ଗନ୍ଧମାର୍ଦ୍ଦନରୁ ରେଳରେ ଖଣିଜ ପରିବହନ ଯୋଜନା ଚୂଡ଼ାନ୍ତ

ଟ୍ରକ୍‌ରେ ଖଣିଜ ପରିବହନ ବ୍ୟବସ୍ଥା ସଂକୁଚିତ, ଦାଦନ ଯିବେ ଯୁବଗୋଷ୍ଠୀ!

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜୀବିକାର ମୁଖ୍ୟ ମାଧ୍ୟମ ହେଉଛି ଖଣିଜ ଉତ୍ତୋଳନ ଏବଂ ପରିବହନ। ଖଣିରୁ ଲୁହାପଥର ଯାନ୍ତ୍ରିକ ଉପାୟରେ ଉତ୍ତୋଳନ ହେଉଥିବାରୁ ସେଥିରେ ବିଶେଷ ନିଯୁକ୍ତି ସୁଯୋଗ ନ ଥାଏ। ତେଣୁ ଟ୍ରକ୍‌ରେ ଲୁହାପଥର ପରିବହନ ବ୍ୟବସ୍ଥାରେ କେନ୍ଦୁଝର ଯୁବଗୋଷ୍ଠୀ ଜୀବିକା ଉପାର୍ଜନ କରୁଛନ୍ତି। ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍‌ ଲାଇନ ଏବଂ ରେଳପଥର ବ୍ୟବହାର ହେବାଫଳରେ ଟ୍ରକ୍‌ ଯୋଗେ ଖଣିଜ ପରିବହନ ସଙ୍କୁଚିତ ହେବାରେ ଲାଗିଛି। ଶେଷ ଖଣି ଭାବେ ଗନ୍ଧମାର୍ଦ୍ଦନ ଖଣିରୁ ଲୁହାପଥର ଏବେ ଟ୍ରେନ ଯୋଗେ ଯିବା ପାଇଁ ଯୋଜନା ଚୂଡ଼ାନ୍ତ ହେବାରୁ କେନ୍ଦୁଝର ଯୁବଗୋଷ୍ଠୀଙ୍କ ଜୀବିକା ଆଶଙ୍କା ଭିତରକୁ ଠେଲି ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ସଦର ବ୍ଲକର ପର୍ଜନପୁର ରେଳ ସାଇଡିଂଠାରୁ ଗନ୍ଧମାର୍ଦ୍ଦନ ଲୁହାପଥର ଖଣି ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଖୁବ୍‌ଶୀଘ୍ର ହେବ। ଏହି ୧୨.୭୬ କିଲୋମିଟର ଦୂରତା ବିଶିଷ୍ଟ ରେଳପଥ ପାଇଁ ୧୮୯.୯୩ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରାରମ୍ଭିକ ଆକଳନ ସରିଛି। ଏହି ରେଳପଥ ନିକଟସ୍ଥ ନୂଆଗାଁ, ଡିମିରିଡିହା, ହାତୀକୁଚା, ବରଦାପାଳ, ମଦରଙ୍ଗାଯୋଡି, ତଳକମ୍ପଡିହି, ନାଉପଦା, ଉପରକଇଁସାରି ଏବଂ ନିଟିଗୋଠ ଗାଁ ଦେଇଯିବ। ମୋଟ୍‌ ୧୦୦.୧୬୪ ଏକର ଜମିରେ ଏହି ରେଳପଥ ନିର୍ମାଣ ନେଇ ସର୍ଭେ କାର୍ଯ୍ୟ ମଧ୍ୟ ଇତିମଧ୍ୟରେ ଶେଷ ହୋଇଛି। ଯୋଡ଼ା ଖଣି ମଣ୍ଡଳରେ ଥିବା ଖଣିଗୁଡ଼ିକରୁ ଅଧିକାଂଶ ଟ୍ରେନ୍‌ ଏବଂ ପାଇପ୍‌ଲାଇନ୍‌ ଯୋଗେ ଲୁହାପଥର ପରିବହନ ହେଉଥିବା ବେଳେ ଜିଲ୍ଲାର ଏକମାତ୍ର ଖଣି ଭାବେ ଗନ୍ଧମାର୍ଦ୍ଦନରୁ କେବଳ ଟ୍ରକ୍‌ ଯୋଗେ ଲୁହାପଥର ପରିବହନ ହୋଇଥାଏ। ଏହି ଖଣି ଉପରେ ପ୍ରାୟ ୧୦ ହଜାର ଟ୍ରକ ମାଲିକ, ଟ୍ରକ୍‌ ଚାଳକ ଏବଂ ସହଯୋଗୀ କର୍ମଚାରୀଙ୍କୁ ମିଶାଇ ୩୦ ହଜାର ପରିବାର ନିର୍ଭରଶୀଳ। ଖାଲି ‌ସେତିକି ନୁହେଁ, ଟାୟାର ଦୋକାନୀଙ୍କଠୁ ଆରମ୍ଭ କରି ଗ୍ୟାରେଜ କରି ପ୍ରାୟ ହଜାରରୁ ଅଧିକ ପରିବାର ପେଟ ପୋଷନ୍ତି। ତେଣୁ ଏହି ଗନ୍ଧମାର୍ଦ୍ଦନ ଖଣିରୁ ରେଳପଥରେ ଲୁହାପଥର ପରିବହନ ହେଲେ ଟ୍ରକ୍‌ରେ ଖଣିଜ ପରିବହନ ସହିତ ଜଡ଼ିତ ଥିବା ଯୁବଗୋଷ୍ଠୀ ବାହାର ରାଜ୍ୟକୁ ଦାଦନ ଯିବାର ଆଶଙ୍କା ସୃଷ୍ଟି ହୋଇଛି।

କେନ୍ଦୁଝର ଜିଲ୍ଲାରେ ଥିବା ଲୁହାପଥର ଖଣିରୁ ଟ୍ରକ୍‌, ଟ୍ରେନ୍‌ ଏବଂ ସ୍ଲରି ପାଇପ୍‌ଲାଇନ୍‌ରେ ପରିବହନ ହୋଇଥାଏ। ପ୍ରାରମ୍ଭରେ କେବଳ ଟ୍ରକ ‌ଯୋଗେ ବିଭିନ୍ନ ଇସ୍ପାତ କାରଖାନାକୁ ଲୁହାପଥର ପରିବହନ ହେଉଥିଲା। ମାତ୍ର ପରେ ବିଭିନ୍ନ ଖଣି ନିକଟକୁ ରେଳପଥର ସୁବିଧା ହୋଇଥିଲା। ଏହାପରେ ପାଇପ୍‌ଲାଇନ ଯୋଗେ ମଧ୍ୟ ଲୁହାପଥର ପରିବହନ ହେଲା। କିନ୍ତୁ, ଗତ କିଛିମାସ ତଳେ ସରକାର ଆଉ ୪ଟି ସ୍ଲରି ପାଇପ୍‌ଲାଇନ୍‌ ପାଇଁ ଅନୁମତି ଦେବା ପରେ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବିରୋଧ ହୋଇଥିଲା। ଏମିତି କି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ପାଇପ୍‌ ଲାଇନ୍‌ କାର୍ଯ୍ୟ କରୁଥିବା ଠିକାସଂସ୍ଥାର ମେସିନକୁ ମଧ୍ୟ ଟ୍ରକ୍‌ ମାଲିକମାନେ ପୋଡ଼ି ଦେଇଥିଲେ। କିନ୍ତୁ, ଏବେ ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରୁ ଟ୍ରେନ୍‌ ଯୋଗେ ଲୁହାପଥର ପରିବହନ ପାଇଁ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଥିବା ଜାଣିବା ପରେ କେନ୍ଦୁଝରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର