାତ୍ରୀ ଜଳଖିଆ ଖାଇବା ପରେ ବୋରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ଖଟଲାପଦର କୋଲାବ ସେତୁ ନିକଟରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଭାରସାମ୍ୟ ହରାଇଥିଲା। ଗାଡ଼ିର ବେଗ ତୀବ୍ର ଥିବାରୁ ଗାଡ଼ିଟି ବ୍ରିଜରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା। ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ି ଘଟଣା ସ୍ଥଳରେ ଥିବା ଲୋକଙ୍କୁ ୧୦୮ ଆମ୍ବୁଲାନସ୍ ଡାକିବାକୁ କହି ଚମ୍ପଟ ମାରିଥିଲା। ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ବିଜୁଳି ବେଗରେ ପ୍ରଚାରିତ ହେବା ପରେ ପୋଲ ନିକଟରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, କୋଟପାଡ଼ ବିଜେଡି ପର୍ଯ୍ୟବେକ୍ଷକ ମୁନା ରଥ, କୁନ୍ଦୁରା ବ୍ଲକ୍ ବିଜେଡି ସଭାପତି ବୃନ୍ଦାବନ ମଲ୍ଲିକଙ୍କ ସମେତ ବହୁ ନେତା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Untitled-2-1.jpg)