ରାଉରକେଲା: ଆଗାମୀ ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରାଉରକେଲାରୁ ବିମାନ ଉଡ଼ାଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ବରାନ୍ବିତ କରାଯାଇଛି। ସଂପ୍ରସାରଣ କାର୍ଯ୍ୟ ଅନ୍ତର୍ଗତ ବିଭିନ୍ନ ଅଂଶ, ଯଥା- ଟର୍ମିନାଲ ବିଲ୍ଡିଂ, ରନ୍ୱେ, ପାଚେରୀ, ପାର୍କିଂ, ଆପ୍ରନ ଆଦିର ନିର୍ମାଣ କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିଲାଣି। ଏଥିମଧ୍ୟରୁ ଦୁଇ ଟ୍ୟାକ୍ସି ୱେ, ରନ୍ୱେ ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇଛି। ଏୟାରପୋର୍ଟ ପରିସରରେ ଥିବା ଆଇଓସିଏଲ ରିଫୁଏଲିଂ ଷ୍ଟେସନକୁ ସ୍ଥାନାନ୍ତର କରି ସେଠାରେ ପାଇଲଟମାନଙ୍କ ପାଇଁ ବିଶ୍ରାମଗୃହ ନିର୍ମାଣ କରାଯିବ। ଏତଦ୍ବ୍ୟତୀତ ବିମାନବନ୍ଦରର ବିଦ୍ୟୁତ ବ୍ୟବସ୍ଥା, ପାଣି, ଡ୍ରେନଜ୍ ବ୍ୟବସ୍ଥା ମଧ୍ୟ ଖୁବଶୀଘ୍ର ସମ୍ପନ୍ନ ହେବ। ମୋଟାମୋଟି ଭାବେ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ। ବିଧିବଦ୍ଧଭାବେ ଘୋଷଣା ହୋଇ ନଥିଲେ ହେଁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସୂଚନା ଅନୁସାରେ, ଡିସେମ୍ବର ୧୫ ତାରିଖ ଭିତରେ ରାଉରକେଲାରୁ ବିମାନ ଉଡ଼ିବାର ସମ୍ଭାବନା ଶତପ୍ରତିଶତ।
ଗତକାଲି ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ବିମାନବନ୍ଦର ପରିଦର୍ଶନବେଳେ ସମାନ ଯୁକ୍ତି ବାଢ଼ିଥିଲେ। ନଭେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କାର୍ଯ୍ୟ ଶେଷ ହେବାପରେ ଡିସେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ଟ୍ରାଏଲରନ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯାଞ୍ଚ କରାଯିବ। ଏଣୁ ନଭେମ୍ବର ୧୫ ସୁଦ୍ଧା ଏଠାରୁ ବିମାନ ଉଡ଼ିବା ଏକ ପ୍ରକାର ସୁନିଶ୍ଚିତବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଠାରେ ବିମାନ ଉଡ଼ାଇବା ଦାୟିତ୍ବ ‘ଆଲାଏନ୍ସ ଏୟାର୍’କୁ ଦିଆଯିବବୋଲି ସୂଚନାରୁ ପ୍ରକାଶ। ଅନ୍ତଃତ ପୁରୁଷ ହକି ବିଶ୍ବକପ ସମାପ୍ତି ଯାଏଁ ଆଲାଏନ୍ସ ଏୟାର୍ର ଏଟିଆର୍-୭୨ ଉଡ଼ିବବୋଲି ଜଣାପଡ଼ିଛି। ଅବଶ୍ୟ, ଅନ୍ୟାନ୍ୟ ସଂସ୍ଥା ମଧ୍ୟ ଏଠାରେ ବିମାନ ଚଳାଚଳ ପାଇଁ ଆଗଭର ଥିବା କୁହାଯାଉଛି। ଇତିମଧ୍ୟରେ ଏହି ବିମାନବନ୍ଦର ପାଇଁ ୩ସି ଲାଇସେନ୍ସ ପାଇଁ ସେଲ୍ ପକ୍ଷରୁ ଆବେଦନ କରାଯାଇସାରିଛି। ପ୍ରକାଶଥାଉକି, ପୂର୍ବରୁ ଏହି ବିମାନବନ୍ଦରକୁ ୨ବି ଲାଇସେନ୍ସ ମିଳିଥିଲା। ଏଣୁ ୧୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରୁଥିଲା। ତେବେ ଏଟିଆର୍-୭୨ ଏୟାରକ୍ରାଫ୍ଟ ଉଡ଼ାଣ ପାଇଁ ୩ସି’ ଲାଇସେନ୍ସ ନିତାନ୍ତ ଆବଶ୍ୟକ।
ହକି ବିଶ୍ବକପ୍ ଶେଷହେବା ଯାଏ ବିମାନ ସେବାରେ କୌଣସି ବ୍ୟାଘାତ ସୃଷ୍ଟି ହେବନାହିଁ; ଏହା ନିଃସନ୍ଦେହ। କୁହାଯାଉଛି, ଆରମ୍ଭରେ କେବଳ ରାଉରକେଲା-ଭୁବନେଶ୍ବର ବିମାନ ଉଡ଼ିବ। ସକାଳ ସମୟରେ ଦୈନିକ ଥରଟିଏ ହିଁ ରାଉରକେଲାରୁ ଭୁବନେଶ୍ବରକୁ ଉଡ଼ିବ ବିମାନ। ଯାତ୍ରୀସଂଖ୍ୟା ଯଦି ଅନବରତ ସନ୍ତୋଷଜନକ ରୁହେ, ତା’ହେଲେ ସଂଖ୍ୟା ବୃଦ୍ଧି କରିବାକୁ ଏଏଆଇ ବିଚାରକୁ ନେବାର ସମ୍ଭାବନା ରହିଛି।