ଜୟପୁର: ପହିଲି ଶୀତରେ ସୁନ୍ଦର ହେଉଛି କୋରାପୁଟ। ମାଳଭୂମିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼। ସକାଳୁଆ କୁହୁଡ଼ି ସାଙ୍ଗକୁ ଅଳସୀ କ୍ଷେତର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ସେହିପରି ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରୁ ସୂର୍ଯ୍ୟୋଦୟ ଓ ଡୁଡୁମା ଜଳପ୍ରପାତରୁ ସୂର୍ଯ୍ୟାସ୍ତ ଦେଖିବା ପାଇଁ ଜମୁଛି ଶହ ଶହ ପର୍ଯ୍ୟଟକଙ୍କ ଭିଡ଼। 

Advertisment

କୋରାପୁଟ ଜିଲ୍ଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ୮ରୁ ୯ ଡିଗ୍ରିକୁ ଖସି ଆସୁଛି। ଦେଓମାଳି ସମେତ ଏହାର ପାଦଦେଶ ଏବଂ ଦାମନଯୋଡ଼ି ଖଣି ଅଞ୍ଚଳରେ ତାପମାତ୍ରା ରାତିରେ ୫ରୁ ୬ ଡିଗ୍ରିକୁ ଖସି ଆସୁଛି। ଏହାର ପ୍ରଭାବରେ କୋରାପୁଟ ସହର ସମେତ ଘାଟି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି। ସକାଳ କୁହୁଡ଼ିରେ ଘାଟି ଏବଂ ପାହାଡ଼ ଉପରୁ ସବୁଜ ବନାନୀ, ବଣ ଜଙ୍ଗଲର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆମୋଦିତ କରୁଛି। ବିଶେଷ କରି ଦେଓମାଳି, ତଳମାଳି ପାହାଡ଼, ଲକ୍ଷ୍ମୀପୁର, ଜୟପୁର, ସୁଙ୍କି ଘାଟି ଉପରୁ ସକାଳର ମନୋରମ ଦୃଶ୍ୟରେ ମତୁଆଲା ହେଉଛନ୍ତି ପର୍ଯ୍ୟଟକ। ସକାଳ ୧୦ଟା ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ତାପମାତ୍ରା ୧୦ ଡିଗ୍ରି ଭିତରେ ରହୁଛି। ଧୀରେ ଧୀରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢ଼ିବାରେ ଲାଗିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ନଭେମ୍ବର ୧୫ରୁ ପୁଟସିଲ ଇକୋ ରିଟ୍ରିଟ୍‌ର ଆରମ୍ଭ ହେଉଛି। ଦେଓମାଳିରେ ପର୍ଯ୍ୟଟକ ରାତି କଟାଇବା ଉପରେ ପ୍ରଶାସନ କଟକଣା ଜାରି କରିଥିବାରୁ ଏହାର ପାଦଦେଶ ସମେତ ଅନ୍ୟ ଅଞ୍ଚଳରେ ପର୍ଯ୍ୟଟକ ନାଇଟ୍‌ କ୍ୟାମ୍ପ କରି ରହୁଛନ୍ତି। ସେହିପରି ତଳମାଳିରେ ମଧ୍ୟ ବହୁ ମାତ୍ରାରେ ପର୍ଯ୍ୟଟକ ନାଇଟ୍‌ କ୍ୟାମ୍ପ କରି ଥଣ୍ଡା ପାଗର ମଜା ଉଠାଉଛନ୍ତି। ନନ୍ଦପୁରର ରାଣୀଡୁଡୁମା, ମାଛକୁଣ୍ଡର ଡୁଡୁମା ଜଳପ୍ରପାତର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି। ସୁଉଚ୍ଚ ଜଳପ୍ରପାତର ମନଲୋଭା ଦୃଶ୍ୟ ସହିତ ସବୁଜିମା କାଶ୍ମୀରର ଅନୁଭୂତି ଦେଉଥିବା ପର୍ଯ୍ୟଟକ ପ୍ରକାଶ କରିଛନ୍ତି। ଏଥି ସହିତ ପାହାଡ଼ୀ ଝରଣାରେ ଗାଧୋଇ ମଜା ନେଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନସ୍ଥଳୀ ଆଖପାଖ ଏବଂ କଫି ଗାର୍ଡେନରେ ଜମିବାରେ ଲାଗିଛି ବଣଭୋଜି। ଅନ୍ୟପକ୍ଷରେ ଶାବର ଶ୍ରୀକ୍ଷେତ୍ର ଓ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବରରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବୁଲି ଆସିଥିବା ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି କୋରାପୁଟର ଅଳସୀ କ୍ଷେତ। ହଳଦିଆ ଫୁଲର ସମ୍ଭାରରେ ରାସ୍ତା ପାର୍ଶ୍ବ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବାରୁ ଫଟୋ ଉଠାଇବା ଲାଗି ଲାଗୁଛି ଭିଡ଼। 

ଦେଓମାଳିରେ ରାତି କଟାଇବା ଲାଗି ବନ ବିଭାଗର ୬ଟି କଟେଜ୍‌ ରହିଛି। ସେହିପରି କୋରାପୁଟ କଫି ଗାର୍ଡେନ ପରିସରରେ ମଧ୍ୟ କଟେଜ୍‌ ବ୍ୟବସ୍ଥା ରହିଛି। ସରକାରୀ ବ୍ୟବସ୍ଥାକୁ ଛାଡ଼ିଲେ ଲକ୍ଷ୍ମୀପୁର, ଲମତାପୁଟ, ପଟାଙ୍ଗି, ସେମିଳିଗୁଡ଼ାରେ ବେସରକାରୀ ଭାବେ ବହୁ କଟେଜ୍‌ ରହିଛି। ସୂଚନା ମୁତାବକ, ଦୈନିକ ଏବେ ୨୦୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ କୋରାପୁଟ ବୁଲିବାକୁ ଆସୁଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। କୋରାପୁଟ ସୀମାନ୍ତରେ ଛତିଶଗଡ଼ର ଚିତ୍ରକୁଟ, ତୀର୍ଥଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଆରୁକୁ ଭ୍ୟାଲି ଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ଟୁରିଷ୍ଟ ଡେଷ୍ଟିନେସନ୍‌ ଭାବେ କୋରାପୁଟକୁ ବାଛୁଛନ୍ତି ପର୍ଯ୍ୟଟକ।