ଭୁବନେଶ୍ବର: ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଉପରେ ଅତି କମ୍ ଉଚ୍ଚତାରେ ବିମାନ ଉଡ଼ୁଛି। ବିମାନର କମ୍ପନ ମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି। ଏହାଦ୍ବାରା ମନ୍ଦିରରେ ଫାଟ ସୃଷ୍ଟି, ସନ୍ଧି ଢିଲା ହେବା, ମନ୍ଦିର ଦୁର୍ବଳ ହେବା କିମ୍ବା ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ‘ଇନ୍ଟାକ୍’। ‘ଇନ୍ଟାକ୍’ ଭୁବନେଶ୍ବର ଚାପ୍ଟରର ଆବାହକ ଅନିଲ ଧୀର ଦୁଇ ମାସର ଅନୁଧ୍ୟାନ ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା, ସଂସ୍କୃତି ବିଭାଗ ସଚିବଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀ ଧୀର ଚିଠିରେ ଲେଖିଛନ୍ତି ଯେ, ଭୁବନେଶ୍ୱର ବିମାନବନ୍ଦରର ମୁଖ୍ୟ ୧୪/୩୨ ରନ୍ୱେରୁ ଅନେକ ବିମାନ ଉଡ଼ାଣ କରିବା ପରେ ତୁରନ୍ତ ଡାହାଣ ମୋଡ଼ ନେଇଥାଏ। ହଠାତ୍ ଏହି ଡାହାଣ ମୋଡ଼ ଅନେକ ବିମାନକୁ ପ୍ରାଚୀନ ଲିଙ୍ଗରାଜ ମନ୍ଦିରର ଅତି ନିକଟତର କରିଥାଏ। ଯାହା ଐତିହ୍ୟ କୀର୍ତ୍ତିରାଜି ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। ମନ୍ଦିରର ମୁଖ୍ୟ ଶିଖର ୧୮୦ ଫୁଟ (୫୫ ମିଟର)। ତେବେ ଡାହାଣ ମୋଡ଼ ନେବା ସମୟରେ ବିମାନର ଉଚ୍ଚତା ୧୦୦୦ -୧୨୦୦ ଫୁଟ ରହିଥାଏ। ତେଣୁ ବିମାନର ପ୍ରଚଣ୍ଡ ଶବ୍ଦ ଓ କମ୍ପନ ଦ୍ବାରା ମନ୍ଦିର ଦୁର୍ବଳ ହେଉଛି। ବିମାନ ଟେକ୍ଅପ୍ କରିବା ସମୟରେ ଇଞ୍ଜିନଗୁଡ଼ିକ ପୂର୍ଣ୍ଣ ବିସ୍ଫୋରଣରେ ଥାଏ।
ଚିନ୍ତାପ୍ରକଟ କଲେ ଐତିହ୍ୟ ଗବେଷକ
ବିମାନବନ୍ଦର ନିର୍ଦ୍ଦେଶକ, ଏଏସ୍ଆଇ ଓ ସଂସ୍କୃତି ବିଭାଗ ସଚିବଙ୍କୁ ‘ଇନ୍ଟାକ୍’ର ଚିଠି
୧୦ ସେକେଣ୍ଡ ପରେ ବିମାନ ମୋଡ଼ ବଦଳାଇବାକୁ ପ୍ରସ୍ତାବ
ଯଦି କୌଣସି କାରଣବଶତଃ ଅଘଟଣ ଘଟେ ତେବେ ହଜାର ବର୍ଷର ଐତିହ୍ୟ ମାଟିରେ ମିଶିବାର ଭୟ ରହିଛି। ତେଣୁ ବିମାନ ଟେକ୍ଅପ୍ ସମୟରେ ମାତ୍ର ୧୦ ସେକେଣ୍ଡ ପରେ ଡାହାଣ ମୋଡ଼ ଆରମ୍ଭ କଲେ କିମ୍ବା ବାମ ମୋଡ଼ ନେଲେ ପୁରୁଣା ଭୁବନେଶ୍ବର ଅତିକ୍ରମ କରି ଯାଇପାରିବ। ତେଣୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପ୍ରତି କୌଣସି ବିପଦ ରହିବ ନାହିଁ। ତେଣୁ ଉଡ଼ାଣର ଉପଯୁକ୍ତ ସଂଶୋଧନ କରିବାକୁ ଶ୍ରୀ ଧୀର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ କହିଛନ୍ତି, ପୁରୀରେ ବଡ଼ଦେଉଳଠାରୁ ୧ କିଲୋମିଟର ଦୂରରେ ଡିଜେ ନ ବଜାଇବା ପାଇଁ ଏଏସ୍ଆଇ ଚିଠି କରିଛି। ହେଲେ ଭୁବନେଶ୍ବରରେ କେମିତି ଲିଙ୍ଗରାଜ ମନ୍ଦିର ଉପରେ ବିମାନ ଉଡ଼ାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।