ରାଉରକେଲା: ଅକ୍ଟୋବର ଶେଷ ସୁଦ୍ଧା ରାଉରକେଲାରୁ ବିମାନ ଉଡ଼ିବବୋଲି କେନ୍ଦ୍ର ଉଡ୍ଡୟନ ମନ୍ତ୍ରୀ ରଘୁନାଥପଲ୍ଲୀ ବିଧାୟକଙ୍କ ପ୍ରଶ୍ନର ଜବାବରେ କହିଥିଲେ। ତେବେ ଏଥିରେ ପ୍ରାୟ ମାସେ ବିଳମ୍ବ ହେବ। ଅକ୍ଟୋବର ନୁହେଁ, ବରଂ ନଭେମ୍ବର ଶେଷ ସୁଦ୍ଧା ରାଉରକେଲାରୁ ବିମାନ ସେବା ଆରମ୍ଭ ହେବବୋଲି ଜଣାପଡ଼ିଛି। ସପ୍ତାହେ ପୂର୍ବେ ଭୁବନଶ୍ବେରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ହକି ବିଶ୍ବକପ୍ ସମୟରେ ରାଉରକେଲାରୁ ବିମାନ ଉଡ଼ିବ, ଏଥିରେ ସନ୍ଦେହ ନାହିଁ, ତେବେ ବିଶ୍ବକପ୍ ପରେ ମଧ୍ୟ ବିମାନ ସେବା ଜାରି ରହିବା ନେଇ ସମ୍ଭାବନା କମ୍ ରହିଛି। ଅପରପକ୍ଷରେ ବନ୍ଦ ହେବାର ଆଶଙ୍କା ସର୍ବାଧିକ। କାରଣ, ଏଯାବତ୍ ରାଉରକେଲା ଏୟାରପୋର୍ଟକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)କୁ ହସ୍ତାନ୍ତର କରାଯାଇନି। ହସ୍ତାନ୍ତର ପାଇଁ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଓ ରାଜ୍ୟ ସରକାର ଆନୁଷ୍ଠାନିକଭାବେ ସହମତି ପ୍ରକାଶ କରିନାହାନ୍ତି।
ଉଲ୍ଲେଖଯୋଗ୍ୟ, ଦେଶରେ ଥିବା ସମସ୍ତ ୧୩୭ଟି ଏୟାର୍ପୋର୍ଟ ଉଡ୍ଡୟନ ବିଭାଗ ଅଧିନରେ। ନିଜ ଅଧିନକୁ ଆସିଲାପରେ ହିଁ ଏଏଆଇ ଏସବୁ ଏୟାରପୋର୍ଟ୍ର ଭିତ୍ତିଭୂମି ବିକାଶ ସମେତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥାଏ। ଅବଶ୍ୟ ରାଉରକେଲା ଏୟାରପୋର୍ଟ ନବୀକରଣ ଓ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ଏଏଆଇ ପ୍ରାୟ ୨୭ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛି। ଏମିତିକି ଉକ୍ତ ଅନୁଦାନରେ ଏଠାରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ଶତ ପ୍ରତିଶତ ନିଜ ଅଧିନକୁ ନ ଆସିବା ପର୍ଯ୍ୟନ୍ତ ଏୟାରପୋର୍ଟର ସାମଗ୍ରିକ ବିକାଶ ଓ ଭବିଷ୍ୟତରେ ବଡ଼ ବିମାନ ଚଳାଚଳ ଆଶା କରିବା ବୃଥା ସଦୃଶ।
ବର୍ତ୍ତମାନ କେବଳ ପୁରୁଷ ହକି ବିଶ୍ବକପ୍କୁ ଦୃଷ୍ଟିରେ ରଖି ଏୟାରପୋର୍ଟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ରାଉରକେଲା ଏୟାରପୋର୍ଟ୍ର ରନ୍ୱେର ଦୈର୍ଘ୍ୟ ୬୦୬୬ ଫୁଟ (୧୮୪୮ ମିଟର)ଥିବାବେଳେ ବର୍ତ୍ତମାନ ୧୯୦ ମିଟର୍ (୬୨୩ ଫୁଟ) ରନ୍ୱେ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି; ଅର୍ଥାତ୍ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ରନ୍ୱେର ଦୈର୍ଘ୍ୟ ୬୬୮୯ ଫୁଟ୍ ବିଶିଷ୍ଟ ହେବ। ଏଣୁ ଏତେ କମ୍ ଦୈର୍ଘ୍ୟ ବିଶିଷ୍ଟ ରନ୍ୱେରେ କେବଳ ୭୦ ସିଟ୍ ବିଶିଷ୍ଟ ଏଟିଆର୍ ୭୨ ଆଦି ଏୟାର୍କ୍ରାଫ୍ଟ ଉଡ଼ିପାରିବ। ଏହି ରନ୍ୱେରେ ବଡ଼ ବିମାନ ଚଳାଚଳା କରିବାପାରିବ ନାହିଁ; ଯାହାକି ଭବିଷ୍ୟତରେ ପୂର୍ଣ୍ଣକାଳୀନ ତଥା ନିରନ୍ତର ବିମାନସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶଥାଉକି, ବଡ଼ ବିମାନ ଯଥା-ଏ୩୨୦, ଏ୩୨୦ ନିଓ, ଏ୩୨୧ ନିଓ ଚଳାଚଳ ପାଇଁ ରନ୍ୱେର ଦୈର୍ଘ୍ୟ ଅନ୍ୟୁନ ୬୮୨୬ ଫୁଟ୍ ବିଶିଷ୍ଟ ହେବା ଅନିବାର୍ଯ୍ୟ ଥିବାବେଳେ ଏ୩୩୦ ବିମାନ ପାଇଁ ୯୦୯୦ ଫୁଟ୍, ବୋଇଂ ୭୩୭-୮୦୦ ପାଇଁ ୭୫୯୮ ଫୁଟ୍, ୭୩୭-୯୦୦ ଇଆର୍ ପାଇଁ ୯୮୦୦ ଫୁଟ୍ର ରନ୍ୱେ ଆବଶ୍ୟକ। ଅର୍ଥାତ୍, ଏଏଆଇ ଅଧିନକୁ ଏହି ଏୟାରପୋର୍ଟ ନଯିବା ପର୍ଯ୍ୟନ୍ତ ଏଠାକାର ରନ୍ୱେ ସମ୍ପ୍ରସାରଣ ସମେତ ଅନ୍ୟାନ୍ୟ ଦିଗ ପ୍ରତି ବିଭାଗ ଆଗେଇଆସିବା ଆଶା କରାଯାଇନପାରେ।
ତେବେ ବର୍ତ୍ତମାନ ରାଉରକେଲା ଏୟାର୍ପୋର୍ଟରେ ନିର୍ମାଣ କାର୍ଯ୍ୟ ବେଗ ଧରିଛି। ପ୍ରାୟ ୭ କୋଟି ବିନିଯୋଗରେ ରନ୍ୱେ କାର୍ପେଟିଂ ଚାଲିଥିବାବେଳେ ୨ କୋଟି ବ୍ୟୟ ଅଟକଳରେ ପାଚେରି, ଅଢ଼େଇ କୋଟିରେ କାର୍ ପାର୍କିଂ, ସାଢ଼େ ୫ କୋଟି ବ୍ୟୟରେ ଟ୍ୟାକ୍ସି ବେ’, ସାଢ଼େ ୪ କୋଟି ବିନିଯୋଗରେ ଟର୍ମିନାଲ ବିଲ୍ଡିଂ ଆଦି ନିର୍ମାଣ ଚାଲିଛି। ଏସବୁର ନିର୍ମାଣକାର୍ଯ୍ୟ ନଭେମ୍ବର ଶେଷସୁଦ୍ଧା ସାରିବାକୁ ଧାର୍ଯ୍ୟ ରଖାଯାଇଛି। ଏତଦ୍ବ୍ୟତୀତ ବିମାନମନ୍ଦିର ସୁପରିଚାଳନା ପାଇଁ ଆନୁସଙ୍ଗିକ ବିଧିବ୍ୟବସ୍ଥା କରିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ରାଉରକେଲା ଏୟାରପୋର୍ଟକୁ ୨ସି ଲାଇସେନ୍ସ ମାନ୍ୟତା ପାଇଁ ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରିବା ସମେତ ନଭେମ୍ବର ଶେଷ ସୁଦ୍ଧା ବିମାନ ଚଳାଚଳ ଆରମ୍ଭ, ପରବର୍ତ୍ତୀ ସମୟରେ ଆଲାଏନ୍ସ ଏୟାର୍ ପକ୍ଷରୁ ଏଟିଆର୍-୭୨ର ପରୀକ୍ଷାମୂଳକ ଉଡ଼ାଣ, ଅଗଷ୍ଟ ଶେଷ ସୁଦ୍ଧା ୨ଟି ଅତିରିକ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା, ଜୁଲାଇ ଶେଷ ସୁଦ୍ଧା ଅଗ୍ନିଶମ କର୍ମଚାରୀ ନିଯୁକ୍ତି(ପ୍ରତ୍ୟେକ ସିଫ୍ଟରେ ୧୬ ଜଣ) ଓ ପ୍ରଶିକ୍ଷଣ ସମ୍ପନ୍ନ କରିବା, ଜୁଲାଇ ଶେଷ ସୁଦ୍ଧା ୪୪ ଜଣ ଏୟାରପୋର୍ଟ୍ ସୁରକ୍ଷା କର୍ମୀ ନିଯୁକ୍ତି ଓ ପ୍ରଶିକ୍ଷଣ, ଜୁଲାଇ ୧୫ ସୁଦ୍ଧା ଏମ୍ଇଟି ସୁବିଧା ଉପଲବ୍ଧ କରିବାକୁ ଯୋଜନା ରଖାଯାଇଛି।