ସମ୍ବଲପୁର: ୫ ବର୍ଷରେ ରାଜ୍ୟରେ ୧୫ ହଜାର ଯକ୍ଷ୍ମାରୋଗୀ ବଢ଼ିଛନ୍ତି। ୨୦୨୦ ମସିହାରେ ଏହି ରୋଗୀଙ୍କ ସଂଖ୍ୟା ୪୫ ହଜାର ୩୩୦ ଥିବାବେଳେ ୨୦୨୪ ମସିହାରେ ୬୦ ହଜାର ୧୭୯କୁ ପହଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟରେ ସୂଚନା ଦିଆଯାଇଛି। ଯକ୍ଷ୍ମା ମୁକାବିଲା ପାଇଁ ସରକାରୀସ୍ତରରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି। ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ (କିଟ୍) କରାଯାଉଛି। ଏହା ସତ୍ତ୍ବେ ରୋଗୀ ସଂଖ୍ୟା ହ୍ରାସ ପାଇବା ବଦଳରେ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ୨୦୨୧ ମସିହାରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୫୨ ହଜାର ୨୨୫, ୨୦୨୨ରେ ୬୦ ହଜାର ୧୮୫ ଓ ୨୦୨୩ ମସିହାରେ ୬୧ ହଜାର ୧୮୫ ରୋଗୀ ଥିଲେ। ୨୦୨୪ରେ କେବଳ ରୋଗୀ ସଂଖ୍ୟା ପୂର୍ବବର୍ଷଠାରୁ ସାମାନ୍ୟ କମିଥିଲା। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ସହରାଞ୍ଚଳର ବସ୍ତି ଅଞ୍ଚଳ ଯେଉଁଠି ଘର ପାଖାପାଖି ହୋଇ ରହିଥାଏ, ସେଠାରେ ଯକ୍ଷ୍ମାରୋଗ ଶୀଘ୍ର ବ୍ୟାପିଯାଏ। ଏଥିପାଇଁ ଯକ୍ଷ୍ମା ରୋଗୀଙ୍କୁ ଅଲଗା ରଖାଯାଏ। ଗତ କିଛି ବର୍ଷହେଲା ରାଜ୍ୟର ଖଣି ଓ କାରଖାନା ନିକଟସ୍ଥ ଅଞ୍ଚଳଗୁଡ଼ିକରେ ପ୍ରଦୂଷଣ ଯୋଗୁଁ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଡାକ୍ତରମାନେ ମତ ଦେଉଛନ୍ତି। ଉକ୍ତ ଅଞ୍ଚଳ ସବୁଜ ପରିବେଶଯୁକ୍ତ ଗ୍ରାମାଞ୍ଚଳ ହୋଇଥିଲେ ସୁଦ୍ଧା ଲୋକେ ଯକ୍ଷ୍ମା କବଳରୁ ନିସ୍ତାର ପାଉନାହାନ୍ତି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି, ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାର ଯୋଡ଼ା, ବଡ଼ବିଲ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରାଞ୍ଚଳ, ରାଜଗାଙ୍ଗପୁର, କୁଆରମୁଣ୍ଡା, କୋଇଡ଼ା ଏହାର ଉଦାହରଣ।
ରିପୋର୍ଟ ଅନୁସାରେ କଟକ ସହରାଞ୍ଚଳରେ ରାଜ୍ୟର ସର୍ବାଧିକ ୧୧୨୧, ଭୁବନେଶ୍ବର କ୍ୟାପିଟାଲ ଡାକ୍ତରଖାନାରେ ୯୭୫ ଯକ୍ଷ୍ମା ରୋଗୀ ଚିକିତ୍ସିତ ହୋଇଛନ୍ତି। ସେଠାରେ ସ୍ଥାନୀୟ ରୋଗୀଙ୍କ ବ୍ୟତୀତ ବାହାରୁ ଯାଇଥିବା ରୋଗୀ ମଧ୍ୟ ଚିକିତ୍ସିତ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ଯକ୍ଷ୍ମା ରୋଗର ଉଦ୍ବେଗଜନକ ଚିତ୍ର ପଦାକୁ ଆସିଛି। ୨୦୨୪ ମସିହାରେ ଅନୁଗୁଳ ଜିଲ୍ଲାରେ ଚିକିତ୍ସିତ ହୋଇଥିବା ୧୫୬୫ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ଅନୁଗୁଳର ସର୍ବାଧିକ ୩୭୬, ପାଲଲହଡ଼ାର ୨୫୮, ତାଳଚେରର ୨୧୮ ଜଣ ଥିଲେ। ବଲାଙ୍ଗୀରର ୧୪ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ୧୮୮୯ ରୋଗୀଙ୍କ ମଧ୍ୟରୁ ବଲାଙ୍ଗୀରଜିଲ୍ଲା ଚିକିତ୍ସାଳୟରେ ସର୍ବାଧିକ ୨୮୯, ବେଲପଡ଼ାରେ ୧୮୧, ପାଟଣାଗଡ଼ରେ ୧୮୪ ଏବଂ ଟିଟିଲାଗଡ଼ରେ ୧୭୯ ଥିଲେ। ବରଗଡ଼ର ୧୨ ଚିକିତ୍ସା କେନ୍ଦ୍ରରେ ୧୯୦୧ ଜଣ ଚିକିତ୍ସିତ ହୋଇଛନ୍ତି। ଏଥିରୁ ବରଗଡ଼ ଜିଲ୍ଲା ଚିକିତ୍ସାଳୟରେ ସର୍ବାଧିକ ୪୭୦, ପଦମପୁରର ୧୬୪, ସୋହେଲାର ୧୬୨ ରୋଗୀ ଚିକିତ୍ସିତ ହୋଇଥିଲେ। ବୌଦ୍ଧର ୩ ଚିକିତ୍ସା କେନ୍ଦ୍ରରେ ସମୁଦାୟ ୩୮୦ ଓ ଦେବଗଡ଼ରେ ୪୨୨ ଜଣ ଚିକିତ୍ସିତ ହୋଇଛନ୍ତି।
ପଶ୍ଚିମଓଡ଼ିଶାର ଚିତ୍ର ଉଦ୍ବେଗଜନକ
ଖଣି ପାଖ ଗାଁଗୁଡ଼ିକରେ ଅଧିକ ଆକ୍ରାନ୍ତ
ଫେଲ୍ ମାରୁଛି ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ
ବୌଦ୍ଧ ମନମୁଣ୍ଡାରେ ସର୍ବାଧିକ ୧୩୫, ବୌଦ୍ଧରେ ୧୩୩ ଏବଂ ଆଡେଣିଗଡ଼ରେ ୧୧୨ ଜଣ ଚିକିତ୍ସିତ ହୋଇଥିଲେ। ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ସର୍ବାଧିକ ୧୬୯, ବାରକୋଟରେ ୧୩୯ ଏବଂ ଛତାବରରେ ୧୧୪ ରୋଗୀ ଥିଲେ। ଝାରସୁଗୁଡ଼ାର ୫ ଚିକିତ୍ସା କେନ୍ଦ୍ରରେ ୯୧୦ ରୋଗୀ ଥିଲେ। ସେଥିରୁ ଝାରସୁଗୁଡ଼ାରେ ସର୍ବାଧିକ ୪୬୯, ଲଖନପୁରରେ ୨୩୨ ଚିକିତ୍ସିତ ହୋଇଛନ୍ତି। ନୂଆପଡ଼ାର ୫ ଚିକିତ୍ସା କେନ୍ଦ୍ରରେ ୯୧୬ ଯକ୍ଷ୍ମା ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ରିପୋର୍ଟ ଆସିଛି। ଏଥିରୁ ନୂଆପଡ଼ାରେ ସର୍ବାଧିକ ୨୪୦, କୋମନାରେ ୨୦୮, ଖରିଆରରେ ୧୮୦, ସିନାପାଲିରେ ୧୪୪ ଚିକିତ୍ସିତ ହୋଇଥିବା ରିପୋର୍ଟ କହୁଛି। ସମ୍ବଲପୁରର ୧୯୬୦ ଯକ୍ଷ୍ମା ଆକ୍ରାନ୍ତଙ୍କ ମଧ୍ୟରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସର୍ବାଧିକ ୯୭୫, ରେଙ୍ଗାଲିରେ ୨୧୭, ଠେମରାରେ ୧୩୮ ରୋଗୀ ଚିକିତ୍ସିତ ହୋଇଥିଲେ। ସୁନ୍ଦରଗଡ଼ରେ ସର୍ବାଧିକ ୩୮୩୨ ଯକ୍ଷ୍ମା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ରାଉରକେଲା ସରହାଞ୍ଚଳରେ ସର୍ବାଧିକ ୮୭୨, ରାଜଗାଙ୍ଗପୁରରେ ୩୧୪, କୋଇଡ଼ାରେ ୨୧୬ ରୋଗୀ ଥିବା ଜଣାପଡ଼ିଛି।
ଗାଁରେ କୌଣସି ବ୍ୟକ୍ତିଙ୍କୁ ଜ୍ବର ସହିତ କଫ, କାଶ ହେଲେ ଆଶାକର୍ମୀ ତାଙ୍କୁ ଚିହ୍ନଟ କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ କଫ ପରୀକ୍ଷା କରାନ୍ତି। ଯକ୍ଷ୍ମା ଚିହ୍ନଟ ହେଲେ ଆଶାକର୍ମୀ ଏବଂ ସ୍ଥାନୀୟ ଯକ୍ଷ୍ମା ନିୟନ୍ତ୍ରଣ ସ୍ବାସ୍ଥ୍ୟକର୍ମୀଙ୍କ ତତ୍ତ୍ବାବଧାନରେ ରୋଗୀ ଔଷଧ ଖାଇଥାଆନ୍ତି। ସମସ୍ତ ଔଷଧ ମାଗଣାରେ ଦିଆଯାଏ। ଏହା ସତ୍ତ୍ବେ ଯକ୍ଷ୍ମା ବଢ଼ିବା ଚିନ୍ତାର ବିଷୟ ହୋଇଛି।