ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଝୁଲଣକୁଞ୍ଜରେ ପରିଣତ ହୋଇଛି। ବିଭିନ୍ନ ପଶୁପକ୍ଷୀ, ଜୀବଜନ୍ତୁଙ୍କ ପ୍ରତିକୃତିରେ ସୁସଜ୍ଜିତ ହୋଇଛି ଏହି ଝୁଲଣକୁଞ୍ଜ। ସେପଟେ ଦକ୍ଷିଣଘରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ ଝୁଲଣମଣ୍ଡପକୁ ବି‌ଜେ ପରେ ଝୁଲଣକୁଞ୍ଜରେ ସଖୀ, ସହଚରୀଙ୍କ ସହ ଦୋଳି ଖେଳିଛନ୍ତି। ୭ ଦିନ ଧରି ଶ୍ରୀମନ୍ଦିରରେ ଝୁଲଣଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏଥିପାଇଁ ମୁକ୍ତିମଣ୍ଡପ ଝୁଲଣକୁଞ୍ଜକୁ ଆଲୋକମାଳାରେ ସଜାଯାଇଛି।

Advertisment

ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଶ୍ରୀକ୍ଷେତ୍ରର ମଠ, ମନ୍ଦିରରେ ବି ଆଜିଠାରୁ ଝୁଲଣଯାତ୍ରା ଆରମ୍ଭ ହୋଇଛି। ଦେବଦେବୀଙ୍କୁ ଝୁଲଣକୁଞ୍ଜରେ ବସାଇ ଦୋଳି ଖେଳାଇଛନ୍ତି। ଏଥିପାଇଁ ମଠ, ମନ୍ଦିରରେ ବ୍ୟାପକ ସାଜସଜା ପୂର୍ବକ ଝୁଲଣକୁଞ୍ଜ ପ୍ରସ୍ତୁତ କରାଯାଇଛି। ଜଗନ୍ନାଥବଲ୍ଲଭ ମଠ, ରାଧାବଲ୍ଲଭ ମଠ, ରା‌ଧେଶ୍ୟାମ ମଠ, ମଣିରାମ ମଠ ପ୍ରମୁଖ ଝୁଲଣର ବଡ଼ ବଡ଼ ତୋରଣ ପ୍ରସ୍ତୁତ କରିବା ସହ ରାଧାକୃଷ୍ଣଙ୍କ ସହ ଅନ୍ୟ ଦେବଦେବୀଙ୍କୁ ଝୁଲଣକୁଞ୍ଜରେ ବସାଇ ପୂଜାର୍ଚ୍ଚନା କରିଛନ୍ତି। ଅନ୍ନ ବ୍ୟଞ୍ଜନଠାରୁ ଆରମ୍ଭ କରି ନାନାଦି ଭୋଗ ଲାଗି କରିଛନ୍ତି।

ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ, ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ବୃନ୍ଦାବନରେ ବାସ କରୁଥିଲେ। ବର୍ଷାକାଳରେ ଗୋପାଙ୍ଗନାମାନେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଯମୁନା କୁଞ୍ଜରେ ଦୋଳିରେ ବସାଇ ଝୁଲାଉଥିଲେ। ଏଥିରେ କେବଳ ରାଧା-କୃଷ୍ଣ ନୁହନ୍ତି, ଗୋପାଙ୍ଗନାମାନେ ମଧ୍ୟ ଆନନ୍ଦ ପାଉଥିଲେ। ବର୍ଷାକାଳରେ ହେଉଥିବା ଏହି ରାସକୁ ପ୍ରାବୃତରାସ ବୋଲି କୁହାଯାଇଥାଏ। ଏହି ରାସର ସ୍ମରଣରେ କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ପାଳିତ ହୋଇ ଆସୁଛି। ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ଶ୍ରାବଣ ଶୁକ୍ଳ ଦଶମୀ ତିଥିଠାରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଚାଲିଥାଏ। ଏଥିପାଇଁ ମୁକ୍ତିମଣ୍ଡପକୁ ଝୁଲଣ ମଣ୍ଡପ ତଥା ଝୁଲଣକୁଞ୍ଜରେ ପରିଣତ କରାଯାଇଛି। ଜରି, ଜମ୍ବୁରା, ସୋଲ ଖଚିତ ଦୋଳିକୁ ଫୁଲରେ ସଜ୍ଜା ଯାଇଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ ଏହି ଝୁଲଣମଣ୍ଡପରେ ବିଜେ କରିବା ପରେ ସେବକମାନେ ଦୋଳି ଟାଣି ବିଜେ ଠାକୁରଙ୍କୁ ଝୁଲାଇଛନ୍ତି। ତଳେ ଭଜନକୀର୍ତ୍ତନର ବି ବ୍ୟବସ୍ଥା କରାଯାଇଛି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ମଧ୍ୟାହ୍ନଧୂପ ପରେ ମହାପ୍ରଭୁଙ୍କ ଶୃଙ୍ଗାର ହୋଇଥିଲା। ସନ୍ଧ୍ୟା ଆଳତି ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଦକ୍ଷିଣ ଘରୁ ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ ଝୁଲଣମଣ୍ଡପକୁ ବିଜେ କରିଥିଲେ। ଚନ୍ଦନଲାଗି ଆରମ୍ଭ ହେବା ପରେ ଝୁଲଣକୁଞ୍ଜରୁ ପନ୍ତି ଭୋଗ ଖାଇ ପ୍ରଭୁ ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ ଦକ୍ଷିଣ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଜି ଝୁଲଣମଣ୍ଡପରେ ଦୋଳି ଖେଳିବାର ଦୃଶ୍ୟକୁ ଭକ୍ତମାନେ ମନଭରି ଦେଖିଛନ୍ତି। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି। ଝୁଲଣଯାତ୍ରା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୀତିକାନ୍ତି ଚାଲିବା ସହ ଭକ୍ତଙ୍କ ଭିଡ଼ ଲାଗିଥିଲା।