ଭୁବନେଶ୍ବର: ମଞ୍ଚରେ ପ୍ରଦର୍ଶିତ ହେଉଥିଲା କାଳିଆର ଲୀଳା। ସାରା ଦୁନିଆର ରକ୍ଷକକୁ ଭକ୍ତ କେମିତି ରକ୍ଷା କରୁଛି, ତାକୁ ଦେଖୁଥିଲେ ଦର୍ଶକ। ଅବସର ଥିଲା, ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ୩୦ତମ ସୋ’ ପ୍ରଦର୍ଶନ ସମାରୋହ। ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ଏହି ନାଟକର ଆଜି ଦ୍ବିତୀୟ ଦିନରେ ମଧ୍ୟ ଉଛୁଳୁଥିଲା ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ। ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ଆଜି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିବା ବେଳେ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ମଞ୍ଚରେ ନାଟକର ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ ଉପସ୍ଥିତ ଥିଲେ।
ପୂର୍ବ ପରି ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରେକ୍ଷାଳୟର ସମସ୍ତ ସିଟ୍ ଭରି ଯାଇଥିଲା। ମଞ୍ଚରେ ମହାପ୍ରଭୁଙ୍କ ଲୀଳା ଖେଳାକୁ ସ୍ବଚକ୍ଷୁରେ ଦେଖି ଦର୍ଶକମାନେ ଭାବବିହ୍ବଳ ହୋଇ ଯାଇଥିଲେ। ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସନ୍ସ’ ପକ୍ଷରୁ ମଞ୍ଚସ୍ଥ ହେଉଥିବା ଏହି ନାଟକରେ ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍ର ତକୀ ଖାଁ ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି, ଅତ୍ୟାଚାରର ଶିକାର ହୋଇଛନ୍ତି ଏବଂ ତାଙ୍କ ପାଇଁ କିଭଳି ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ହୋଇଛନ୍ତି, ତାହା ଉପସ୍ଥାପିତ ହୋଇଛି। ନାଟକରେ ନାଏବ ନଜିମ୍, ମହାପ୍ରଭୁ ଓ ରାଜା ରାମଚନ୍ଦ୍ର ଦେବଙ୍କୁ ଗାଳି ଦେବା ବେଳେ ଅନେକ ଦର୍ଶକ ସହି ପାରି ନଥିଲେ। କିଛି ଦର୍ଶକ ନାଟକ ଚାଲିଥିବା ସମୟରେ ନାଏବ ନଜିମ୍ ଭୂମିକା କରୁଥିବା ଅଭିନେତାଙ୍କୁ ଗାଳି ଦେବାକୁ ପଛାଇ ନଥିଲେ। ଆସନ୍ତା ୨୦ ତାରିଖ ଯାଏ ରବୀନ୍ଦ୍ର ମଣ୍ଡପରେ ନାଟକ ମଞ୍ଚସ୍ଥ ହେବାକୁ ଥିବା ବେଳେ ଆଗାମୀ ଦିନର ସମସ୍ତ ସୋ’ର ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/19/ssfsfsfxcxc-2025-08-19-02-58-23.jpg)