ଯାଜପୁରସଦର: ଯାଜପୁର ଜିଲ୍ଲାର ୪ ଟି ପ୍ରମୁଖ ଚିକିତ୍ସାଳୟକୁ ୫-ଟି ଯୋଜନାରେ ରୂପାନ୍ତରୀକରଣ କରାଯିବ। ଖୁବ୍ଶୀଘ୍ର ଏହାର ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଯାଜପୁରରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୫-ଟି ଯୋଜନାରେ ରୂପାନ୍ତରିତ କରାଯିବ। ଚଳିତ ବର୍ଷ ଏହାର ନିର୍ମାଣ ଆରମ୍ଭ ହୋଇ ଗୋଟିଏ ବର୍ଷ ଅର୍ଥାତ ୨୦୨୩ ଶେଷ ସୁଦ୍ଧା ସଂପୂର୍ଣ୍ଣ କରାଯିବ।
ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ଲାବୋରୋଟାରି, ଅଲଟ୍ରାସାଉଣ୍ଡ ବିଭାଗରେ ଅଧିକ ମେସିନ୍ ସହ ପ୍ରଶିକ୍ଷିତ ଡାକ୍ତର ଯୋଗାଇଦିଆଯିବ। ଏଥିସହ ବହୁ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇବେ। ଏମ୍ସିଏଚ୍ କୋଠାର ଉନ୍ନତୀକରଣ ସହିତ ପୁରୁଣା କୋଠାର ନବୀକରଣ କରାଯିବ। ଦୂରଦୂରାନ୍ତରୁ ଆସୁଥିବା ସମସ୍ତ ରୋଗୀ କିପରି ଚିକିତ୍ସା ସେବା ପାଇପାରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସମସ୍ତ ଡାକ୍ତର ଓ ନର୍ସ ଏବଂ ଅନ୍ୟ ଷ୍ଟାଫଙ୍କ ପାଇଁ କ୍ୱାର୍ଟର୍ସ ନଥିବାରୁ ହସ୍ପିଟାଲଠାରୁ ଦୂରରେ ଭଡ଼ାଘର ନେଇ ରହିବାକୁ ପଡୁଛି। ଫଳରେ ଆବଶ୍ୟକ ସମୟରେ ଡାକ୍ତର ଓ ନର୍ସଙ୍କ ପହଞ୍ଚିବାରେ ବିଳମ୍ବ ହେଉଛି। ଚଳିତ ମାସ ଏହି ରୂପାନ୍ତରୀକରଣ କାମ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି।