ରାୟଗଡ଼ା/ବିଷମକଟକ: ଆମ ପୂର୍ବ ପୁରୁଷ ଆମକୁ ସୁନ୍ଦର ପୃଥିବୀ ଉପହାର ସ୍ବରୂପ ପ୍ରଦାନ କରିଥିଲେ। କିନ୍ତୁ ଆମେ ନିଜ ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ ପ୍ରତି ମୁହୂର୍ତ୍ତରେ ପରିବେଶକୁ ବିଭିନ୍ନ ରୂ‌ପରେ ନଷ୍ଟ କରୁଛେ। ଏବେଠୁ ସଚେତନ ନହେଲେ ଆଗାମୀ ପିଢ଼ି ଆଉ ସ୍ବଚ୍ଛ ଅମ୍ଳଜାନ ପାଇବେ ନାହିଁ। ଆମ ଅଞ୍ଚଳ ଧ୍ବଂସ ହେବାକୁ ବିଳମ୍ବ ହେବନାହିଁ। ‘ସମ୍ବାଦ’ ପକ୍ଷରୁ ବିଷମକଟକ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଷମକଟକ ବିଧାୟକ ନୀଳମାଧବ ହିକକା ଏହା କହିଛନ୍ତି।

Advertisment

ବ୍ୟାପକ ପୋଡ଼ୁଚାଷ ଏବଂ ସହରାଞ୍ଚଳରେ ହେଉଥିବା ବିଭିନ୍ନ ପରିବେଶ ଜନିତ କ୍ଷତି ଗ୍ରାମାଞ୍ଚଳକୁ ମାଡ଼ିଗଲାଣି। ଆମ ଅଞ୍ଚଳରେ ବ୍ୟାପକ ପଲିଥିନ ବ୍ୟବହାର ଏକ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ନିଜେ ସଚେତନ ହୋଇ, ଅନ୍ୟକୁ ସଚେତନ କରିପାରିଲେ ସମ୍ଭାବ୍ୟ ବିପର୍ଯ୍ୟୟକୁ ଆମେ ରୋକିପାରିବା। ଏଥିପାଇଁ ଆଜି ଆମେ ସମସ୍ତେ ଶପଥ ନେବା ବୋଲି ବିଧାୟକ ଶ୍ରୀ ହିକକା ପ୍ରକାଶ କରିଥିଲେ। ବିଶିଷ୍ଟ ଗବେଷକ ଶ୍ରୀରଙ୍ଗ ନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଥିଲେ, ହଜାର ହଜାର ବର୍ଷ ପୂର୍ବରୁ ପରିବେଶ ପାଇଁ ଆମ ପୂର୍ବଜ ଚିନ୍ତା କରୁଥିଲେ। ସେଥିପାଇଁ ଆମେ ବୃକ୍ଷ, ନଦୀ, ପାହାଡ଼, ପର୍ବତକୁ ପୂଜା କରୁଛୁ। ଆଦିବାସୀ ଅଞ୍ଚଳରେ ଆଜି ମଧ୍ୟ ପ୍ରକୃତି ପୂଜା ପ୍ରଚଳିତ। ଆମର ପରିବେଶ ହେଉଛି ଆମର ମା’ ସଦୃଶ। କାରଣ ଜନ୍ମ ହେବା ପରେ ଶିଶୁକୁ ମା’ କ୍ଷୀରଦାନ କରନ୍ତି। ପ୍ରକୃତି ଅନୁରୂପ ଆମକୁ ଜଳଦାନ କରୁଛି। ତେଣୁ ପ୍ରକୃତିକୁ ଆମେ ମା’ ଭଳି ସମ୍ମାନ ଦେବା ସହ ସୁରକ୍ଷା ଦେବାର ସମୟ ଆସିଛି।

ଯାହାର ପୂଜା କରିବା କଥା, ତାହାକୁ ନିଜ ସ୍ବାର୍ଥ ପାଇଁ ଧ୍ବଂସ କରୁଛେ। ବିଧ୍ବଂସର ପରିଣାମ ମଧ୍ୟ ଆମେ ହିଁ ଭୋଗୁଛୁ। ପରିବେଶ ଅର୍ଥାତ ଆମ ଚାରିପଟର ପ୍ରାକୃତିକ ସଂପଦକୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ। ଯଦି ଆମେ ସଚେତନ ହେବାନି ତେବେ ମା’କୁ ଆମେ ନିଜେ ହତ୍ୟା କରିବା। ବୃକ୍ଷ ସହ ବନ୍ଧୁତା କରିବାର ସମୟ ଆସିଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ର‌ମରେ କ୍ରୀଡ଼ା ଶିକ୍ଷକ ତ୍ରିନାଥ ଗୌଡ, ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷ ଜଗନ୍ନାଥ ମେହେର ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସଂପର୍କିତ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ବାଳଗୋପାଳ ପାଳ ସଂଯୋଜନା କରିଥିବା ବେଳେ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା ଏବଂ ବିଷମକଟକ ବ୍ଲକ ପ୍ରତିନିଧି ଶ୍ରୀକାନ୍ତ ବଲ୍ଲଭାଇ ପରିଚାଳନା କରିଥିଲେ। କନକ ନ୍ୟୁଜ୍‌ ପ୍ରତିନିଧି ସୀମାଞ୍ଚଳ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।