ଖଣି ବିସ୍ଥାପିତ ଅଞ୍ଚଳର ମାର୍ମିକ ଚିତ୍ର: ପ୍ରଜାଙ୍କ ପାଇଁ  ଗାଁ ଛାଡ଼ୁ ନାହାନ୍ତି ଗୌନ୍ତିଆ

ସୁନ୍ଦରଗଡ଼: ଭିଟାମାଟି ଓ ଚାଷ ଜମିର କ୍ଷତିପୂରଣ ନେଇ ଗୋଟିଏ ପରେ ଗୋଟିଏ ୪୭ ପରିବାର ପୁନର୍ବାସ କଲୋନିକୁ ଚାଲିଗଲେଣି। ସେମାନଙ୍କ ପୂର୍ବପୁରୁଷ ଅର୍ଜିଥିବା ଘରବାଡ଼ିକୁ ମାଟିରେ ମିଶାଇ ଦେଲାଣି କମ୍ପାନି ବୁଲଡୁଜର। ଦେଖିଲେ ଲାଗୁଛି ଗୋଟିଏ ବିରାଟ ଝଡ଼ ଗାଁକୁ ଉଜାଡ଼ି ଦେଇଯାଇଛି। ତଥାପି ସେହି ଉଜୁଡ଼ା ଗାଁକୁ ଜଗି ରହିଛନ୍ତି ମୁଖିଆ, ଗାଁ ଗୌନ୍ତିଆ। କାରଣ ଏବେ ବି ଗାଁରେ ଆହୁରି ୮ଟି ପରିବାର ଛାଡ଼ି ନାହାନ୍ତି ଘର। କମ୍ପାନି ସେମାନଙ୍କୁ କ୍ଷତିପୂରଣ ନଦେଇ ଜୋର୍ କରି ଘରୁ ତଡ଼ିଦେବାକୁ ଉଦ୍ୟମ ଚଲାଇଛି। କମ୍ପାନିର ଏ ମସୁଧା ବିରୋଧରେ ପ୍ରଚୀର ଭଳି ଠିଆ ହୋଇଛନ୍ତି ଗୌନ୍ତିଆ। ସେମାନେ ସମସ୍ତେ ନଯିବା ଯାଏ ଗାଁ ଛାଡ଼ିବେ ନାହିଁ ବୋଲି ସେ ପଣ କରିଛନ୍ତି।

ଏହି ମାର୍ମିକ ଚିତ୍ରଟି ଆସିଛି  ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକସ୍ଥିତ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାିପିତ ଗାଁ ବେଲଡିହିରୁ। କୋଇଲା ଖଣି ପାଇଁ ବେଲଡିହି ଗାଁକୁ ଅଧିଗ୍ରହଣ କରି ନେଇଛି ଏନଟିପିସି। ଗାଁର ୫୫ଟି ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ୪୭ଟି ପରିବାରକୁ କ୍ଷତିପୂରଣ ଓ ଅନ୍ୟ ସୁବିଧା ଦେଇ ପୁନର୍ବାସ କଲୋନିରେ ଥଇଥାନ କରାଯାଇଛି। ଏହା ମଧ୍ୟରେ କମ୍ପାନି ପକ୍ଷରୁ ସେମାନଙ୍କ ଘର ସବୁ ଭାଙ୍ଗି ଦିଆଗଲାଣି। କିନ୍ତୁ ୮ଟି ପରିବାର କ୍ଷତିପୂରଣ, ଥଇଥାନ ସମସ୍ୟାକୁ ନେଇ ଗାଁ ଛାଡ଼ି ନାହାନ୍ତି। ସାବିତ ରାଉତ, ରକ୍ଷ ପଧାନ, ବଂଶୀଧର ରାଉତ, ଉଷାବତୀ ସାଏ ଆଦି ବିସ୍ଥାପିତ ପରିବାରକୁ  ପ୍ରାଶାସନିକ ନିଷ୍ପତ୍ତି ଅନୁଯାୟୀ ଘର ଓ ଅନ୍ୟାନ୍ୟ କ୍ଷତିପୂରଣ ଦେବାକୁ କମ୍ପାନି  ବିଳମ୍ବ କରୁଥିବାରୁ ଏମାନେ ନିଜ ଘର ଛାଡ଼ିବାକୁ ଅମଙ୍ଗ। ରୁଦ୍ର ପଧାନ ନାମକ ବିସ୍ଥାପିତଙ୍କ ଘର ଓ ଗଛର ସର୍ଭେ ସରିଥିବା ସତ୍ତ୍ୱେ ସେ ଏଯାଏଁ କ୍ଷତିପୂରଣ ଅର୍ଥ ପାଇନାହାନ୍ତି।

ଅନ୍ୟପଟେ ୩ଟି ଭୂମିହୀନ ପରିବାର ଡିଲେଶ୍ବର ଭୋଇ, ଯଶୋବନ୍ତ ନାଏକ ଓ ସଲଦେବ ସାଏକୁ ପୁନର୍ବାସ କଲୋନିରେ ଘର ଦେବାକୁ ଏନଟିପିସି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।  ପ୍ରଶାସନର ନିଷ୍ପତ୍ତିକ୍ରମେ ଡୁଲିଙ୍ଗାର କିଛି ଭୂମିହୀନଙ୍କୁ କଲୋନିରେ ପୁନର୍ବାରସ ସୁବିଧା ଦିଆଯାଇଥିବା ବେଳେ ବେଲଡିହିର ଭୂମିହୀନଙ୍କ ପ୍ରତି କମ୍ପାନିର ବାଛବିଚାର କରାଯାଉଥିବା ଅଭିଯୋଗ ରହିଛି। ଘର ନମିଳିଲେ କେଉଁଠି ରହିବେ, ସେ ଚିନ୍ତାରେ ସେମାନେ ମଧ୍ୟ ଗାଁରେ ପଡ଼ି ରହିଛନ୍ତି। କିନ୍ତୁ  କମ୍ପାନି ଖଣି ବିସ୍ଥାପିତଙ୍କୁ ହଟାଇବା ପାଇଁ ଗାଁ ପାଖ ଦେଇ ବହି ଯାଇଥିବା ଚିରସ୍ରୋତା ନାଳକୁ ଖଣି ବର୍ଜ୍ୟ ପକାଇ ଗତିରୋଧ କରି ଦେଇଛି। ଫଳରେ ବର୍ଷା ଦିନେ ଗାଁ ଜଳମଗ୍ନ ହେବ ଓ ଲୋକେ ଗାଁ ଛାଡ଼ିବାକୁ ବାଧ୍ୟ ହେବେ। ଗାଁ ଲୋକଙ୍କୁ ତଡ଼ିବାକୁ ଏନଟିପିସି ଏହି ଚକ୍ରାନ୍ତ ଚଲାଇଛି ବୋଲି ପ୍ରଭାବିତ ଅଭିଯୋଗ କରିଛନ୍ତି।

ତେବେ ଏସ୍ଥିତିରେ ଗାଁର ସେହି ୮ଟି ପରିବାର ସହ  ଠିଆ ହୋଇଛନ୍ତି ୬୮ ବର୍ଷିୟ ଗୌନ୍ତିଆ ଘନଶ୍ୟାମ ପ୍ରଧାନ। ତାଙ୍କ ଜମି ଓ ଘରବାଡ଼ିର କ୍ଷତିପୂରଣ କମ୍ପାନି ଦେଇ ସାରିଛି। ଏପରିକି ତାଙ୍କ ଚାରି ପୁଅ ପରିବାରଙ୍କ ମଧ୍ୟରୁ ଦୁଇ ପୁଅ ସୁରଥ ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନ ଘର ଛାଡ଼ି କଳାମେଘାସ୍ଥିତ ପୁନର୍ବାସ କଲୋନିକୁ ଚାଲିଗଲେଣି। ହେଲେ ଗୌନ୍ତିଆ ଘନଶ୍ୟାମ ସ୍ତ୍ରୀ ସୁଲୋଚନା ଓ ଅନ୍ୟ ଦୁଇ ପୁଅ ରାଜେନ୍ଦ୍ର, ତେଜରାମଙ୍କ ସହ ଗାଁରେ ଅଟକି ରହିଛନ୍ତି। ଘନଶ୍ୟାମ କହନ୍ତି, ‘୭୦ ବର୍ଷ ତଳେ ବାପା ଏଠାରେ ଖୁଟକାଟି ଗାଁ ବସାଇଥିଲେ। ଲୋକଙ୍କୁ ଜାଗାବାଡ଼ି ଦେଇ ନିଜ ପାଖରେ ରଖିଥିଲେ। ସମସ୍ତେ ଏକାଠି, ଆପଣାର ହୋଇ ଚଳିଆସିଛୁଁ। ଏହା ସତ, ଆମ ପିତୃପୁରୁଷଙ୍କ ରକ୍ତରେ ଗଢ଼ା  ଗାଁଟି ଆଉ କିଛି ଦିନ ପରେ  ଆମ ଆଖି ଆଗରେ ହିଁ ମାଟିରେ ମିଶିଯିବ। କିନ୍ତୁ ଗାଁରେ ଗୋଟିଏ ବି ଘର ଓ  ଜଣେ ବି  ଲୋକ ଥିବା ଯାକେ କେମିତି ସେମାନଙ୍କୁ ଛାଡ଼ି ଯାଇପାରିବି’ ବୋଲି କହୁଥିଲେ ଘନଶ୍ୟାମ। ଏବେ ଚାରିଆଡ଼େ ଘନଶ୍ୟାମଙ୍କ ପ୍ରଶଂସା।  କହୁଛନ୍ତି, ‘ରାଜା ହେବ ତ ଏମିତି’।

ସମ୍ବନ୍ଧିତ ଖବର