ରାଉରକେଲା: ସହରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ କିଛି ମାତ୍ରାରେ ପୂରଣ ହେବାକୁ ଯାଉଛି। ପାଖାପାଖି ପ୍ରାୟ ସାଢେ ୪ ମାସ ଧରି ବନ୍ଦ ପଡ଼ିଥିବା ବିମାନସେବା ଶୁକ୍ରବାର ଦିନଠାରୁ ପୁନର୍ବାର ଆରମ୍ଭ ହେବ। ଭୁବନେଶ୍ବର-ରାଉରକେଲା ମଧ୍ୟରେ ଇଣ୍ଡିଆୱାନ୍ ଏୟାର୍ ବିମାନସେବା ପରିଚାଳନା କରିବ। ୯ ସିଟ୍ ବିଶିଷ୍ଟ ଏହି ବିମାନ ସପ୍ତାହକୁ ୬ ଦିନ ଉଡ଼ିବ। କେବଳ ଗୁରୁବାର ଦିନ ବିମାନ ଚଳାଚଳ ବନ୍ଦ ରହିବ। ବିମାନ ଭୁବନେଶ୍ବରରୁ ପୂର୍ବାହ୍ନ ୧୦.୫୦ରେ ବାହାରି ରାଉରକେଲାରେ ୧୨.୦୫ରେ ପହଞ୍ଚିବ। ଏଠାରେ ବିମାନ ୨୦ ମିନିଟ୍ ରହିବ। ଏଠାରୁ ଦିନ ୧୨.୨୫ରେ ବାହାରି ଭୁବନେଶ୍ବରରେ ମଧ୍ୟାହ୍ନ ୧.୪୦ ମିନିଟ୍ରେ ଅବତରଣ କରିବ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ସପ୍ତାହ ପୂର୍ବେ ଇଣ୍ଡିଆଏୟାର୍ ୱାନ୍ର ବରିଷ୍ଠ କର୍ତ୍ତୃପକ୍ଷ ରାଉରକେଲାରେ ପହଞ୍ଚି ବିମାନବନ୍ଦରର ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ବିମାନ ଉଡ଼ିବା ନେଇ ଆଶା ସଞ୍ଚାର ହୋଇଥିଲା।
ପ୍ରାୟ ୪ ମାସ ବିମାନସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଥିବାବେଳେ ଏବେ ବିମାନ ଉଡ଼ିବା, ନିଶ୍ଚିତଭାବେ ଖୁସି ଆଣିଦେଇଛି। କିନ୍ତୁ ଏହି ଖବର ସହରବାସୀଙ୍କୁ ଶତ ପ୍ରତିଶତ ସନ୍ତୁଷ୍ଟ କରିପାରିନି। ୨୦୨୩ ଜାନୁଆରି ୭ ତାରିଖରେ ପ୍ରଥମଥର ପାଇଁ ଭୁବନେଶ୍ବର-ରାଉରକେଲା ବିମାନସେବା ଆରମ୍ଭବେଳେ ସହରବାସୀ ଯେଭଳି ଉତ୍ସବ ମନାଇଥିଲେ, ଏଥର ତାହା ଦେଖିବାକୁ ମିଳିଲାନି। ଓଲଟା ଏଥର ବିମାନସେବା ନାଁରେ କାମଚଳା ନୀତି ଅବଳମ୍ବନ କରାଯାଉଥିବା ଅଭିଯୋଗ ହେଉଛି। ଶିଳ୍ପ ସମୃଦ୍ଧ ରାଉରକେଲାରେ ନିୟମିତ ବିମାନସେବା ଏକମାତ୍ର ବିକଳ୍ପ ପାଲଟିଛି। ରାଉରକେଲାରେ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନାଠାରୁ ଆରମ୍ଭକରି ଦେଶ ବିଦେଶରେ ନାଁ କରିଥିବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି), ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି), ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଶତାଧିକ ଶିଳ୍ପ କାରଖାନା, ଖଣି ଆଦି ରହିଛି। ଏଣୁ ଏଠାରେ ଅଧିକସଂଖ୍ୟକ ବିଶିଷ୍ଟ ବିମାନର ଆବଶ୍ୟକତା ରହିଛି। ତେବେ କେବଳ ୯ ସିଟର୍ ବିମାନ ସହରବାସୀଙ୍କୁ କିଭଳି ସେବା ଯୋଗାଇବ, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଜାନୁଆରିରୁ ଭୁବନେଶ୍ବର-ରାଉରକେଲା ବିମାନସେବା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ରାଉରକେଲା-କୋଲକାତା ବିମାନ ଚଳାଚଳ କରିଥିଲା। ତେବେ ୨୦୨୫ ଜୁନ ୧୫ ତାରିଖରୁ ରାଉରକେଲା-କୋଲକାତା ଏବଂ ଜୁଲାଇ ୧୬ ତାରିଖରୁ ଭୁବନେଶ୍ବର-ରାଉରକେଲା ବିମାନଉଡ଼ାଣ ବନ୍ଦ ହୋଇଯାଇଥିଲା। ଏହି ୩୧ ମାସ ଭିତରେ ରାଉରକେଲା-ଭୁବନେଶ୍ବର ରୁଟ୍ରେ ମୋଟ୍ ୬୫,୪୮୪ ଜଣ ଯାତ୍ରା କରିଥିଲେ।
ଆହୁରି ପଢ଼ନ୍ତୁ: Dpr Rourkela Bypass ବହୁ ପ୍ରତୀକ୍ଷିତ ରାଉରକେଲା ବାଏପାସ୍ ରାସ୍ତାର ଭାଗ୍ୟ ଫିଟିଲା, ଏନ୍ଏଚ୍-୩୨୦-ଡି’ ର କପରଣ୍ଡାରୁ ସୁଇଡିହିକୁ ସଂଯୋଗ କରିବ
୨୦୨୩ରେ ୯୪୮୦ ଜଣ ଯାତ୍ରା
୨୦୨୩ ମସିହାରେ ୯୪୮୦ ଜଣ ଯାତ୍ରା କରିଥିବାବେଳେ ୨୦୨୪ରେ ୨୫,୮୦୦ ଓ ୨୦୨୫ରେ ୩୦,୨୦୪ ଜଣ ଯାତ୍ରୀ ଉପକୃତ ହୋଇଥିଲେ। ଏହି ୩୧ ମାସ ଭିତରେ ବହୁବାର ବିମାନସେବା ବନ୍ଦ ରହିଥିଲା। କେତେବେଳେ ବୈଷୟିକ ସମସ୍ୟା ତ ପୁଣି କେତେବେଳେ ପର୍ଯ୍ୟାପ୍ତସଂଖ୍ୟକ ବିମାନର ଅଭାବ ଦର୍ଶାଇ ଆଲିଆନ୍ସ ଏୟାର୍ ସେବାକୁ ବାତିଲ କରିଦେଇଥିଲା। ଏହାସତ୍ତ୍ବେ ଯାତ୍ରୀସଂଖ୍ୟା ପ୍ରାୟ ୮୫/୯୦ ପ୍ରତିଶତ ରହୁଥିଲା। ଏହି ସମୟରେ କେବଳ ୧,୩୭୪ଥର ବିମାନ ଉଡ଼ିଥିଲା। ୨୦୨୩ରେ ୬୩୩ଥର ବିମାନ ଉଡ଼ିଥିବାବେଳେ ୨୦୨୪ରେ ୫୧୯ ଓ ୨୦୨୫ରେ ୨୨୨ଥର ବିମାନ ଉଡ଼ିଥିଲା। ସନ୍ତୋଷଜନକ ଯାତ୍ରୀସଂଖ୍ୟା ସତ୍ତ୍ବେ ଏଟିଆର୍-୭୨ ଭଳି ବିମାନ ପରିବର୍ତ୍ତେ ୯ ସିଟର୍ ବିମାନକୁ ନିୟୋଜିତ କରାଯିବା ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ୍। ଆଲିଆନ୍ସ ଏୟାର୍ ବ୍ୟତୀତ ଏକାଧିକ ବିମାନ ପରିଚାଳନକାରୀ ସଂସ୍ଥା ଅଛନ୍ତି। ସେଗୁଡ଼ିକୁ ବିମାନ ପରିଚାଳନା ପାଇଁ ଆମନ୍ତ୍ରଣ କରିବାର ଆବଶ୍ୟକତା ଥିଲା। ଏତଦ୍ବ୍ୟତୀତ ଝାରସୁଗୁଡାକୁ ଉଡ଼ାଣ କରୁଥିବା ଷ୍ଟାର ଏୟାର୍ ବିମାନକୁ ମଧ୍ୟ ସହଜରେ ରାଉରକେଲା ସହିତ ସଂଯୋଗ କରାଯାଇପାରିଥାନ୍ତା। ଏହି ବିମାନର ଭଡ଼ା ମଧ୍ୟ ଢେର୍ ଅଧିକ ରହିଛି। ପୂର୍ବରୁ ଭୁବନେଶ୍ବର-ରାଉରକେଲା ଗୋଟିଏ ଥର ଉଡ଼ାଣ ପାଇଁ ୧୫୦୦/୧୭୦୦ ଭଡ଼ା ରହିଥିଲା। ଏବେ କିନ୍ତୁ ଭଡ଼ା ଗୋଟିଏ ଉଡ଼ାଣ ପାଇଁ ଭଡ଼ା ୩୫୦୦ ଟଙ୍କା ରହିଛି। ଫଳରେ ଯାତ୍ରୀ ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ।
ଆହୁରି ପଢ଼ନ୍ତୁ: ଏନ୍ଆଇଟି ରାଉରକେଲାର ୨୩ତମ ସମାବର୍ତ୍ତନ ଉତ୍ସବ: ‘ଭାରତରେ ରୁହ, ଦେଶର ସେବା କର’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/flight-2025-12-05-03-20-39.jpg)