ବ୍ରହ୍ମପୁର/ଦିଗପହଣ୍ଡି : ଜାତୀୟସ୍ତରରେ ରକ୍ତଦାନ ଆନ୍ଦୋଳନକୁ ଲୋକପ୍ରିୟ ତଥା ସଫଳ କରାଇଥିବା ସେନାପତି ଡା. ଭି. ରାଜେଶ୍ବର ରାଜୁ(୯୦)ଙ୍କ ଆଜି ପରଲୋକ ହୋଇଛି। ଦିଗପହଣ୍ଡି ମାଟିର ଏହି ତ୍ୟାଗୀ ପୁଅ ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘର ଉପଦେଷ୍ଟା ଥିବା ବେଳେ ବ୍ରହ୍ମପୁର ରକ୍ତଭଣ୍ଡାର ଅବସରପ୍ରାପ୍ତ ଅଧିକାରୀ ଥିଲେ। ତାଙ୍କର ଉଦ୍ୟମ କ୍ରମେ ରକ୍ତଭଣ୍ଡାରରେ ପ୍ରଥମ ଥର ପାଇଁ କ୍ରେଡିଟ୍ କାର୍ଡ଼ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ସ୍ବର୍ଗତ ଶ୍ରୀ ରାଜୁ ସୁନାରୀ ସାହିରେ ରହି ଆସୁଥିବା ବେଳେ ପିଲାଟି ଦିନରୁ ଲୋକଙ୍କ ସେବା କରିବା ଲକ୍ଷ୍ୟ ନେଇ ଡାକ୍ତରୀ ପାଠ ପଢ଼ିଥିଲେ। ପରେ ଜଣେ ସଫଳ ଡାକ୍ତର ହେବା ସହ ନିଜ ଚାକିରି ଜୀବନରେ ଦୀର୍ଘ ୩୫ ବର୍ଷ ଧରି ବିଭିନ୍ନ ସରକାରୀ ମେଡିକାଲ୍ ମାନଙ୍କରେ ବରିଷ୍ଠ ଡାକ୍ତର ଭାବେ ସେବା ଯୋଗାଇ ଆସିଥିଲେ।
ବିଶେଷ କରି ସେ ୧୫ ବର୍ଷ କାଳ ନୂଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ପ୍ରଦାନ କରିଥିଲେ। ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଦିଗପହଣ୍ଡି ସହରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ। ପରେ ରାଜ୍ୟ କିମ୍ବା ଜାତୀୟସ୍ତରରେ ରକ୍ତଦାନ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ ରହିଥିଲା। ଚାକିରିରୁ ଅବସର ନେବା ପରେ ମଧ୍ୟ ଲଗାତାର ଭାବେ ରକ୍ତଦାନ ଓ ମାଗଣା ରୋଗୀ ସେବା ଶିବିର ଆୟୋଜନ କରି ଆସୁଥିଲେ। ଆଜି ସକାଳ ୩ଟା ୧୫ ମିନିଟ ସମୟରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ସ୍ବର୍ଗତ ରାଜୁ ରକ୍ତଦାନକୁ ଉତ୍ସାହିତ କରିବା ପାଇଁ ଗତ ୨୦୦୦ ମସିହାରେ ଏଭିବିଡି(ଆସୋସିଏସନ୍ ଅଫ୍ ଭଲ୍ୟୁଣ୍ଟାରି ବ୍ଲଡ୍ ଡୋନର୍) ଗଠନ କରିବା ଦିଗରେ ତାଙ୍କର ଯଥେଷ୍ଟ ଉଦ୍ୟମ ରହିଥିଲା। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍(ଆଇଏମ୍ଏ)ର ଜଣେ ସଦସ୍ୟଭାବେ ମଧ୍ୟ ସେ ବହୁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କ ସେବା କରିଥିଲେ।
ମୃତ୍ୟୁ ପୂର୍ବରୁ ସ୍ବର୍ଗତ ରାଜେଶ୍ବରଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ଚକ୍ଷୁ ମର ଶରୀରକୁ ଗବେଷଣା ପାଇଁ ପରିବାର ପକ୍ଷରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପ୍ରଦାନ କରାଯାଇଛି। ଜଣେ ମହାନ ଲୋକଙ୍କୁ ହରାଇ ଦିଗପହଣ୍ଡିରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଖେମୁଣ୍ଡି ରକ୍ତଦାତା ସଂଘ ସଭାପତି ଭି.ଧର୍ମାରାଜୁ, ସଂପାଦକ ହରପ୍ରସାଦ ରଥ, ପୂର୍ବତନ ସଭାପତି ତପନ କୁମାର ମିଶ୍ର, ବସନ୍ତ କୁମାର ପଟ୍ଟନାୟକ, ଲଲାଟେନ୍ଦୁ ପଧାନ, ଦିଗପହଣ୍ଡି ପୌରାଧ୍ୟକ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ନଗରପାଳ ଉଦୟନାଥ ସ୍ବାଇଁ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ହରିକୃଷ୍ଣ ପଣ୍ଡା ସମେତ ବହୁ ବରିଷ୍ଠ ନାଗରିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏମ୍କେସିଜିରେ ଶରୀର ଦାନ ସମୟରେ ଆଇଏମ୍ଏର ସଦସ୍ୟ ଡା. କେ.କେ ପାଣିଗ୍ରାହୀ, ଡା. ପ୍ରସନ୍ନ କର, ଡା. ସୁକାନ୍ତ ମିଶ୍ର, ଡା. ସୁବାସ ସାହୁ, ଏଭିବିଡିର ବି. ଲକ୍ଷ୍ମୀନାରାୟଣ ପାତ୍ର, ଜାମୁଲା ସୁରେଶ, ରମାକାନ୍ତ ରଥ, ସୁଶାନ୍ତ ଘୋଷ, ରାଜନୀ ବକ୍ସି, କେ.ପି.କେ ସୁବୁଦ୍ଧି, ଇ. ଜଗଦୀଶ୍ବର ରାଓଙ୍କ ସମେତ ସ୍ବର୍ଗତ ଡା. ରାଜୁଙ୍କ ଝିଅ ଅନିତା ସୁବୁଦ୍ଧି, ଜ୍ବାଇଁ ସରୋଜ କୁମାର ସୁବୁଦ୍ଧି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/17-2.jpg)