ଭୁବନେଶ୍ବର: ପୋଲାଭରମ୍ ପ୍ରକଳ୍ପକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ବିରୋଧ କରିବେ କି ସମର୍ଥନ କରିବେ ସେନେଇ କିନ୍ତୁ ମୁଖ୍ୟମନ୍ତ୍ରୀ କିଛି ସ୍ପଷ୍ଟ କହିନାହାନ୍ତି। ଚାରିଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପୋଲାଭରମ୍ ପ୍ରକଳ୍ପ ନେଇ ମୁଁ ନିତି ଆୟୋଗ ବୈଠକ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ଆଲୋଚନା କରିଛି। ପୋଲାଭରମ୍ ଉପରେ ଆମର ଯାହା ସବୁ ଦାବି ରହିଛି, ସେ କଥା ଆମେ ଦୋହରାଇଥିଲୁ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ମୁଁ ପ୍ରସ୍ତାବ ଦେଇଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସେ ପ୍ରସ୍ତାବରେ ରାଜି ଅଛନ୍ତି।
ପୂର୍ବରୁ ପୋଲାଭରମ୍ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ, ୨୦୧୪ ପରେ ଏକାଧିକବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି, ସାକ୍ଷାତ କରି ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଥିଲେ। ଏହାସହ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ବି ଚିଠି ଲେଖି ଏହାର ନିର୍ମାଣ ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଥିଲେ। କିନ୍ତୁ କିଛି ସୁଫଳ ମିଳିନଥିଲା। ଏବେ କେନ୍ଦ୍ର ସରକାର ପୋଲାଭରମ୍ ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ ଅଣ୍ଟା ଭିଡ଼ିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଏହି ପ୍ରକଳ୍ପକୁ ରୋକିପାରିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର।